ଚେନ୍ନାଇରେ ଅଭାବନୀୟ ଘଟଣା । ସିବିଆଇ ହେପାଜତରୁ ୧୦୩ କିଲୋ ସୁନା ଗାଏବ । ହାଇକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଘଟଣାର ପର୍ଦ୍ଦାଫାସ୍

487

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଓ ବିଶ୍ୱସନୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ହେପାଜତରେ ଥିବା ୧୦୩ କିଲୋ ସୁନା ଗାଏବ ହୋଇଯାଇଛି । ଏଭଳି ଘଟଣା ଘଟିଛି ତାମିଲନାଡୁର ରାଜଧାନୀ ଚେନ୍ନାଇରେ । ଏଠାରେ ଥିବା ସିବିଆଇର ଏକ କାର୍ଯ୍ୟାଳୟରୁ ୧୦୩ କିଲୋ ସୁନା ଗାଏବ ହୋଇଯାଇଛି । ଗାଏବ ହୋଇଥିବା ସୁନାର ଆନୁମାନକ ମୂଲ୍ୟ ୪୫ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ଏନେଇ ମାଡ୍ରାସ ହାଇକୋର୍ଟ ସିବି-ସିଆଇଡିକୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣା ଲୋକଲୋଚନକୁ ଆସିଛି ।

ସୂଚନା ମୂୁତାବକ ସିବିଆଇ ୨୦୧୨ ମସିହାରେ ଚେନ୍ନାଇର ସୁରାନା କାର୍ଯ୍ୟାଳୟରେ ଚଢାଉ କରି ୪୦୦ କିଲୋ ସୁନା ଜବତ୍ କରିଥିଲା । ହେଲେ ଏବେ ସେହି ୪୦୦ କିଲୋ ସୁନାରୁ ୧୦୩ କିଲୋ ସୁନା ଉଭାନ ହୋଇଯାଇଛି । ଏନେଇ ସିବିଆଇ କହିଛି ଯେ ଚେନ୍ନାଇରେ ଥିବା ସିବିଆଇର ମୁଖ୍ୟ କାର୍ଯ୍ୟାଳୟ ଲକର ପାଇଁ ୭୨ ଟି ଚାବି ପ୍ରଦାନ କରାଯାଇଥିଲା । ହେଲେ ଏହି ଚାବି ବିଭିନ୍ନ କର୍ମଚାରୀଙ୍କ ପାଖରେ ରହୁଥିଲା । ସିବିଆଇ ନିଜ ଉପରୁ ଦୋଷ ହଟାଇବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ସିବିଆଇର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି କି ଯେତେବେଳେ ସୁନା ଜବତ ହୋଇଥିଲା ସୁନାର ସମସ୍ତ ରଡକୁ ଏକ ସଂଗେ ଓଜନ କରାଯାଇଥିଲା । ହେଲେ ଏବେ ତାହାକୁ ଅଲଗା ଅଲଗା କରି ଓଜନ କରିବା ଦ୍ୱାରା ଓଜନରେ ଗଡ ବଡ ହେଉଛି । ହେଲେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରକାଶ ସିବିଆଇର ଏଭଳି ଦାବିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ସେ ସିବି-ସିଆଇଡିର ଜଣେ ଏସପି ପାହ୍ୟାର ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କହିଛନ୍ତି କି ୬ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ।

ଅନ୍ୟପଟେ ବିଚାରପତିଙ୍କୁ ସିବିଆଇ ତରଫରୁ କୁହାଯାଇଥିଲା କି ଯଦି ଏହି ମାମଲାର ତଦନ୍ତ ସ୍ଥାନୀୟ ପୋଲିସ ଦ୍ୱାରା କରାଯାଏ ତେବେ ସେମାନଙ୍କ ପ୍ରତିଷ୍ଠା ଉପରେ ପ୍ରଭାବ ପଡିବ । ଏହାକୁ ନେଇ ବିଚାରପତି କହିଥିଲେ କି ଏହାର ଅର୍ଥ କେବଳ ସିବିଆଇ ହିଁ ବଡ ବଡ ମାମଲାର ଯାଂଚ କରିପାରିବ ଓ ସ୍ଥାନୀୟ ପୋଲିସ ଦ୍ୱାରା କୌଣସି କାର୍ଯ୍ୟ ହୋଇପାରିବ ନାହିଁ । ହେଲେ ଆଇନ ଏପରି ଆକ୍ଷେପକୁ ଅନୁମତି ଦିଏ ନାହିଁ , ସମସ୍ତ ପୋଲିସ କର୍ମୀଙ୍କ ଉପରେ ଭରସା କରାଯିବା ଉଚିତ ବୋଲି ଜଷ୍ଟିସ ମତ ଦେଇଥିଲେ ।