କନକ ବ୍ୟୁରୋ : ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା, ରାୟଗଡ଼ାରୁ ଅଚନାକ୍ ଗାଏବ୍ ହୋଇଯିବା ପରେ ପ୍ରାୟ ୬ଘଂଟାର ବ୍ୟବଧାନ ପରେ ଅଚାନକ୍ ବ୍ରହ୍ମପୁର ଘରେ ଛାଡ଼ି ଦିଆଯିବା ଘଟଣାକୁ ନେଇ ଉଠିଛି ଏକାଧିକ ପ୍ରଶ୍ନ ।

Advertisment

ସୁରକ୍ଷିତ ଭାବେ ଘରକୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ପ୍ରଫୁଲ୍ଲ ସାମନ୍ତରାୟ । ସେ କହିଛନ୍ତି- ସରକାରୀ ଗୁଣ୍ଡା ଲଗାଇ ତାଙ୍କୁ ଉଠାଇ ନିଆଯାଇଥିଲା । ୭୨ ବର୍ଷର ଜଣେ ନାଗରିକଙ୍କୁ ଶାରୀରିକ ଓ ମାନସିକ ଯାତନା ଦିଆଯାଇଛି । ଯଦି ଏହି ଘଟଣାରେ ସରକାରୀ ଗୁଣ୍ଡା ସାମିଲ୍ ନଥିଲେ, ତେବେ କିଏ ସାମିଲ ଥିଲା ଏବଂ କ’ଣ ଉର୍ଦ୍ଦେଶ୍ୟ ଥିଲା, ତାର ତଦନ୍ତ କରାଯାଉ ବୋଲି କହିଛନ୍ତି ଲୋକଶକ୍ତି ଅଭିଯାନର ସଭାପତି । ଘଟଣାକୁ ନେଇ ସେ ମାମଲା କରିଥିବା ମଧ୍ୟ ସୂଚନା ଦେଇଛନ୍ତି ପ୍ରଫୁଲ୍ଲ ସାମନ୍ତରା ।

ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ରେ ଖଣି ଖନନ ପୂର୍ବରୁ ସ୍ଥାନୀୟ ଲୋକଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସେ ଅଭିଯୋଗ କରିଥିଲେ । ବେଦାନ୍ତ ଓ ମୈତ୍ରୀ କଂପାନୀକୁ ବିରୋଧ କରୁଥିବା ଲୋକଙ୍କୁ ବେଆଇନ ଭାବେ ଗିରଫ କରାଯାଉଥିବା ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ସେ ରାୟଗଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଥିଲା । ହେଲେ ସେ ରହୁଥିବା ହୋଟେଲରୁ ତାଙ୍କୁ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଥିଲା ।

କମ୍ପାନୀ ବିରୁଦ୍ଧରେ କାଶୀପୁର ଅଂଚଳରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କଂପାନୀ ବିରୋଧରେ ପ୍ରତିବାଦ କରିବାରୁ ଜୁଲମ୍ କରାଯାଉଛି । ଏମିତି କି ୨୧ ଜଣଙ୍କୁ ପୁଲିସ୍ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

ଗତକାଲି ବେଦାନ୍ତ ଓ ମୈତ୍ରୀ କଂପାନୀର କାର୍ଯ୍ୟକଳାପ ବିରୋଧରେ ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡ଼ାରୁ ଉଠାଇ ନେଇଥିବାର ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ରାୟଗଡ଼ା ପୁଲିସର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ।