ଯୁଦ୍ଧ ମୁହାଁ ଇରାନ-ଆମେରିକା! ଜାଣନ୍ତୁ କାହାର ସୈନ୍ୟବଳ କେତେ, ଯୁଦ୍ଧ ହେଲେ ପୂରା ବିଶ୍ୱରେ ଏହାର କଣ ପଡିବ ପ୍ରଭାବ?

2,360

ଇରାନ-ଆମେରିକା ମଧ୍ୟରେ ତିକ୍ତତା ଯେ କେଉଁ ମୁହୂର୍ତ୍ତରେ ଯୁଦ୍ଧର ରୂପ ନେବ ତାହା କହିବା ମୁସ୍କିଲ । ଏପରିକି ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ହେଲେ ଏହା ତୃତୀୟ ବିଶ୍ୱଯୁଦ୍ଧ ପାଇଁ ମୂଳଦୁଆ ପକାଇବ ବୋଲି ଚର୍ଚ୍ଚା ହେଉଛି । ଆମେରିକା ଡ୍ରୋନ ଆକ୍ରମଣ କରି ଇରାନର ମେଜର ଜେନେରାଲ କାଶିମ ସୁଲେମାନିଙ୍କୁ ହତ୍ୟା କରିବା ଓ ଇରାନ ପ୍ରତିଶୋଧ ନେବାକୁ ଇରାକରେ ଥିବା ଆମେରିକୀୟ ଦୂତାବାସ ଉପରେ ରକେଟ ମାଡ କରିବା ପରେ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ଏସବୁ ଦୃଷ୍ଟିରେ ରଖି ଇରାକ ବାଗଦାଦ ଆଖପାଖ ଅଞ୍ଚଳରେ ଇମରଜେନ୍ସି ଘୋଷଣା କରିଛି । ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତାର ପ୍ରଭାବ ପୂରା ବିଶ୍ୱରେ ପଡିଛି । ତେବେ ସାମରିକ ଦୃ୍ଷ୍ଟି କୋଣରୁ ଇରାନ ଠାରୁ ଆମେରିକା ବେଶ ଶକ୍ତିଶାଳୀ ଥିଲେ ମଧ୍ୟ ଇରାନ ମଧ୍ୟ ଋଷ ଓ ଚୀନ ବଳରେ ବେଶ ବଳୀୟାନ । ଏସବୁ ଭିତରେ ନଜର ପକାନ୍ତୁ କେଉଁ ଦେଶ କେତେ ଶକ୍ତିଶାଳୀ ।

ଆମେରିକା ନିକଟରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ତଥା ବଡ ସେନା ରହିଛି । ବିଶ୍ୱର ସବୁ ଦେଶ ମଧ୍ୟରେ ଆମେରିକା ସେନା ଏକ ନମ୍ବର ସ୍ଥାନରେ ରହିଛି । ସେହିଭଳି ଏହି ତାଲିକାର ୧୪ତମ ସ୍ଥାନରେ ରହିଛି ଇରାନ । ଆମେରିକା ପାଖରେ ମୋଟ ୧୦୧୭୦ଟି ଏୟାରକ୍ରାଫ୍ଟ ଓ ହେଲିକପ୍ଟର ରହିଛି । ତେବେ ଇରାନ ପାଖରେ ମାତ୍ର ୫୧୨ଟି ଏୟାରକ୍ରାଫ୍ଟ ଓ ହେଲିକପ୍ଟର ରହିଛି । ସେହିଭଳି ୪୮,୪୨୨ଟି ଟ୍ୟାଙ୍କ ଓ ତୋପ ଆମେରିକା ପାଖରେ ଥିବା ବେଳେ ମାତ୍ର ୮୫୭୭ଟି ଟ୍ୟାଙ୍କ ଓ ତୋପ ଇରାନ ସେନା ପାଖରେ ରହିଛି ।

ଇରାନ ପାଖରେ ଆକ୍ରମଣ କରିପାରୁଥିବା ୧୦୦ଟି ହେଲିକପ୍ଟର ରହିଛି । କିନ୍ତୁ ଆମେରିକା ପାଖରେ ଏହାର ୬୪ ଗୁଣ ଅଧିକ ଅଥାର୍ତ ୬୪୧୭ଟି ଆକ୍ରମଣ କରିପାରୁଥିବା ହେଲିକପ୍ଟର ରହିଛି । ଆମେରିକା ପାଖରେ ୧୨ ଲକ୍ଷ ୮୧ ହଜାର ସୈନିକ ଥିବା ଏକ ବିଶାଳ ସେନା ରହିଛି । ଇରାନ ପାଖରେ କିନ୍ତୁ ଆମେରିକା ଠାରୁ ଅପେକ୍ଷାକୃତ କମ ଅଥାର୍ତ ୫ ଲକ୍ଷ ୨୩ ହଜାର ସୈନ୍ୟ ରହିଛନ୍ତି । ତେବେ ଉଭୟ ଦେଶ ପାଖରେ ପାଖାପାଖି ସମାନ ସଂଖ୍ୟକ ବୁଡା ଯୁଦ୍ଧ ଜାହାଜ ରହିଛି । ଆମେରିକା ନିକଟରେ ୪୧୫ଟି ବୁଡା ଜାହାଜ ରହିଥିବା ବେଳେ ଇରାନ ପାଖରେ ୩୯୮ଟି ବୁଡା ଜାହାଜ ରହିଛି ।

ଅସ୍ତ୍ରଶସ୍ତ୍ର ମାମଲାରେ ଇରାନ ଠାରୁ ବହୁତ ଆଗରେ ରହିଛି ଆମେରିକା । କିନ୍ତୁ ଇରାନର ସବୁଠୁ ବଡ ଶକ୍ତି ହେଉଛି ଛୋଟ ଓ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଯାହା ସାହାଯ୍ୟରେ ଆମେରିକା ସମର୍ଥନରେ ବାହାରିଥିବା ଇସ୍ରାଏଲ, କିଛି ଆରବ ଦେଶ ଓ ମଧ୍ୟପ୍ରାଚ୍ୟରେ ଥିବା ଆମେରିକା ସେନା ଶିବିର ଉପରେ ଆକ୍ରମଣ କରିପାରିବ ଇରାନ । ଏହାଛଡା ଇରାନର ଆଉ ଏକ ବଡ ଶକ୍ତି ହେଉଛି ତୈଳ ଭଣ୍ଡାର । ଯଦି ଯୁଦ୍ଧ ଭଳି ସ୍ଥିତି ଉପୁଜେ ତେବେ ତେଲ ରପ୍ତାନୀ ବନ୍ଦ କରି ପୂରା ବିଶ୍ୱର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଇପାରିବ ଇରାନ । ତେଣୁ ଏବେ ଉଭୟ ଦେଶ ନ ଲଢି ଶାନ୍ତି ବଜାୟ ରଖିବାକୁ ଅଧିକାଂଶ ଦେଶ ଅପିଲ କରିଛନ୍ତି ।