ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ , ୧୨୪ ଦେଶକୁ ବ୍ୟାପିଲାଣି କରୋନାର ଡେଲଟା ଭାରିଆଣ୍ଟ । କିଛିମାସ ମଧ୍ୟରେ ଆଣିପାରେ ମହାମାରୀ ଭଳି ସ୍ଥିତି

251

କନକ ବ୍ୟୁରୋ : ସାରା ବିଶ୍ୱରେ କାୟା ବିସ୍ତାର କରୁଥିବା କରୋନାର ଡେଲଟା ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି ଆସନ୍ତା କିଛିମାସ ମଧ୍ୟରେ କରୋନାର ଏହି ରୂପ ସାରା ବିଶ୍ୱରେ ମହାମାରୀ ଭଳି ସ୍ଥତି ଉପୁଜାଇ ପାରେ । କହିରଖୁ କି ଡେଲଟା ଭାରିଆଣ୍ଟର ପ୍ରଥମ ସଂକ୍ରମିତ ଭାରତରୁ ଚିହ୍ନଟ ହୋଇଥିଲେ । ଏହାପରେ ଏହା ଏବେ ସାରା ବିଶ୍ୱର ୧୨୪ ଟି ଦେଶକୁ ବ୍ୟାପି ସାରିଲାଣି ।

ଆମେରିକାରେ ଏବେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ଠାରେ ଡେଲଟା ଭାରିଆଣ୍ଟ ଚିହ୍ନଟ ହେଉଛି । ବ୍ରିଟେନ ସମେତ ଅନ୍ୟ ୟୁରୋପୀୟ ଦେଶମାନଙ୍କରେ ବି ସ୍ଥିତି ସମାନ । ଦକ୍ଷିଣ କୋରିଆ,ଇରାନ ଭଳି ଦେଶରେ ବି ଡେଲଟା ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ମୁତାବକ ଗୋଟିଏ ସପ୍ତାହ ମଧ୍ୟରେ ନୂଆ ୧୩ ଟି ଦେଶରେ ଡେଲଟା ଭାରିଆଣ୍ଟ ସଂକ୍ରମଣ ଦେଖିବାକୁ ମିଳିଛି   । ସଂଗଠନ ତରଫରୁ ମହାମାରୀ ଉପରେ ଦିଆଯାଇଥିବା ରିପୋର୍ଟରେ ଏକଥାକୁ ଅସ୍ୱିକାର କରାଯାଇ ନାହିଁ କି କରୋନାର ଆହୁରି ନୂଆ ଭାରିଆଣ୍ଟ ଆସିବାକୁ ଯାଉଛି ।

ଆପଣଙ୍କୁ କହିରଖୁ କି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଦିଆଯାଇଥିବା ରିପୋର୍ଟରେ କରୋନାର ଆଲଫା ଭାରିଆଣ୍ଟ (ପ୍ରଥମ ସଂକ୍ରମିତ ବ୍ରିଟେନରୁ ଚିହ୍ନଟ), ବିଟା ଭାରିଆଣ୍ଟ(ପ୍ରଥମ ସଂକ୍ରମିତ ଦକ୍ଷିଣଆଫ୍ରିକାରୁ ଚିହ୍ନଟ),ଗାମା ଭାରିଆଣ୍ଟ (ପ୍ରଥମ ସଂକ୍ରମିତ ବ୍ରାଜିଲରୁ ଚିହ୍ନଟ) ହୋଇଥିଲା । ସଂଗଠନର ଅପଡେଟ୍ ରିପୋର୍ଟ ମୁତାବକ ଆଲଫା ଭାରିଆଣ୍ଟ ଏବେ ବିଶ୍ୱର ୧୮୦ ଟି ଦେଶରେ ବିଟା ଭାରିଆଣ୍ଟ ବିଶ୍ୱର ୧୩୦ ଟି ଦେଶରେ ଓ ଗାମା ଭାରିଆଣ୍ଟ ବିଶ୍ୱ ୭୮ ଟି ଦେଶରେ ବ୍ୟାପି ସାରିଛି ।