କିଏ ହେବ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ? କେନ୍ଦ୍ରୀୟ ଡେପୁଟେସନରେ ଗଲେ ରାଜେଶ ବର୍ମା ।

ଚର୍ଚ୍ଚା ଅନୁସାରେ, ଉନ୍ନୟନ କମିଶନର ଥିବା ଅସିତ ତ୍ରିପାଠୀ, ପଂଚାୟତିରାଜ ସଚିବ ଦେଓରଂଜନ ସିଂ, ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିପାରେ ।

369

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ କିଏ ହେବ? ପାୱାର କରିଡରରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିବା ରାଜେଶ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି । ୧୯୮୭ ବ୍ୟାଚର ଏହି ଆଇଏଏସ ଅଧିକାରୀ କୃଷି, ସମବାୟ ତଥା ଚାଷୀ ମଙ୍ଗଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

ଡିପାର୍ଟମେଂଟ ଅଫ ପର୍ସୋନେଲ ଆଣ୍ଡ ଟ୍ରେନିଂ ବା ଡିଓପିଟି ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୮୭ ବ୍ୟାଚର ଆଇଏଏସ ଅଧିକାରୀ ଜାନୁୟାରୀ ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ । ଏହାପୂର୍ବରୁ ଉପେନ୍ଦ୍ରନାଥ ବେହେରା ଏହି ଦାୟିତ୍ୱରେ ଥିଲେ । ଶ୍ରୀଯୁକ୍ତ ବେହେରା ଯେତେବେଳେ ଓଇଆରସିର ଦାୟିତ୍ୱ ପାଇଲେ ସେବେଠାରୁ ରାଜେଶ ବର୍ମା ଏହି ଦାୟିତ୍ୱରେ ଥିଲେ ।

ପୂର୍ବରୁ ରାଜ୍ୟରେ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବାର ଅଭିଜ୍ଞତା ରହିଛି ରାଜେଶ ବର୍ମାଙ୍କର । ଏପରିକି କାଳିଆ ଯୋଜନା ପଛରେ ତାଙ୍କର ଏକ ବଡ ଭୂମିକା ରହିଥିବା ଚର୍ଚ୍ଚା ହୁଏ । ତେବେ କେନ୍ଦ୍ରକୁ ସେ ଯିବା ପରେ ତାଙ୍କ ସ୍ଥାନରେ କିଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବ, ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଚର୍ଚ୍ଚା ଅନୁସାରେ, ଉନ୍ନୟନ କମିଶନର ଥିବା ଅସିତ ତ୍ରିପାଠୀ, ପଂଚାୟତିରାଜ ସଚିବ ଦେଓରଂଜନ ସିଂ, ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ମିଳିପାରେ । ଏମାନଙ୍କ ମଧ୍ୟରୁ ଅସିତ ତ୍ରିପାଠୀ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାରେ ଥିବା ବେଳେ ଦେଓରଂଜନ ସିଂ ଏବଂ ଜି. ମାଥିଭାଥନନ ପ୍ରମୁଖ ସଚିବ ପାହ୍ୟାରେ ରହିଛନ୍ତି ।

ଆଗାମୀ ଦିନରେ ରାଜ୍ୟରେ ବିଭାଗୀୟ ସଚିବ ସ୍ତରରେ ଏକ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । କାରଣ, ରାଜେଶ ବର୍ମାଙ୍କ ସ୍ଥାନରେ ଯେଉଁ ବରିଷ୍ଠ ଆଇଏଏସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯିବେ, ଉକ୍ତ ସ୍ଥାନରେ କାହାକୁ ଦାୟିତ୍ୱ ମିଳିବ, ଏବଂ ଏକାଧିକ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଭିତରେ ମଧ୍ୟ ଦାୟିତ୍ୱ ସଠିକ ଭାବେ ଆବଂଟନ କରାଯିବ ବୋଲି ଜଣାପଡିଛି ।

ଉଭୟ ଆଇଏଏସ ଓ ଆଇପିଏସ ସ୍ତରରେ ଆଗାମୀ ଦିନରେ ବଡ ଧରଣର ପରିବର୍ତ୍ତନ ହେବ । ଅନୁମାନ କରାଯାଉଛି ପାଟକୁରା ନିର୍ବାଚନ ପରେ ଏହି ଅଦଳ ବଦଳ ହେବ ।