୨୦୨୩ ବିଶ୍ୱକପ୍ ପରେ କିଏ ହେବ ଟିମ୍ ଇଣ୍ଡିଆର କ୍ୟାପଟେନ୍? ଏହି ଖେଳାଳିଙ୍କ ନାଁ କହିଲେ ପୂର୍ବତନ କୋଚ୍ ରବି ଶାସ୍ତ୍ରୀ । ଜାଣନ୍ତୁ, କିଏ ସେହି ଖେଳାଳି….

1,274

କନକ ବ୍ୟୁରୋ: କିଏ ହେବ ଟିମ୍ ଇଣ୍ଡିଆର ଭବିଷ୍ୟତ? କିଏ ହେବ ଟିମ୍ ଇଣ୍ଡିଆର ଆଗାମୀ କ୍ୟାପଟେନ୍? ରୋହିତ ଶର୍ମାଙ୍କ ପରେ କିଏ ସମ୍ଭାଳିବ ଅଧିନାୟକ ପଦ? ଏ ସବୁ ପ୍ରଶ୍ନକୁ ନେଇ ଏବେ ବି କ୍ରିକେଟ୍ ପଣ୍ଡିତମାନେ ଆକଳନ କରୁଥିବାବେଳେ, ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଦେଇଛନ୍ତି ବଡ ବୟାନ ।

ରବି ଶାସ୍ତ୍ରୀଙ୍କ କହିବା ମୁତାବକ, ଚଳିତ ବର୍ଷ ଶେଷ ଆଡକୁ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ପରେ ରୋହିତ ଶର୍ମାଙ୍କ ଠାରୁ ଟିମ୍ ଇଣ୍ଡିଆର ଅଧିନାୟକ ପଦ ଫେରାଇ ନିଆଯିବା ଉଚିତ୍ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ସହ ଦିନିକିଆରେ ଅଧିନାୟକ ଦାୟିତ୍ୱ ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି । ତେବେ ରୋହିତ ହିଁ ଦିନିକିଆ ବିଶ୍ୱକପରେ ଦଳର ଅଧିନାୟକ ରହିବେ, ସେଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି କହିଛନ୍ତି ଶାସ୍ତ୍ରୀ ।

ରବି ଶାସ୍ତ୍ରୀଙ୍କ କହିଛନ୍ତି ଯେ, ଉଭୟ ଦିନିକିଆ ଏବଂ ଟି-୨୦ରେ ହାର୍ଦ୍ଦିକଙ୍କୁ ନିୟମିତ ଅଧିନାୟକ କରିଦେବା ଉଚିତ୍ । ତେବେ ଏବେ ସେ କେବଳ ଟି-୨୦ରେ ଦଳର ନେତୃତ୍ୱ ନେଉଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୨ ଟି-୨୦ ବିଶ୍ୱକପ୍ ହାରିବା ପରେ ହାର୍ଦ୍ଦିକଙ୍କୁ ଟି-୨୦ ଦଳର ନେତୃତ୍ୱ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ପୂର୍ବରୁ କେ ଏଲ ରାହୁଲ ଏବଂ ରିଷଭ ପନ୍ତଙ୍କୁ ଟିମ ଇଣ୍ଡିଆର ଭବିଷ୍ୟତ କ୍ୟାପଟେନ୍ ଭାବେ ଦେଖାଯାଉଥିଲା । ହେଲେ ଏବେ ଉଭୟ ଦଳଠାରୁ ଦୂରରେ ଅଛନ୍ତି । ଶ୍ରେୟାସ ଆୟର ମଧ୍ୟ ଲଗାତାର ଆହତ ସମସ୍ୟା ସହ ଲଢୁଛନ୍ତି । ତେଣୁ ଏପରି ସ୍ଥିତିରେ ହାର୍ଦ୍ଦିକଙ୍କୁ ଅଧିନାୟକ ଭାର ଦେବାକୁ ବିସିସିଆଇ ଚିନ୍ତା କରିବା ଉଚିତ୍ । ପୂର୍ବରୁ ମଧ୍ୟ ସେ ଆଇପିଏଲରେ ଚମକ୍ରାର ଅଧିନାୟକ ଭାର ସମ୍ଭାଳି, ନିଜ ଟିମକୁ ଦୁଇଟି ସିଜିନରେ ଦୁଇଥର ଫାଇନାଲକୁ ନେଇସାରିଛନ୍ତି । ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସ ଚାମ୍ପିୟନ୍ ମଧ୍ୟ ହୋଇସାରିଛି ।