ରାଜ୍ୟସଭା ନିର୍ବାଚନ ପାଇଁ ୨ ଜଣ ପ୍ରାର୍ଥୀ ନାଁ ଘୋଷଣା କଲା ବିଜେଡି । ହେଲେ ୩ୟ ପ୍ରାର୍ଥୀ ଜଣକ କିଏ? ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ କି ବିଜେଡି?

432

କନକ ବ୍ୟୁରୋ: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିିଜୁ ଜନତା ଦଳ । ଦଳର ଅଭିଜ୍ଞ ନେତା ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି ଦଳ । ହେଲେ ଓଡିଶାରୁ ରାଜ୍ୟସଭା ପାଇଁ ୩ଟି ଆସନ ଖାଲି ପଡୁଥିବାବେଳେ, ବିଜେଡି କେବଳ ୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି । ତେଣୁ ରାଜ୍ୟସଭା ରେସ୍ ପାଇଁ ୩ୟ ପ୍ରାର୍ଥୀ ଜଣକ କିଏ? ଏବେ ୩ୟ ପ୍ରାର୍ଥୀ ଜଣକ କେଉଁ ଦଳର ହେବେ ତାକୁ ନେଇ ଏବେ ଆରମ୍ଭ ହେଇଛି ଆଲୋଚନା ।

ଓଡିଶାରୁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହି ୩ଟି ଆସନ ପାଇଁ ନିର୍ବାଚନ ହେବ । ହେଲେ ବିଜେଡି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ଅନେକ ପ୍ରଶ୍ନ ଠିଆ କରିଛି । ରାଜନୈତିକ ବିଶେଷଜ୍ଞଙ୍କ କହିବା ମୁତାବକ, ବିଜେଡି ପାଖରେ ୩ୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ନଥିବାରୁ, ୩ୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି ଦଳ । ଏହା ପରିବର୍ତ୍ତେ ଦଳ ବିଜେପିର ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବୋଲି ଆଶା କରାଯାଉଛି ।

୩ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବିଜେଡିକୁ ଦରକାର ୧୧୧ ବିଧାୟକଙ୍କ ସମର୍ଥନ । ହେଲେ ବିଧାନସଭାରେ ଏବେ ବିଜେଡିର କେବଳ ୧୦୮ ବିଧାୟକ ଅଛନ୍ତି । ତେଣୁ ୩ ଜଣ ବିଜେଡି ନେତାଙ୍କୁ ରାଜ୍ୟସଭା ପଠାଇବାକୁ ହେଲେ ବିଜେଡିକୁ ଆହୁରି ୩ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେଣୁ ଏହା ପରିବର୍ତ୍ତେ ଦଳ ନିଜର ୨ ପ୍ରାର୍ଥୀଙ୍କ ସହିତ ବିଜେପିର ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବୋଲି କୁହାଯାଉଛି ।

ଜାଣିରଖିବା ଉଚିତ୍ ଯେ, ପୂର୍ବରୁ ମଧ୍ୟ ରାଜ୍ୟସଭା ନିର୍ବାଚନରେ ଓଡିଶାରେ ଏପରି ଘଟଣା ଘଟିସାରିଛି । ସେତେବେଳେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇବାକୁ ସମର୍ଥନ କରିଥିଲା ବିଜୁ ଜନତା ଦଳ । ତେଣୁ ଏଥର ବି ମଧ୍ୟ ସମାନ ଢଙ୍ଗରେ ବିଜେପିର ଜଣେ ନେତାଙ୍କୁ ସମର୍ଥନ ଦେଇପାରେ ବିଜେଡି । ତେବେ ଏ ସବୁ ମଧ୍ୟରେ, ରାଜ୍ୟସଭା ରେସ୍ ପାଇଁ ଏହି ୩ୟ ପ୍ରାର୍ଥୀ ଜଣକ କିଏ ହେବେ ତାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି ।

ଖାଲି ସେତିକି ନୁହେଁ, ଯଦି ରାଜ୍ୟସଭା ପାଇଁ ବିଜେଡି ନିଜର ୩ୟ  ପ୍ରାର୍ଥୀ ଘୋଷଣା ନକରେ, ତେବେ ବିଜେପି କାହାକୁ ପ୍ରାର୍ଥୀ କରିବ ? ଏ ପ୍ରଶ୍ନ ମଧ୍ୟ ଏବେ ଚର୍ଚ୍ଚାରେ । କାହିଁକି ନା ଯଦି ବିଜେଡି ନିଜର ୩ୟ ପ୍ରାର୍ଥୀ ଘୋଷଣା ନକରେ । ତେବେ ବିଜେପି ରାଜ୍ୟସଭା ପାଇଁ ଜଣକୁ ପ୍ରାର୍ଥୀ ଘୋଷଣା କରିବ, ଆଉ ସେ ପ୍ରାର୍ଥୀ ଜଣକ କିଏ ହେବେ, ତା ଏବେ ବି ସସପେନ୍ସ ମଧ୍ୟରେ ।