ମଣିଷ ମାରିଛି କିଏ ? ପୋଷ୍ଟମର୍ଟମ ରିପୋର୍ଟ କାହାକୁ କଲା ଇଙ୍ଗିତ… ପଢନ୍ତୁ ପୂରା ଖବର

32

କନକ ବ୍ୟୁରୋ : ସାତକୋଶିଆ ହାତୀବାରିରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମହିଳାଙ୍କୁ ଜଙ୍ଗଲୀ ହିଂସ୍ରଜନ୍ତୁ ମାରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ପାଇଛି । ଆଉ ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ବାଘୁଣୀ ସୁନ୍ଦରୀ ଉପରେ ପୁଣିଥରେ ସନ୍ଦେହ ଉପୁଜିଛି । ପୂର୍ବରୁ ବାଘୁଣୀ ସୁନ୍ଦରୀ ମହିଳାଙ୍କୁ ମାରିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟକୁ ସମସ୍ତଙ୍କର ଅପେକ୍ଷା ରହିଥିଲା ।

ଏହାପୂର୍ବରୁ ମହିଳାଙ୍କୁ ବାଘୁଣୀ ସୁନ୍ଦରୀ ମାରିନାହିଁ ବୋଲି କହି ଆସୁଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ତେବେ ମହିଳାଙ୍କ ମୃତ୍ୟୁ ପରେ ବାଘୁଣୀକୁ ସାତକୋଶିଆରୁ ପୁଣିଥରେ ଫେରାଇନେବାକୁ ଦାବି କରିଥିଲେ ଗ୍ରାମବାସୀ । କିନ୍ତୁ ବିଶେଷଜ୍ଞ ଦଳ ବାଘୁଣୀର ଗତିବିଧି ଉପରେ ଅନୁଧ୍ୟାନ କରିବା ପରେ କହିଥିଲେ ସୁନ୍ଦରୀ ଜନବସତି ଠାରୁ ଅନେକ ଦୂରରେ ବୁଲୁଛି । ତେଣୁ ବାଘୁଣୀ ମହିଳାଙ୍କୁ ମାରିଥିବ ଏକଥାକୁ ନେଇ ସନ୍ଦେହ ଉପୁଜିଥିଲା । ଏହାଛଡା ଏହା ଏକ ମିଶନ । ତେଣୁ ବାଘୁଣୀକୁ ଏଠାରୁ ଫେରାଇନେବା ନିଷ୍ପତି ନିହାତି ଭାବେ ଅସମ୍ଭବ । ଏହାଛଡା ବାଘୁଣୀକୁ ନେଇ ଗ୍ରାମବାସୀଙ୍କର ଯେଉଁ ସମସ୍ୟା ରହିଛି ତାହା ଦୂର କରିବା ପାଇଁ ବିଶେଷଜ୍ଞ ଟିମ୍ କହିଥିଲେ ।