୧୫ ଦିନର ଶିଶୁକୁ ମାରିଲା କିଏ ? ମାଙ୍କଡ ନା ମଣିଷ, ପୋଷ୍ଟମର୍ଟମ କରିଥିବା ଡାକ୍ତର ଦେଲେ ଚାଞ୍ଚଲ୍ୟକର ବୟାନ

80

କନକ ବ୍ୟୁରୋ : ଗତକାଲି ବାଙ୍କିରେ ଏକ ୧୫ଦିନର ଶିଶୁ ପୁତ୍ରକୁ ମାଙ୍କଡ ଉଠାଇନେବା ଘଟଣାରେ ଆଜି ଦୁଃଖଦ ଅନ୍ତ ଘଟିଛି । ଘର ପଛପଟେ ଥିବା ଏକ କୂଅରୁ ଶିଶୁପୁତ୍ରର ମୃତ ଦେହ ମିଳିଛି । କିନ୍ତୁ ଏହି ଘଟଣା ଅନେକ ପ୍ରଶ୍ନ ଠିଆ କରିଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି ପ୍ରକୃତରେ କଣ ମାଙ୍କଡ ଶିଶୁପୁତ୍ରକୁ ଉଠାଇନେଇଥିଲା? ଏହି ଘଟଣାରେ ଶିଶୁ ପୁତ୍ରର ପୋଷ୍ଟମର୍ଟମ କରିଥିବା ଡାକ୍ତର ଚାଂଚଲ୍ୟକର ଖୁଲାସା କରିଛନ୍ତି । ଡାକ୍ତର କହିଛନ୍ତି ମାଙ୍କଡ ଉଠାଇନେବା ଭଳି ଶିଶୁ ପୁତ୍ରର ଦେହରେ କୋ÷ଣସି ଚିହ୍ନ ନାହିଁ । ଗ୍ରାମବାସୀ ମଧ୍ୟ ଏହି ଘଟଣାରେ ସନ୍ଦେହ ପ୍ରକାଶ କରୁଛନ୍ତି । ଯେ ପ୍ରକୃତରେ ଶିଶୁ ପୁତ୍ରଟି କେମିତି ମଲା?

ମାଙ୍କଡ଼ ଉଠାଇ ନେଇଥିବା ଶିଶୁପୁତ୍ରକୁ ଖୋଜିବାର ଅନ୍ତ ଏମିତି ହେବ ବୋଲି ହୁଏତ, କେହି କଳ୍ପନା କରିନଥିଲେ । ଦୀର୍ଘ ୨୪ ଘଂଟା ଧରି ବନବିଭାଗ ଓ ସ୍ଥାନୀୟ ବାସିନ୍ଦା ଖୋଜି ଖୋଜି ନୟାନ୍ତ ହୋଇଯାଇଥିବା ବେଳେ ରବିବାର ସକାଳେ ଅଚାନକ୍୍ ଘର ବାଡ଼ି ପଟରେ ଥିବା କୂଅ ଭିତରୁ ନିଖୋଜ ୧୫ ଦିନର ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ବଡ କଥା ହେଉଛି-ବିଳମ୍ବିତ ରାତି ଏବଂ ପାହାଁନ୍ତିଆରେ ଏହି କୂଅକୁ ଦେଖିଥିଲେ ମୃତଶିଶୁଙ୍କ ପରିବାର ଲୋକ । ହେଲେ ସେତେବେଳେ କୁଅରେ କିଛି ବି ନଥିଲା । ହେଲେ ହଠାତ୍ ପ୍ରାୟ ୭ଟା ବେଳକୁ ମୃତଦେହ କୁଅରୁ ଠାବ ହେବା, ଅନେକ ପ୍ରଶ୍ନ ଛିଡ଼ା କରିଛି ।

ଗତକାଲି ଦିନ ତମାମ୍ ବନବିଭାଗର ସର୍ଚ୍ଚ ଅପରେସନ୍ ପରେ ରାତିରେ ଗାଁ ଲୋକ ଖୋଜାଖୋଜି କରିଥିଲେ । ହେଲେ ଶିଶୁପୁତ୍ରଟି କୌଣସି ସନ୍ଧାନ ନମିଳିବା ଏବଂ ଆଜି ସକାଳୁ ଅଚାନକ୍ ଘର ପାଖ କୁଅରୁ ମୃତଦେହ ଉଦ୍ଧାର ହେବା, ଅନେକ ସନ୍ଦେହ ସୃଷ୍ଟି କରୁଛି । ଏସବୁ ଭିତରେ ଶିଶୁ ପୁତ୍ରକୁ ପୋଷ୍ଟମର୍ଟମ କରିଥିବା ଡାକ୍ତର ମଧ୍ୟ ମାଙ୍କଡ ଉଠାଇନେବା ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି । କହିଛନ୍ତି ଶିଶୁ ପୁତ୍ରର ଦେହରେ ସେଭଳି ଚିହ୍ନ ନାହିଁ । ଶିଶୁ ପୁତ୍ରର କେବଳ ନାକ ଓ ମୁଣ୍ଡରେ କିଛି କ୍ଷତ ରହିଥିଲା । କିନ୍ତୁ ମାଙ୍କଡ ଉଠାଇ ନେଇଥିଲେ ହୁଏତ ଅଧିକ କ୍ଷତ ହୋଇଥାନ୍ତା ବୋଲି ସେ କହିଛନ୍ତି । ତେଣୁ ଡାକ୍ତରଙ୍କ ବୟାନ ପରେ ଶିଶୁ ପୁତ୍ରର ମୃତ୍ୟୁ ଆହୁରି ରହସ୍ୟ ଘେର ଭିତରକୁ ଚାଲି ଆସିଛି ।

-ଘର ଭିତରୁ ମାଙ୍କଡ଼ ଶିଶୁକୁ ଉଠାଇ ନେଲା କେହି ଦେଖି ପାରିଲେ ନାହିଁ କେମିତି?
-ମସାରୀ ଉଠାଇ ଶିଶୁକୁ ମାଙ୍କଡ଼ ଟେକି ନେବ ହେଲେ ମସାରୀ ଓଲଟିବ ବି ନାହିଁ କେମିତି ?
-ପାଖରେ ଶିଶୁର ବାପା ଶୋଇଥିଲେ ସୁଦ୍ଧା ଅତି ସ୍ୱାଭାବିକ ସ୍ଥିତିରେ ମାଙ୍କଡ଼ ଛୁଆ ନେଲା କେମିତି ?
-ଯେଉଁ କୂଅରେ ବିଳମ୍ବିତ ରାତି ଯାଏଁ କିଛି ନଥିଲା ସେଠିକୁ ୧୫ ଦିନର ଶିଶୁ ଆସିଲା କେମିତି ?
ବାଙ୍କୀର ଶିଶୁ ମୃତ୍ୟୁ ଘଟଣାକୁ ନେଇ ଏବେ ଏମିତି ଅନେକ ପ୍ରଶ୍ନ ଛିଡ଼ା ହୋଇଛି ।