ଓଡ଼ିଶାରେ କିଏ ଗଢ଼ିବ ସରକାର । ନିର୍ଣ୍ଣାୟକ ହୋଇପାରେ ଅନ୍ତିମ ପର୍ଯ୍ୟାୟ ଭୋଟ, ୪୨ ଆସନରୁ ୩୩ ଆସନରେ ବିଜୟୀ ହୋଇଥିଲା ବିଜେଡି

188

କନକ ବ୍ୟୁରୋ : ରାଜ୍ୟର ପ୍ରଥମ ତିନୋଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଓ ୧୦୫ଟି ବିଧାନସଭା ଆସନ ପାଇଁ ସରିଛି ମତଦାନ । ମତଦାନ ଶେଷ ହେବା ପରେ ଉଭୟ ବିଜେଡି ଓ ବିଜେପି ସରକାର ଗଢ଼ିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି । ଏପରିକି ବିଜେଡିକୁ ବହୁମତ ମିଳିଗଲାଣି ବୋଲି ବିଜେଡି ନେତା ଦାବି କରୁଛନ୍ତି । କିନ୍ତୁ ବିଜେପି ସରକାର ଗଢ଼ିବାକୁ ଦାବି କରୁଥିଲେ ମଧ୍ୟ ଏହି ପର୍ଯ୍ୟାୟ ନିର୍ବାଚନ ପରେ ଦଳର ଭାଗ୍ୟ ନିର୍ଦ୍ଧାରଣ ହେବ ।

ଜୁନ୍ ୧ରେ ହେବାକୁ ଯାଉଥିବା ୪୨ ବିଧାନସଭା ଆସନ ମଧ୍ୟରୁ ୨୦୧୯ରେ ବିଜେଡି ୩୩ଟି ଜିତିଥିଲା । ବିଜେପି ୯ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ଖାତା ଖୋଲି ପାରିନଥିଲା । ମୟୂରଭଞ୍ଜ ଲୋକସଭା କ୍ଷେତ୍ରର ୭ ବିଧାନସଭା ଆସନ ମଧ୍ୟରୁ ୫ଟି ଆସନରେ ଜିତିଥିଲା ବିଜେପି । ବାଲେଶ୍ୱର ଲୋକସଭା କ୍ଷେତ୍ରର ୩ଟି ଏବଂ ଭଦ୍ରକ ଲୋକସଭା କ୍ଷେତ୍ରର ଗୋଟିଏ ଆସନ ହାତେଇଥିଲା ଭାରତୀୟ ଜନତା ପାର୍ଟି । କିନ୍ତୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରର ୨୧ରୁ ଗୋଟିଏ ବି ଆସନ ଜିତି ପାରିନଥିଲା ବିଜେପି । ତେଣୁ ଏଥର ବିଜେଡି ତାର ଉପକୂଳ ଗଡ ବଂଚାଇ ରଖୁଛି ନା ବିଜେପି ଧସେଇ ପଶୁଛି? ତାହା ବେଶ୍ ଗୁରୁତ୍ୱ ବହନ କରୁଛି ।

ଓଡିଶା ସିଂହାସନ ଦଖଲ କରିବାକୁ ବିଜେଡି, ବିଜେପି ଉଭୟ ସବୁ ବଳ ଖଟାଇ ଦେଇଛନ୍ତି । ହେଲେ ଜନତା କାହାକୁ ବାଛୁଛନ୍ତି ତାହା ଆସନ୍ତା ଚାରି ତାରିଖରେ ସ୍ପଷ୍ଟ ହେବ ।