କନକ ବ୍ୟୁରୋ : ଆଡିଲେଡ୍ରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ପିଙ୍କ ବଲ୍ ଟେଷ୍ଟରେ ଭାରତୀୟ ଦଳ ପାଇଁ କିଏ ୱିକେଟରକ୍ଷକ ଦାୟିତ୍ୱ ତୁଲାଇବ? ତାହା ଏକ ବିତର୍କିତ ବିଷୟ ହୋଇଛି। ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ପନ୍ତ ୭୩ ବଲରୁ ୧୦୩ ରନ୍ର ବିସ୍ଫୋରକ ପାଳି ଖେଳିବା ପରେ ତାଙ୍କୁ ଏବଂ ଅଭିଜ୍ଞ ୱିକେଟରକ୍ଷକ ଋଦ୍ଧିମାନ ସାହାଙ୍କୁ ନେଇ ତୁଳନା ଆରମ୍ଭ ହୋଇ ଯାଇଛି।
ଆଡିଲେଡରେ କିଏ ୱିକେଟରକ୍ଷଣ ଦାୟିତ୍ୱ ତୁଲାଇବ? ସେ ବିଷୟରେ କୌଣସି ସଙ୍କେତ ଭାରତୀୟ ଦଳ ନଦେବା ମାମଲାକୁ ଆହୁରି ଗୋଳମାଳିଆ କରିଛି। ସାହା ସିଡନିର ଡ୍ରୁମୋନେ ଓଭାଲଠାରେ ଖେଳା ଯାଇଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚ୍ର ଦ୍ୱିତୀୟ ପାଳିରେ ୫୪ ରନ୍ର ଧୈର୍ୟ୍ୟପୂର୍ଣ୍ଣ ପାଳି ଖେଳିଥିଲେ। ତେବେ ଭାରତର ଦୁଇଟି ଅଭ୍ୟାସ ମ୍ୟାଚ୍ରେ ଖେଳିଥିବା ଅନ୍ୟ ଦୁଇ ପାଳିରେ ସେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।
ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିବା ସତ୍ତେ୍ୱ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟି ଯାକ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ସାହାଙ୍କୁ ସ୍ଥାନ ମିଳି ନଥିଲା। ନିଜ ନିଆରା ୱିକେଟରକ୍ଷଣ କୌଶଳ ପାଇଁ କିନ୍ତୁ ସାହା କେବଳ ଭାରତର ନୁହେଁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ୱିକେଟରକ୍ଷକ ଭାବେ ପରିଚିତ। ଯାହା ତାଙ୍କ ସପକ୍ଷରେ ଯାଇପାରେ। ଅବଶ୍ୟ ଅସ୍ଥିର ବ୍ୟାଟିଂ ପ୍ରଦର୍ଶନ ତାଙ୍କ ବିପକ୍ଷରେ ଯାଇପାରେ।
୨୦୧୭ ମସିହା ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୭ ରନର ପାଳି ଖେଳିବା ପରଠାରୁ ସାହା ଆଉ ଟେଷ୍ଟ୍ ଶତକ ହାସଲ କରି ନାହାନ୍ତି । ସେବେଠାରୁ ଖେଳିଥିବା ୧୪ ପାଳିରୁ ୨୩.୨୭ ହାର ଏବଂ ମାତ୍ର ଗୋଟିଏ ଅର୍ଧଶତକ ବଳରେ ସେ କେବଳ ୨୫୬ ରନ୍ କରିଛନ୍ତି। ଅଷ୍ଟ୍ରେଲିଆରେ ଖେଳିଥିବା ୬ ପାଳିରେ ସେ ମଧ୍ୟ ସେମିତି କିଛି ଅଖିଦୃଶିଆ ରନ୍ କରି ନାହାନ୍ତି। ଅଷ୍ଟ୍ରେଲିଆ ମାଟିରେ ୩୫ ରନ୍ର ସର୍ବାଧିକ ସ୍କୋର ସହ ସାହ ମାତ୍ର ୧୧୧ ରନ୍ କରିଛନ୍ତି।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ ପନ୍ତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ଗତବର୍ଷ ଜାନୁଆରିରେ ସିଡନି କ୍ରିକେଟ୍ ପଡ଼ିଆରେ ସେ ୧୮୯ ବଲରୁ ୧୫୯ ରନ୍ର ପାଳି ଖେଳିଥିଲେ। ୨୦୧୮-୧୯ର ଗତ ଅଷ୍ଟ୍ରେଲିଆ ଗସ୍ତରେ ସେ ହିଁ ଭାରତୀୟ କ୍ରିକେଟ୍ ଦଳର ପ୍ରଥମ ପସନ୍ଦର ୱିକେଟ୍ ରକ୍ଷକ ଥିଲେ। ଚଳିତ ବର୍ଷର ଆଇପିଏଲରେ ଆଶାଜନକ ପ୍ରଦର୍ଶନ କରି ନଥିଲେ ମଧ୍ୟ ପୂର୍ବ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆରେ ପନ୍ତ ଭାରତୀୟ ଦଳରେ ସାମିଲ ହେବାକୁ ହକଦାର। ହେଲେ ଦୁର୍ବଳ ୱିକେଟ୍ ରକ୍ଷଣ ତାଙ୍କ ବିପକ୍ଷରେ ଯାଇପାରେ। ଗତ ଦୁଇ ବର୍ଷ ହେବ ଢେର ଉନ୍ନତି କରିଥିଲେ ମଧ୍ୟ ତାଙ୍କ ୱିକେଟ୍ ରକ୍ଷଣ ଦକ୍ଷତା ନେଇ ଏବେବି ସଂଶୟ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/12/33-6.jpg)