ଅଧିକ ଲୁଣ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ । ମାତ୍ରାଧିକ ଲୁଣ ନେଇଯାଇପାରେ ଜୀବନ । ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

152

କନକ ବ୍ୟୁରୋ: ଅଧିକ ଲୁଣ ଖାଉଛନ୍ତି କି ? ସଜାଗ ହୋଇଯାନ୍ତୁ, ଲୁଣ ନେଇପାରେ ଜୀବନ । ତେବେ କୁହାଯାଏ, ରୋଷେଇ ଘରେ ଲୁଣ ନଥିଲେ ସବୁକିଛି ଓଲଟପାଲଟ ହୋଇଯାଏ । କାରଣ ଖାଦ୍ୟରେ ଲୁଣ ନପଡିଲେ ଖାଦ୍ୟ ସ୍ୱାଦହୀନ ହୋଇଯାଏ । ଖାଦ୍ୟରେ ଅଧିକ ଲୁଣ ପଡିଗଲେ ଖାଦ୍ୟର ମାନ ବି ବିଗିଡିଯାଏ । କିନ୍ତୁ କେତେ ପରିମାଣରେ ଲୁଣ ଖାଇବା ଉଚିତ୍ ସେନେଇ ଅଧିକାଂଶ ଲୋକ ଗୁରୁତ୍ୱ ଦେଇନଥାନ୍ତି । କିନ୍ତୁ ଆଖିକୁ ସାମାନ୍ୟ ଦେଖାଯାଉଥିବା ଏହି ଲୁଣ ଆପଣଙ୍କ ଜୀବନ ନେଇପାରେ ।

ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଏହା ହିଁ ସତ । ମାତ୍ରାଧିକ ଲୁଣ ଖାଇଲେ ଆପଣଙ୍କ ଜୀବନ ଯାଇପାରେ ବୋଲି ସତର୍କ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ ମାତ୍ରାଧିକ ଲୁଣ ଖାଇବାରୁ ହୃଦଘାତ, ଷ୍ଟ୍ରୋକ ଓ କିଡନୀ ରୋଗ ଯୋଗୁଁ ପ୍ରତି ବର୍ଷ ୨୫ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି ।

ଜଳଖିଆଠାରୁ ରାତ୍ରି ଭୋଜନ ଯାଏଁ ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟରେ ଲୁଣ ବ୍ୟବହାର ହେଉଛି । ସୋଡିୟମ ଓ କ୍ଲୋରାଇଡ ଉପାଦାନରେ ତିଆରି ହୁଏ ଲୁଣ । ସାଧାରଣତଃ ସ୍ୱାଦ ପାଇଁ ଲୁଣର ବ୍ୟବହାର କରାଯାଉଥିବାବେଳେ ଶରୀର ପାଇଁ ଏହାର ବହୁ ଆବଶ୍ୟକତା ରହିଛି । ଆପଣ ଭାବୁଥିବେ ଯଦି ଶରୀର ପାଇଁ ଲୁଣର ଏତେ ଆବଶ୍ୟକତା ରହିଛି ତେବେ ଲୁଣ ଖାଇଲେ ସମସ୍ୟା କଣ । କିନ୍ତୁ ବିଶେଷଜ୍ଞଙ୍କ ମତ ଅନୁସାରେ..

  • ମାତ୍ରାଧିକ ଲୁଣ ଖାଇଲେ ପ୍ରଥମେ ବଢିଯାଏ ରକ୍ତ ଚାପ
  • କେବଳ ଏତିକି ନୁହଁ , ମାତ୍ରାଧିକ ଲୁଣ ଖାଇଲେ ହୃଦରୋଗ ହେବାର ବହୁ ସମ୍ଭାବନା ରହିଛି
  • ଏଥିସହ ଆବଶ୍ୟକତାଠାରୁ ଲୁଣ ଖାଇଲେ କିଡନୀ ଉପରେ ପ୍ରଭାବ ପଡିଥାଏ
  • ସେଥିପାଇଁ କିଡନୀ ରୋଗୀ ଦିନକୁ ମାତ୍ର ୨ ଗ୍ରାମ ଓ ସାଧାରଣ ମଣିଷ ଦିନକୁ ମାତ୍ର ୫ ଗ୍ରାମରୁ କମ୍ ଲୁଣ ଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସୂଚନା ଅନୁଯାୟୀ ପ୍ରାୟତଃ ସମସ୍ତେ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି । ଅନେକ ସମୟରେ ମାତ୍ର ଗୋଟିଏ ଓଳି ଖାଦ୍ୟରେ ଦୁଇ ଦିନର ଲୁଣ ଖାଉଛନ୍ତି ଅନେକ । ତେବେ ସ୍ୱାସ୍ଥ୍ୟ ଭଲ ରଖିବାକୁ ହେଲେ ଖାଦ୍ୟରୁ ଲୁଣର ପରିମାଣ କମାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।