ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର । ଏବେ କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ?

Advertisment
ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର । ଏବେ କିଏ ହେବ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ?

କନକ ବ୍ୟୁରୋ : ପଞ୍ଜାବ ରାଜନୀତିରେ ହଟଚମଟ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ୍ ଅମରିନ୍ଦର ସିଂହ । ଶନିବାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପଟେନ୍ ଅମିରନ୍ଦର ସିଂହ । ତେବେ ତାଙ୍କ ଇସ୍ତଫା ସହିତ ଏବେ ରାଜନୀତି କରିଡରରେ କେବଳ ଗୋଟିଏ ଚର୍ଚ୍ଚା, କ୍ୟାପଟେନଙ୍କ ପରେ କିଏ ସମ୍ଭାଳିବ ପଞ୍ଜାବର କମାଣ?

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହିତ ଅମରିନ୍ଦର କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି, ହେଲେ ଏବେ ବି କଂଗ୍ରେସରେ ଅଛି । ତାଙ୍କର ଆଗାମୀ ପଦକ୍ଷେପ କଣ ହେବ ସେନେଇ ଆଲୋଚନା ପରେ ହିଁ କହିହେବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ତେବେ ଅନ୍ୟପଟେ ଆଜି ପଞ୍ଜାବରେ କଂଗ୍ରେସ ବିଧାୟକ ଦଳର ବୈଠକ ମଧ୍ୟ ବସୁଛି । ଯେଉଁଥିରେ ପ୍ରଭାରୀ ହରିଶ ରାୱତଙ୍କ ସହିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଓ ହରିଶ ଚୌଧୁରୀ ମଧ୍ୟ ସାମିଲ ହେବେ । କୁହାଯାଉଛି ଏହି ବୈଠକରେ ଦଳର ନେତା କିଏ ହେବ ସେନେଇ ନିଷ୍ପତ୍ତି ନିଆଯିବ ।

ତେବେ ମିଳିଥିବା ସୂଚନା ମୁତାବକ, ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସୁନୀଲ ଜାଖର ମୁଖ୍ୟମନ୍ତ୍ରୀ ରେସରେ ଆଗୁଆ ଅଛନ୍ତି । ସେ ସିଦ୍ଦୁଙ୍କ ପାଖ ଲୋକ ହେବା ସହିତ ସଙ୍ଗଠନ ଉପରେ ମଧ୍ୟ ତାଙ୍କର ନିୟନ୍ତ୍ରଣ ରହିଛି । ତେଣୁ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ରାଜ କୁମାର ବରକା ଓ ଇନ୍ଦ୍ରଜିତଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ଖାଲି ସେତିକି ନୁହେଁ ନୂଆକରି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହୋଇଥିବା ନବଜ୍ୟୋତ ସିଂହ ସିଦ୍ଧୁ ମଧ୍ୟ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ସିଦ୍ଧୁଙ୍କ ପାଖରେ ଏବେ ଅଧାରୁ ଅଧିକ ବିଧାୟକ ଥିବାବେଳେ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ନଚେତ୍ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଆସନରେ ଅନ୍ୟ କାହାକୁ ବସାଇ, ନିଜେ କିଙ୍ଗ୍ ମେକର ହୋଇପାରନ୍ତି ।

ସୂଚନାଯୋଗ୍ୟ ଯେ, କ୍ୟାପଟେନ୍-ସିଦ୍ଧୁ ବିବାଦ ଭିତରେ ଆଜି ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ସମସ୍ତ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଛନ୍ତି । ତେବେ ଅମରିନ୍ଦରଙ୍କ ପରେ ପଞ୍ଜାବ ରାଜନୀତିର କ୍ୟାପଟେନ୍ କିଏ ହେବ ସେନେଇ ଚର୍ଚ୍ଚା ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe