କନକ ବ୍ୟୁରୋ : ବିଶ୍ୱରେ କରୋନା ମହାମାରୀ ପୁଣି କାୟା ବିସ୍ତାର କରୁଥିବା ବେଳେ ଏବେ ଆଉ ଏକ ରହସ୍ୟମୟୀ ରୋଗ ନିଜର ପ୍ରକୋପ ଦେଖାଇବା ଆରମ୍ଭ କଲାଣି । ଆଉ ଏହି ରୋଗ କୁନି ଶିଶୁଙ୍କ ଠାରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏବେ ପର୍ଯ୍ୟନ୍ତ ୧୨ ଦେଶରେ ୧୬୯ ମାମଲା ସାମ୍ନାକୁ ଆସିଲାଣି । ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏନେଇ ସର୍ତକତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, କୁନି ଶିଶୁଙ୍କ ଠାରେ ଏବେ ରହସ୍ୟମୟୀ ହେପାଟାଇଟିସ ବ୍ୟାପିବା ଆରମ୍ଭ ହୋଇଛି । ଏପରିକି ଏହି ରୋଗରେ ଜଣେ କୁନି ଶିଶୁର ମୃତ୍ୟୁ ମଧ୍ୟ ହୋଇଛି । ବିଭିନ୍ନ ଦେଶରୁ ଆସିଥିବା ମାମଲାକୁ ଅନୁଧ୍ୟାନ କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ରୋଗ ହେବା ଦ୍ୱାରା କୁନି ଶିଶୁଙ୍କ ଯକୃତରେ ଜଳାପୋଡା ହେଉଛି । ୨୧ ଏପ୍ରିଲ ପର୍ଯ୍ୟନ୍ତ ବ୍ରିଟେନ, ଆମେରିକା, ସ୍ପେନ, ଇସ୍ରାଏଲ, ଡେନମାର୍କ, ଆୟରଲାଣ୍ଡ, ନେଦରଲାଣ୍ଡ, ଇଟାଲୀ, ନରୱେ, ଫ୍ରାନ୍ସ, ରୋମାନିଆ ଓ ବେଲଜିୟମ ଠାରେ ଏହି ରୋଗ ଚିହ୍ନଟ କରାଯାଇଛି । ଆଉ ସବୁଠୁ ବଡ କଥା ହେଲା, ୧୬୯ ମାମଲାରୁ ୧୧୪ଟି ମାମଲା କେବଳ ବ୍ରିଟେନରୁ ଚିହ୍ନଟ ହୋଇଛି ।
ଏହି ରହସ୍ୟମୟୀ ହେପାଟାଇଟିସ ଗୋଟିଏ ମାସର କୁନି ଶିଶୁଙ୍କ ଠାରୁ ଆରମ୍ଭ କରି ୧୬ ବର୍ଷ ପିଲାଙ୍କ ଠାରେ ଦେଖିବାକୁ ମିଳୁଛି । ଏପରିକି ଏହି ରୋଗରେ ପୀଡିତ ୧୭ ଜଣ କୁନି ଶିଶୁଙ୍କ ଯକୃତ ପ୍ରତ୍ୟାରୋପଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ୧୬୯ ମାମଲାରୁ ୭୪ ମାମଲାରେ ଏଡିନୋଭାଇରାସ ନାମକ ଏକ ଭାଇରସ ଚିହ୍ନଟ କରାଯାଇଛି । ଏହାଛଡା ୨୦ ପିଲାଙ୍କ ଠାରେ କରୋନା ମାମଲା ଚିହ୍ନଟ ହୋଇଛି । ସେହିଭଳି ୧୯ କୁନି ଶିଶୁ ଏମିତି ଅଛନ୍ତି ଯେଉଁମାନଙ୍କ ଠାରେ ଉଭୟ କରୋନା ଓ ଏଡେନୋଭାଇରସ ସଂକ୍ରମଣ ଚିହ୍ନଟ ହୋଇଛି ।