ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟକୁ ନେଇ ଚିନ୍ତା ପ୍ରକଟ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ, କହିଲା ବିଶ୍ୱ ପାଇଁ ଚିନ୍ତାର କାରଣ ।

256

କନକ ବ୍ୟୁରୋ: ଭାରତରେ ଦେଖା ଦେଇଥିବା କରୋନାର ଡବଲ ମ୍ୟୁଟାଂଟ୍ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ଖୁବ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଡବ୍ଲୁଏଚଓ । ଏକ ସାମ୍ବାଦିକ ସମ୍ମିଳନୀ କରି ଡବ୍ଲୁଏଚଓ କହିଛି ଭାରତରେ ଦେଖା ଦେଇଥିବା କରୋନାର ନୂଆ ରୁପ- ବି.୧.୬୧୭ ଗତବର୍ଷ ଅକ୍ଟୋବର ବେଳକୁ ଚିହ୍ନଟ ହୋଇଥିଲା । ରୁପ ବଦଳାଇବା ପରେ ମୂଳ ଭୂତାଣୁ ଅପେକ୍ଷା ଏହା ଅଧିକ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ଏଥିସହ ନିଜର ଅସ୍ଥିିତ୍ୱ ବଜାୟ ରଖିବା ପାଇଁ ଏହି ନୂଆ ପ୍ରକାର ଭୂତାଣୁ ଅନେକ ବିକଶିତ ହୋଇସାରିଛି । ତେଣୁ ଏହାକୁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ତେବେ ଡବ୍ଲୁଏଚଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଭାରତରେ ଦେଖାଦେଇଥିବା ମ୍ୟୁଟାଂଟ ବିରୋଧରେ ସମସ୍ତ କରୋନା ଟିକା ପ୍ରଭାବୀ ହୋଇପାରିବ । ତେଣୁ ଟିକାକରଣକୁ ଜୋରଦାର କରିପାରିଲେ ଏହି ଭୂତାଣୁର ପ୍ରଭାବ ବିଶ୍ୱରେ କମାଯାଇ ପାରିବ ।

କୁହାଯାଉଛି କରୋନାର ଡବଲ ମ୍ୟୁଟାଂଟ ଯୋଗୁଁ ଭାରତରେ ଦ୍ୱିତୀୟ ଲହରରେ କରୋନା ଭୟଙ୍କର ରୂପ ଧାରଣ କରିଛି । ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବା ସହ ତାଣ୍ଡବ ରଚି ଚାଲିଛି । ଏପରିକି ଏହି ଡବଲ ମ୍ୟୁଟାଂଟ ଯୋଗୁଁ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି ।