ରାଷ୍ଟ୍ରପତି ନିର୍ବାଚନରେ କିଏ ମାରିବ ବାଜି? ଆରମ୍ଭ ହେଲା ବୟାନବାଜି, ପଢନ୍ତୁ କିଏ କଣ କହିଲେ…

308

କନକ ବ୍ୟୁରୋ: ରାଇସିନା ଦଖଲ ପାଇଁ ଏନଡିଏ ଝାଡଖଣ୍ଡ ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ବିରୋଧୀ ଏକ ହୋଇ ମିଳିତ ପ୍ରାର୍ଥୀ ଭାବେ ପୂର୍ବତନ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଛି । ଉଭୟ ୨୪ ତାରିଖରେ ନାମାଙ୍କନ ଦାଖଲ କରିବେ ବୋଲି ସ୍ଥିର ହୋଇଛି । ଯଶବନ୍ତ କହିଛନ୍ତି ଏଥରେ ସେ ବିଜୟୀ ହେବା ସମ୍ଭାବନା ଅଧିକ । ଏଥିସହ ଏନଡିଏ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇଛନ୍ତି ।

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ବେଳେ ପଛୁଆ ବର୍ଗ ଏବଂ ମହିଳା ଦେଖି ପ୍ରାର୍ଥୀ ଦେଇଛି । ଯାହା ଆଗାମୀ ଦିନରେ ସାରା ଦେଶରେ ଆଦିବାସୀ ଭୋଟ୍ ହାତେଇବାକୁ ବିଜେପିକୁ ବଡ ଶକ୍ତି ଦେବ । ଯାହାକୁ ଦେଖି ଚିନ୍ତାରେ ବିରୋଧୀ । କାରଣ ଛତିଶଗଡ (୩୦.୬%) , ଝାଡଖଣ୍ଡ (୨୬.୨%), ରାଜସ୍ଥାନ (୧୩.୫%), ଗୁଜରାଟ (୧୪. ୮%) ଏବଂ ଓଡିଶା (୨୨.୮%) ଭଳି ମୋଟ୍ ୧୪ଟି ରାଜ୍ୟର ଆଦିବାସୀ ଭୋଟ୍ (୮.୬%) ବ୍ୟାଙ୍କ ଉପରେ ଫୋକସ କରିଛି । ଝାଡଖଣ୍ଡର ଶାସକ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା । କଂଗ୍ରେସ ସହ ମେଂଟରେ ଥିବା ଏହି ଦଳ ଏବେ ଦ୍ରୌପଦୀଙ୍କୁ ସମର୍ଥନ କରିବ କି ନାହିଁ ସେ ନେଇ ଦୋଛକିରେ ପଡିଛି । କାରଣ ଜେଏମଏମ ଯେଉଁ ଆଦିବାସୀଙ୍କ ସୁରକ୍ଷାକୁ ନେଇ ଭୋଟ୍ ରାଜନୀତି କରେ ସେହି ସମ୍ପ୍ରଦାୟର ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ସେପଟେ ଜଣେ ମହିଳା ଏବଂ ଶିକ୍ଷିତ ପ୍ରାର୍ଥୀ ହୋଇଥିବାରୁ ଏନଡିଏରେ ଥାଇ ମଧ୍ୟ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବା ଜେଡିୟୁ ବି ଦ୍ରୌପଦୀଙ୍କୁ ସମର୍ଥନ କରିବ ବୋଲି କହିଛି ।

ଏନଡିଏ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ବିରୋଧୀ ଦଳରେ ଥିବା ଅନେକ ଦଳର ନୀତି ଆଦର୍ଶକୁ ପରୋକ୍ଷରେ ଚେତାଇ ଦେଇଛି । ଝାଡଖଣ୍ଡ ରାଜ୍ୟପାଳ ଥିବା ବେଳେ ହେମନ୍ତ ସୋରେନଙ୍କ ସହ ମୁର୍ମୁଙ୍କ ଭଲ ସଂପର୍କ ଥିଲା । ଆଉ ଏବେ ଯଦି ଯଶବନ୍ତଙ୍କୁ ସମର୍ଥନ କରିବ ଜେଏମଏମ ତାହେଲେ ଆଗାମୀ ଦିନରେ ରାଜ୍ୟରେ ରାଜନୀତି କରିବା କଷ୍ଟକର ହୋଇପାରେ ।

ଏନଡିଏ ପ୍ରାର୍ଥୀ ଭାବେ ରାଇସିନାରେ ପହଂଚିବାକୁ ଦ୍ରୌପଦୀ ନିଜ ରାଜ୍ୟ ଉପରେ ଭରସା ରଖିଛନ୍ତି । ଆଉ ଓଡିଶାରେ ବିଜେଡି ସମର୍ଥନ କରିବ ବୋଲି ସଙ୍କେତ ଦେଇଛି । ଏପରି ସ୍ଥିତିରେ ଯଶବନ୍ତ ସିହ୍ନାଙ୍କ ପାଇଁ ରାଇସିନା ଦୂର ରହିଛି ବୋଲି କୁହାଯାଉଛି ।