ବିଶ୍ୱ ସମୁଦାୟକୁ ଡବ୍ଲୁଏଚଓର ଚେତାବନୀ: କରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ବାଣ୍ଟନି ବିପଦ ମୁକ୍ତ ସାର୍ଟିଫିକେଟ; କରୋନା ଆକ୍ରାନ୍ତ ସୁସ୍ଥ ହେଲେ ବି ଦ୍ୱିତୀୟ ଥର ସଂକ୍ରମିତ ହେବେନି ବୋଲି ମିଳିନାହିଁ କୌଣସି ପ୍ରମାଣ

569

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ପୁଣି ଏହି ମହାମାରୀ ଭୂତାଣୁ ଦ୍ୱାରା ସଂକ୍ରମିତ ହେବେ ନାହିଁ, ଏପରି କୌଣସି ପ୍ରମାଣ ମିଳିନାହିଁ । ଶନିବାର ଟୁଇଟ କରି ବିଶ୍ୱବାସୀଙ୍କୁ ସତର୍କ କରାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱରେ କରୋନା କବଳରୁ ପ୍ରାୟ ୬ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି । ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଟୁଇଟ ସେମାନଙ୍କ ଚିନ୍ତା ବଢାଇ ଦେବ । ଡବ୍ଲୁଏଚଓ ଟୁଇଟରେ ଲେଖିଛି କରୋନାରେ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ଶରୀରରେ ଏଂଟବଡିଜ ଅଛି ଓ ସେମାନେ ଦ୍ୱିତୀୟ ଥର କରୋନା ଭୁତାଣୁରେ ଆକ୍ରାନ୍ତ ହେବେ ନାହିଁ । ବର୍ତମାନ ସୁଦ୍ଧା ଏପରି କୌଣସି ପ୍ରମାଣ ମିଳିନାହିଁ ।

ପୂର୍ବରୁ ଡବ୍ଲୁଏଚଓ ମୁଖ୍ୟ କହିଥିଲେ, କରୋନା ଏବେ ଆହୁର ଭୟଙ୍କର ରୁପ ଦେଖାଇବ ଓ ଆମ ସହ ଲମ୍ବା ସମୟ ଯାଏଁ ରହିବ । କିଛି ଦେଶରେ ଲକଡାଉନ କଟକଣା କୋହଳ କରୁଥିବା ପରିପ୍ରେକ୍ଷୀରେ ଏପରି ବୟାନ ଦେଇଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାରା ଦୁନିଆର ସରକାରଙ୍କୁ ସତର୍କ କରାଇ ଦେଇ କହିଛି, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଇମ୍ୟୁନିଟି ପାସପୋର୍ଟ, ରିକ୍ସ ଫ୍ରି ସାର୍ଟିଫିକେଟ ନ ବାଂଟ । କାରଣ କରୋନାରୁ ସୁସ୍ଥ ବ୍ୟକ୍ତି ସଂପୂର୍ଣ୍ଣ ସୁରକ୍ଷିତ ଏହାର କୌଣସି ନିଶ୍ଚିତତା ମଧ୍ୟ ନାହିଁ । କୁହାଯାଉଛି ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ମହାମାରୀ ଭୂତାଣୁକୁ ନେଇ ସତର୍କ ପଦକ୍ଷେପ ନେବା ବନ୍ଦ କରିଦେଇପାରନ୍ତି । ଏପରି ସମ୍ଭାବନାକୁ ଆଖିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଚେତାବନୀ ଜାରି କରିଥାଇପାରେ ।