କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ ମାତ୍ର ଶହେ ଦିନରୁ କମ୍ ସମୟ ବାକି । ଆସନ୍ତା ଅକ୍ଟୋବର ୫ ତାରିଖରୁ ଏହି ମେଗା ଇଭେଣ୍ଟ ଆରମ୍ଭ ହେବାକୁ ଥିବାବେଳେ, ନଭେମ୍ବର ୧୯ ତାରିଖରେ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଆଇସିସି ଖେଳସୂଚୀ ମଧ୍ୟ ଜାରି କରିସାରିଛି । ତେବେ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏକାକି ବିଶ୍ୱକପ୍ ଆୟୋଜନ କରୁଥିବାରୁ, ଏହାକୁ ସଫଳ କରିବାକୁ ଜୋରସୋରରେ ଲାଗିପଡିଛି ବିସିିସିଆଇ । ଅନ୍ୟପଟେ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ନଜର ମଧ୍ୟ ଏବେ ଭାରତ ଉପରେ ରହିଛି ।

Advertisment

ଦୀର୍ଘ ୧୨ ବର୍ଷ ପରେ ଭାରତ ପୁଣିଥରେ ଘରୋଇ ମାଟିରେ ବିଶ୍ୱକପ୍ ଚାମ୍ପିୟନ୍ ହେବାର ଆଶା ଜାଗି ଉଠିଛି । କାହିଁକି ନା, ୨୦୧୧ ମସିହାରେ ଘରୋଇ ମାଟିରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ବିଜୟୀ ହେଇଥିଲା । ଆଉ ଏହାର ୧୨ ବର୍ଷ ପରେ ପୁଣିଥରେ ସେହି ସୁଯୋଗ ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଛି ୪ ନମ୍ବର ବ୍ୟାଟ୍ସମ୍ୟାନ୍ । କେଉଁ ବ୍ୟାଟ୍ସମ୍ୟାନ୍ ଭାରତର ବ୍ୟାଟିଂ କ୍ରମରେ ୪ ନମ୍ବର ସମ୍ଭାଳିବେ ତାକୁ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।

ଭାରତର ୪ ନମ୍ବର କ୍ରମ ପାଇଁ ଶ୍ରେୟାସ ଆୟର ହେଉଛନ୍ତି ସବୁଠାରୁ ସଠିକ୍ ଖେଳାଳି । ହେଲେ ବର୍ତ୍ତମାନ କିନ୍ତୁ ସେ ଆହତ ଅବସ୍ଥା ଦେଇ ଗତି କରୁଛନ୍ତି । ତେଣୁ ତାଙ୍କ ଫିଟନେସକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେଣୁ ତାଙ୍କ ସ୍ଥାନରେ କିଏ ଏହି କ୍ରମରେ ବ୍ୟାଟିଂ କରିବ ତାକୁ ନେଇ ଚିନ୍ତା ବଢିଛି । ତେବେ ରୋହିତଙ୍କ ସହ ଶୁଭମନ୍ ଗିଲ୍ ଓପନିଂ କରିବା ଏକପ୍ରକାର ପକ୍କା ଥିବାବେଳେ, ବିରାଟ କୋହଲି ୩ୟ ସ୍ଥାନରେ ବ୍ୟାଟିଂ କରିବେ । ହେଲେ ଏହାପରେ କେଉଁ ବ୍ୟାଟ୍ସମ୍ୟାନ୍ ବ୍ୟାଟିଂର ଭାର ସମ୍ଭାଳିବେ ତାହା ଏବେ ବି ଏକ ପ୍ରଶ୍ନ ଚିହ୍ନ ।

୪ ନମ୍ବର କ୍ରମରେ ଶ୍ରେୟାସଙ୍କ ସହିତ ରିଷଭ ପନ୍ତ, କେ ଏଲ ରାହୁଲ ଏବଂ ଇଶାନ କିଷାନଙ୍କ ନାଁ ରେସରେ ରହିଛି । ହେଲେ ଇଶାନଙ୍କୁ ଛାଡିଦେଲେ ଅନ୍ୟ ତିନିଜଣ ଯାକ ବ୍ୟାଟ୍ସମ୍ୟାନ୍ ଏବେ ଆହତ  ଏବଂ ଫିଟନେସ୍ ସମସ୍ୟା ଦେଇ ଗତି କରୁଛନ୍ତି । ଅନ୍ୟପଟେ କେ ଏଲ ରାହୁଲଙ୍କୁ ଟିମ୍ ମ୍ୟାନେଜମେଣ୍ଟ ସମ୍ଭବତଃ ୫ ନମ୍ବରରେ ବ୍ୟାଟିଂ କରାଇପାରେ । ତେଣୁ ଏହି ୪ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ, ଏବଂ କେଉଁ ବ୍ୟାଟ୍ସମ୍ୟାନଙ୍କୁ ସିଲେକ୍ସନ କମିଟି ଚୟନ କରୁଛି ତାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି ।