କନକ ବ୍ୟୁରୋ : ମେୟର ଲଢ଼େଇ ପାଇଁ ମୈଦାନ ପ୍ରସ୍ତୁତ । ଟୁଇନ ସିଟି ଭୁବନେଶ୍ୱର ଓ କଟକରେ ମେୟର ଲଢ଼େଇ ପାଇଁ ସବୁ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଏଥର ଭୋଟର ସିଧାସଳଖ ମେୟର ନିର୍ବାଚନ କରିବେ । ତେଣୁ ଭୋଟରଙ୍କ ପାଖକୁ ଯାଇ ପ୍ରାର୍ଥୀ ନିଜ ପକ୍ଷ ରଖିବା ଆରମ୍ଭ ହୋଇଗଲାଣି ।
ପ୍ରାର୍ଥୀ ପ୍ରସ୍ତୁତ, ମଇଦାନ ପ୍ରସ୍ତୁତ । ଦ୍ୱୈତନଗରୀରେ କିଏ ମାରିବ ବାଜି? କଟକ ଓ ଭୁବନେଶ୍ୱରରେ କିଏ ହେବ ମେୟର, ଏ ନେଇ ରାଜନୈତିକ ପାଣିପାଗ ଉଷୁମ ହେଉଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଶାଳ ରାଲିରେ ଆସି ବିଏମସି ନିର୍ବାଚନ ଅଧିକାରୀ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମଧୁସ୍ମିତା । ସେହିପରି ଆମ ଆଦମୀ ପାର୍ଟି ପକ୍ଷରୁ ସରୋଜିନୀ ଖୁଣ୍ଟିଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଏଥର ପ୍ରଥମ ଥର ମେୟର ପଦ ପାଇଁ ହେବ ସିଧାସଳଖ ଭୋଟ । ଆଉ ଭୁବନେଶ୍ୱରର ମେୟର ଆସନ ପ୍ରଥମ ଥର ପାଇଁ ମହିଳାଙ୍କ ପାଇଁ ସଂରକ୍ଷଣ ରହିଛି । ତିନି ପ୍ରମୁଖ ଦଳ ମଧ୍ୟ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ, ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ ଓ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ମଧ୍ୟରେ ଟକ୍କର ହେବାକୁ ଯାଉଛି ।
ଏପଟେ ସିଲଭର ସିଟି କଟକର ମେୟର ପଦ ପାଇଁ ଶ୍ରୀତମ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେଣୁ କଟକ ମେୟର ଲଢ଼େଇ ସ୍ପଷ୍ଟ ହୋଇଯାଇଛି । ତିନି ପ୍ରମୁଖ ଦଳର ପ୍ରାର୍ଥୀ ମଇଦାନକୁ ଆସି ଯାଇଛନ୍ତି । କଟକ ମେୟର ପଦ ପାଇଁ ଅଭିନେତାରୁ ରାଜନୀତିକୁ ଆସିଥିବା ଶ୍ରୀତମ ଦାସଙ୍କ ଉପରେ ବିଜେପି ଭରସା କରିଛି । ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ କାହା କାହା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ, ସ୍ପଷ୍ଟ ଚିତ୍ର ଆସିଯାଇଛି ।
କଟକ ମେୟର ପ୍ରାର୍ଥୀ
ସୁବାସ ସିଂ, ବିଜେଡି
ଶ୍ରୀତମ ଦାସ, ବିଜେପି
ଗିରିବାଳା ବେହେରା, କଂଗ୍ରେସ
କଟକ ମେୟର ପଦ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂ, ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ଓ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କ ମଧ୍ୟରେ ହେବ ଟକ୍କର । ରାଜ୍ୟର ଦୁଇ ପ୍ରମୁଖ ମହାନଗରର ମେୟର ପଦ ହାତେଇବା ଉଭୟ ଶାସକ ଓ ବିରୋଧୀ ଦଳ ପାଇଁ ସମ୍ମାନର କଥା ହୋଇଛି ।