ଇଶାନଙ୍କୁ ଓପନିଂ ବ୍ୟାଟିଂ କରିବାକୁ ପଠାଇଥିଲା କିଏ? ନ୍ୟୁଜିଲାଣ୍ଡ ବିପକ୍ଷରେ କିଏ ନେଇଥିଲା ଏହି ନିଷ୍ପତ୍ତି, ବ୍ୟାଟିଂ କୋଚ୍ କହିଲେ ପୂରା କାହାଣୀ ।

2,301

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପରାଜିତ ହେବା ପରେ ଭାରତୀୟ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ ଉଠାଇଛନ୍ତି କ୍ରିକେଟ ପ୍ରଂଶସକ । ରୋହିତଙ୍କ ବଦଳରେ ଇଶାନ କିଷାନଙ୍କୁ କିଭଳି ଓପନିଂ ପାଇଁ ପଠାଗଲା ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ଏଭଳି ନିଷ୍ପତ୍ତି କିଏ ଏବଂ କାହିଁକି ନିଆଗଲା ତାହାକୁ ନେଇ ଚର୍ଚ୍ଚା ହେଉଥିଲା । ଆଉ ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର । ସାମ୍ବାଦିକ ସମ୍ମିଳନୀରେ ଏହା ଉପରୁ ପରଦା ହଟାଇଛନ୍ତି ବିକ୍ରମ ।

ଇଶାନ କିଷାନଙ୍କୁ ଓପନିଂ ପଠାଇବା ନିଷ୍ପତ୍ତି ବାବଦରେ ବିକ୍ରମ କହିଛନ୍ତି, ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଯେଉଁଥିପାଇଁ ସୂର୍ଯ୍ୟ କୁମାରଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା । ଆଉ ଏଭଳି ସ୍ଥିତିରେ ଇଶାନ କିଷାନଙ୍କୁ ରାହୁଲଙ୍କ ସହ ଓପନର ଭାବେ ପଠାଇବାକୁ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିଲା । ଖୋଦ୍ ରୋହିତ ଶର୍ମା ଏହି ନିଷ୍ପତ୍ତିରେ ମଧ୍ୟ ସାମିଲ ଥିଲେ ବୋଲି କହିଛନ୍ତି ବିକ୍ରମ ।

ଇଶାନ କିଷାନ ଓପନର ଭାବେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି । ଏହାଛଡା ଅଭ୍ୟାସ ମ୍ୟାଚରେ ମଧ୍ୟ ଇଶାନଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା । ତେଣୁ ତାଙ୍କୁ ରାହୁଲଙ୍କ ସହ ଓପନର ଭାବେ ପଠାଯାଇଥିଲା । ଏହାଛଡା ଟି-୨୦ ବିଶ୍ୱକପ ପାଇଁ ଇଶାନ କିଷାନଙ୍କୁ ରିଜର୍ଭ ଓପନର ଭାବେ ଚୟନ କରାଯାଇଥିଲା । ରୋହିତ ଶର୍ମା ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ବେଳେ କୋହଲି ୪ ନମ୍ବରରେ ବ୍ୟାଟିଂ କରିଥିଲେ । ଏହାସତ୍ତେ୍ୱ ମଧ୍ୟ ଟିମ୍ ଇଣ୍ଡିଆର ଟପ୍ ଅର୍ଡର ନ୍ୟୁଜିଲାଣ୍ଡ ବୋଲରଙ୍କ ଆଗରେ ସମ୍ପୂର୍ଣ୍ଣ ଫେଲ ମାରିଥିଲା । ମାତ୍ର ୫୦ ରନ ମଧ୍ୟରେ ୪ ୱିକେଟ ହରାଇଥିଲା ବିରାଟ ବାହିନୀ ।