ଦାମଙ୍କ ଦଳରେ କିଏ ହେବେ ସାମିଲ? ବଡ ବଡ ନେତାଙ୍କ ନାଁ ନେଲେ ଦାମ

ବିଜେଡିରୁ ବିଦା ହୋଇଥିବା ନେତା ନେବେ ଗୁରୁତ୍ୱପୂର୍ଣ୍ଣ ଭୂମିକା, ସାଥ୍ ଦେବେ ସାମାଜିକ କର୍ମୀ । ବିଜେଡି କହିଲା-ତୁଚ୍ଛା ପ୍ରୟାସ

409

କନକ ବ୍ୟୁରୋ : ଦାମ ଗଢିବେ ନୂଆ ଦଳ । ବିଜେଡିରୁ ବିତାଡିତ ହୋଇଥିବା ଏବଂ ଦୁର୍ନୀତି ବିରୋଧରେ ଲଢେଇ କରୁଥିବା କିଛି ବରିଷ୍ଠ ନେତାଙ୍କୁ ନେଇ ନୂଆ ଦଳର ପରିକଳ୍ପନା କରୁଛନ୍ତି ଦାମ ରାଉତ । ହେଲେ କିଏ ହେବ ଦାମଙ୍କ ଦଳର ବଳ? ତାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି ।

damaନିର୍ବାଚନ ପୂର୍ବରୁ ନୂଆ ଦଳ ସହ ମୈଦାନକୁ ଓହ୍ଲାଇବା ପାଇଁ ବରିଷ୍ଠ ନେତା ଡ. ଦାମୋଦର ରାଉତ ଘୋଷଣା କରିଥିବା ବେଳେ, ତାଙ୍କ ଦଳର ବଳ କିଏ ହେବ ସେ ନେଇ କିଛି ନେତାଙ୍କ ନାଁ ନେଇଛନ୍ତି । ବ୍ରଜ ତ୍ରିପାଠୀ, ଖାରବେଳ ସ୍ୱାଇଁ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ପ୍ରଫୁଲ୍ଲ ଘଡେଇ, ରାମକୃଷ୍ଣ ପଟ୍ଟନାୟକ, ଶରତ କରଙ୍କ ସମେତ ସାମାଜିକ କର୍ମୀଙ୍କୁ ନେଇ ନୂଆ ଦଳର ପରିକଳ୍ପନା କରୁଛନ୍ତି ଡକ୍ଟର ଦାମୋଦର ରାଉତ । ଯେଉଁମାନେ ବିଜେଡିରୁ ବିତାଡିତ ହୋଇଛନ୍ତି କିମ୍ବା ଦୁର୍ନୀତି ବିରୋଧରେ ଲଢ଼େଇ କରୁଛନ୍ତି ।

ବିଜେଡିରୁ ବିଦା ହେବା ପରେ ବିଜେଡିକୁ ଖୋଲାଖୋଲି ଚ୍ୟାଲେଂଜ୍ ଦେଉଥିବା ଡକ୍ଟର ରାରତ, ବିଜୁ ବାବୁଙ୍କ ନାଁ ନେଇ ଏକ ନୂଆ ରାଜନୈତିକ ଦଳ ଛିଡ଼ା କରିବା ପାଇଁ ଶକ୍ତି ସଂଚୟ କରୁଛନ୍ତି । ଯେଉଁଥିରେ ଓଡ଼ିଶା ପ୍ରଗତି ଦଳ, ସମତା କାନ୍ତି, ଉକ୍ରଳ ଭାରତ ଭଳି ଛୋଟ ଛୋଟ ଦଳର ନେତାଙ୍କୁ ନେଇ ଏକ ବଡ ଶକ୍ତିର ରୁପରେଖ ପ୍ରସ୍ତୁତ କରୁଛନ୍ତି ଦାମ ରାଉତ ।ବଡ କଥା ହେଉଛି-ଯେଉଁ ବଡ ବଡ ନେତାଙ୍କ ନାଁ ନେଉଛନ୍ତି ଦାମ ବାବୁ, ସେମାନଙ୍କ ମଧ୍ୟରୁ ଅନେକ ଖୋଲାଖୋଲି ଏହି ଚର୍ଚ୍ଚାରୁ ଦୂରେଇ ରହିବା ପାଇଁ ଚାହିଁଥିବା ବେଳେ ସମତା କ୍ରାନ୍ତି ଦଳର ପ୍ରତିଷ୍ଠାତା ବ୍ରଜ ତ୍ରିପାଠୀ କହିଛନ୍ତି-ଦାମଙ୍କ ବିଜୁ ଏବଂ ତାଙ୍କ ସମତା କାନ୍ତିକୁ ମିଶାଇ ବିଜୁ ସମତା କ୍ରାନ୍ତି ଦଳ ହେବାରେ କୌଣସି ଅସୁବିଧା ନାହିଁ ।

ଏପଟେ ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆରେ ଏକ ସାଧାରଣ ସଭାକୁ ଉଦବୋଧନ ଦେଇ ବୈଜୟନ୍ତ କହିଛନ୍ତି-ଦୁର୍ନୀତି ବିରୋଧରେ ଲଢ଼ୁଥିବା ଶକ୍ତିକୁ ସମର୍ଥନ କରିବାରେ କୌଣସି ଅସୁବିଧା ନାହିଁ । ଶାସକଦଳ ବିରୋଧରେ ସୃଷ୍ଟି ହେଉଥିବା ଏହି ନୂଆ ରାଜନୈତିକ ଶକ୍ତିକୁ କିନ୍ତୁ ଅତି ଖାମଖିଆଲି ଭାବେ ନେଇଛନ୍ତି ବିଜେଡି ବିଧାୟକ । କହିଛନ୍ତି-ଯେଉଁମାନେ ବିଜେଡି ଛାଡି ଯାଇଛନ୍ତି, ସେମାନେ ନିଜର ସ୍ଥିତି ହରାଇଛନ୍ତି । ଆଉ ଏସବୁ ଭିତରେ ଦେଖିବାର କଥା କେବେ ଅନୁଷ୍ଠାନିକ ଭାବରେ ଦଳ ଗଢ଼ୁଛନ୍ତି ଡକ୍ଟର ଦାମୋଦର ରାଉତ ଏବଂ ତାଙ୍କ ଦଳରେ କେଉଁ କେଉଁ ନେତା ସାମିଲ ହେଉଛନ୍ତି ।