ସଲମାନଙ୍କ ଘର ଉପକୁ ଗୁଳି ମାରିଲା କିଏ? ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍

104

କନକ ବ୍ୟୁରୋ: ମୁମ୍ବାଇରେ ସୁପରଷ୍ଟାର ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ ଘଟଣା ସାରା ଦେଶରେ ବେଶ୍ ଚର୍ଚ୍ଚାରେ ରହିଛି । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ହେଲେ ପ୍ରଶ୍ନ ଉଠୁଛି ସଲମାନ ଖାନଙ୍କ ଘର ଉପରକୁ ଫାଙ୍କା ଗୁଳିଚାଳନା କରି କଣ ସମ୍ବାଦ ଦେବାକୁ ଚାହୁଁଛି ବିଷ୍ଣୋଇ ଗ୍ୟାଙ୍ଗ୍ ।

ଦବଙ୍ଗ ଖାନଙ୍କ ଘର ଉପରକୁ ଗୁଳିଚାଳନା ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ଦବଙ୍ଗ ଖାନଙ୍କ ମୁମ୍ବାଇ ସ୍ଥିତ ଗାଲାକ୍ସି ଆପାର୍ଟମେଂଟ୍ ଉପରେ ଦୁଇ ସନ୍ଦୀଗ୍ଧ ବାଇକ୍ ଆରୋହିଙ୍କ ଗୁଳି ମାଡ ଘଟଣାକୁ ନେଇ ନିଜକୁ ଦାୟୀ କରିଛି ବିଷ୍ଣୋଇ ଗ୍ୟାଙ୍ଗ୍ । ଜେଲ୍ରେ ଥିବା ଲରେନ୍ସ ବିଷ୍ଣୋଇ ସଲମାନ ହତ୍ୟା କରିବାର ଏକାଧିକ ଥର ଧମକ୍ ଦେଇଥିବାବେଳେ ତାଙ୍କ ଘର ଉପରକୁ ଗୁଳି ଚାଳନା କରି କୋକୁଆ ଭୟ ସୃଷ୍ଟି କରିବାକୁ ଚାହିଁଛି ଗ୍ୟାଙ୍ଗଷ୍ଟାର । ଦବଙ୍ଗ ଖାନଙ୍କ ପାଖରେ ପହଁଚିବା ଅସମ୍ଭବ ନୁହେଁ, ତାହା ଏ ଆକ୍ରମଣ ଜରିଆରେ ଚେତାଇବାକୁ ଚେଷ୍ଟା କରିଛି ବିଷ୍ଣୋଇ ଗ୍ୟାଙ୍ଗ୍ । ତେବେ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବାଂଚ । ଟିକନିକ ଯାଂଚ ପାଇଁ ୧୫ ଜଣିଆ ଟିମ୍ ଗଠନ କରାଯାଇଛି । ସିସିଟିଭି ଫୁଟେଜ ଖୋଲତାଡ କରି ସୁରାକ ଖୋଜୁଛି ମୁମ୍ବାଇ ପୁଲିସ । ଏଥିସହ ମୁମ୍ବାଇ ବାନ୍ଦ୍ରାରୁ ଏକ ସନ୍ଦିଗ୍ଧ ବାଇକ ଜବତ କରାଯାଇଛି । ଦୁବୁର୍ତମାନେ ଏହି ବାଇକ ବ୍ୟବହାର କରିଥିବା ଅନୁମାନ କରାଯାଉଛି ।

ସେପଟେ ସିସିଟିଭିର କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇ ଅଭିଯୁକ୍ତ ଗୁଳିଫୁଟାଇବା ପରେ ବାଇକରେ ଯାଉଥିବା ଦେଖିବାକୁ ମିଳିଛି । ୧୩ ସେକେଣ୍ଡର ଭିଡିଓ ପ୍ରମାଣ ଆଧାରରେ ମୁମ୍ବାଇ କ୍ରାଇମବ୍ରାଂଚ ଜୋରଦାର କରିଛି ତଦନ୍ତ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ସଲମାନଙ୍କ ଘର ବାହାରେ ଗୁଳିଫୁଟାଇବା ପରେ ଅଭିଯୁକ୍ତ ବାନ୍ଦ୍ରାକୁ ଚାଲିଯାଇଥିଲେ । ବାଇକକୁ ଅଧାରାସ୍ତାରେ ଛାଡି ଅଟୋରେ ବସି ଫେରାର ହୋଇଥିଲେ । ତେବେ ଦୁଇ ଅଭିଯୁକ୍ତ ମହାରାଷ୍ଟ୍ରର ଛାଡି ହରିୟାଣା କିମ୍ବା ରାଜସ୍ଥାନରେ ଲୁଚି ଥାଇପାରନ୍ତି ବୋଲି ପୁଲିସ କହିଛି । ରବିବାର ଭୋର ୫ଟା ସମୟରେ ଗାଲାକ୍ସି ଆପାଟାମେଂଟ ବାହାରେ ଗୁଳି ଫୁଟିଥିଲା । ପ୍ରତ୍ୟେକ୍ଷଦର୍ଶୀ ଓ ସୁରକ୍ଷାକର୍ମୀଙ୍କ ବୟାନ ଅନୁସାରେ ଅଭିଯୁକ୍ତ ସଲମାନଙ୍କ ଘର ବାହାରେ ୫ରାଉଣ୍ଡ ଗୁଳିଫୁଟାଇ ଫେରାର ହୋଇଥିଲେ ।

କୃଷ୍ଣସାର ମୃଗ ହତ୍ୟା ମାମଲାରେ, ବିଷ୍ଣୋଇ ସମାଜକୁ ବିଧିବଦ୍ଧ ଭାବେ କ୍ଷମା ମାଗିବାକୁ ସଲମାନଙ୍କୁ ବାରମ୍ବାର ଧମକ ଦେଇ ଆସିଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ । କ୍ଷମା ନମାଗିଲେ ହତ୍ୟା କରିବାକୁ ଧମକ୍ ଦେଇଛି ବିଷ୍ଣୋଇ । ଏହାକୁ ନେଇ ଏକାଧିକ ବାର ରେକି କରାଯାଇଥିବାବେଳେ ଏବେ ଦବଙ୍ଗ ଖାନଙ୍କ ଘର ଉପରକୁ ଗୁଳି ମାଡ କରି ଭୟ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଛି ।