ହାତୀ ହତ୍ୟାକୁ ନେଇ ସାରା ଦେଶରେ ଅସନ୍ତୋଷ । ସୋସିଆଲ ମିଡିଆରେ ତୀବ୍ର ନିନ୍ଦା କଲେ ଖେଳାଳୀ, ନେତା ଓ ଅଭିନେତା । ପଶୁ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ପାଇଁ ଉଠିଲା ଦାବି…

288

କନକ ବ୍ୟୁରୋ: ମଣିଷ, ଅମଣିଷ ପାଲଟିଗଲା । ହିଂସ୍ର ପଶୁଙ୍କ ଠାରୁ ବି ହୀନ ହୋଇଗଲା । ଅମାନବିକତାର ସୀମା ଟପିିଗଲା । ନିରୀହ ଗର୍ଭବତୀ ହାତୀକୁ ହତ୍ୟା କରିବା କଣ ସମାଜର ସବୁଠୁ ଚତୁର କୁହାଯାଉଥିବା ମଣିଷର କାମ ହୋଇପାରେ । ହାତୀ ମୃତ୍ୟୁ ଘଟଣା ଆଉ କେବଳ କେରଳରେ ସୀମିତ ହୋଇ ରହିନି, ସାରା ଭାରତରେ ଏହାକୁ ନେଇ ସମାଲୋଚନା କରାଯାଉଛି । ଆଉ ଏଭଳି ସ୍ଥିତିରେ ଘଟଣା ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଖାଇବା ଆଳରେ ବାଣ ଦେଇ କୌଣସି ଜୀବକୁ ମାରିବା ଆମ ପରମ୍ପରା ନୁହେଁ ବୋଲି କହିଛନ୍ତି ପ୍ରକାଶ ଜାଭଡେକର । ଘଟଣାର ତଦନ୍ତ ହେବ ଏବଂ କାହାରିକୁ ଛଡ଼ା ଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆନିମଲ ରାଇଟ୍ ଆକ୍ଟିଭିଷ୍ଟ ଭାବେ ସାରା ଦେଶରେ ପରିଚିତ ଥିବା ବିଜେପି ସାଂସଦ ମାନେକା ଗାନ୍ଧୀ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବନ୍ୟଜନ୍ତୁଙ୍କୁ କ୍ରମାଗତ ଭାବେ ଏଭଳି ହତ୍ୟା କରାଯାଉଛି । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତୁରନ୍ତ ବିଭାଗୀୟ ଅଧିକାରୀ ଇସ୍ତଫା ଦିଅନ୍ତୁ ବୋଲି ମାନେକା ଗାନ୍ଧୀ ଦାବି କରିଛନ୍ତି ।

ଦୁଇ ଦିନ ହେଲା ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଥିବା ଏହି ଘଟଣାକୁ ନେଇ ସବୁ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶିଷ୍ଟ ଶିଳ୍ପପତି ରତନ ଟାଟା ଟ୍ୱିଟ୍ କରି ଲେଖିଛନ୍ତି-ଗର୍ଭବତୀ ହାତୀକୁ ସପୁରୀରେ ବାଣ ଦେଇ ହତ୍ୟା କରିବା ଘଟଣା ତାଙ୍କୁ ମର୍ମାହତ କରିଛି । ମଣିଷ ହତ୍ୟାଠୁ ଏହା କୌଣସି ଗୁଣରେ କମ୍ ନୁହେଁ ବୋଲି ଟ୍ୱିଟରେ ଲେଖିଛନ୍ତି ରତନ ଟାଟା ।

ବିରାଟ ଟ୍ୱିଟ୍.. ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍ କୋହଲି ଟ୍ୱିଟ୍ କରି ଲେଖିଛନ୍ତି, ବନ୍ୟଜନ୍ତୁ ହତ୍ୟା ଭଳି କାପୁରୁଷ ଘଟଣା ବନ୍ଦ ହେବା ଆବଶ୍ୟକ । ସମସ୍ତେ ବନ୍ୟଜନ୍ତୁଙ୍କୁ ଭଲ ବ୍ୟବହାର କରନ୍ତୁ ।

ରୋହିତ ଟ୍ୱିଟ୍.. ସେହିପରି ଟିମ୍ ଇଣ୍ଡିଆ ହାର୍ଡ ହିଟର ରୋହିତ ଶର୍ମା ଟ୍ୱିଟ୍ କରି ଲେଖିଛନ୍ତି ଯେ, କେରଳରେ ହାତୀକୁ ହତ୍ୟା କରିବା ଘଟଣା ଅତ୍ୟନ୍ତ ବର୍ବର ଏବଂ ସେ ଏଥିରେ ମର୍ମାହତ । କୌଣସି ବି ଜୀବଜନ୍ତୁଙ୍କ ପ୍ରତି ଏଭଳି ହିଂସା ଆଦୌ ସହ୍ୟ ନୁହେଁ ବୋଲି ରୋହିତ ଲେଖିଛନ୍ତି । ସାଇନା ଟ୍ୱିଟ୍.. ବ୍ୟାଡମିଂଟନ ତାରକା ସାଇନା ନେହୱାଲ ଏଭଳି ହୃଦୟ ବିଦାରକ ଘଟଣା ଶୁଣି ଦୁଃଖିତ ବୋଲି ଟ୍ୱିଟ୍ କରିଛନ୍ତି ।

ସେଲିବ୍ରିଟି ଟ୍ୱିଟ୍.. ହାତୀ ହତ୍ୟା ଘଟଣାରେ ସେଲିବ୍ରିଟି ମଧ୍ୟ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି । ବଲିଉଡର ବଡ ବଡ କଳାକାର ଟ୍ୱିଟ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।