କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ନିକଟରେ ଜେଲରୁ ମୁକୁଳିଥିବା ଅର୍ଚ୍ଚନା ନାଗଙ୍କୁ ମିଳିଛି ହତ୍ୟା ଧମକ । ଆଜି ପରୀକ୍ଷା ଦେବା ପାଇଁ କ୍ୟାପିଟାଲ ଲ’ କଲେଜକୁ ଆସିବା ସମୟରେ ଦୁଇ ଜଣ ଯୁବକ ଆସି ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନା । ଏଭଳି ଅଭିଯୋଗରେ ଡରିବାର ନାହିଁ, ଯଦି ସାହସ ଅଛି ତେବେ ସାମ୍ନାରୁ ଆକ୍ରମଣ କରିବାକୁ ଆହ୍ୱାନ ଦେଇଛନ୍ତି । ତେବେ କିଏ ସେହି ଦୁଇ ଜଣ ଯୁବକ, ଆଉ ଚେତାବନୀ ପଛରେ କଣ ରହିଛି ଉଦେଶ୍ୟ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

ଦୀର୍ଘ ୧୪ ମାସ ଧରି ଝାରପଡ଼ା ଜେଲରେ ରହିବା ପରେ ଜାମିନରେ ବାହାରକୁ ଆସିଛନ୍ତି ଅର୍ଚ୍ଚନା ନାଗ । ଜେଲରୁ ବାହାରିବା ପରେ କ୍ୟାପିଟାଲ ଲ’ କଲେଜ ଯାଇ ନିଜ ସେମିଷ୍ଟାର ପରୀକ୍ଷା ମଧ୍ୟ ଦେଉଛନ୍ତି । ତେବେ ଶୁକ୍ରବାର ପରୀକ୍ଷା ଦେବାକୁ ଆସୁଥିବାବେଳେ ଦୁଇଜଣ ଦୁର୍ବୁତ ତାଙ୍କ ନିକଟକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ଅର୍ଚ୍ଚନା । କେବଳ ଗାଳିଗୁଲଜ ନୁହେଁ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା ।

ଅର୍ଚ୍ଚନାଙ୍କୁ କିଏ ଓ କାହିଁକି ଏଭଳି ହତ୍ୟା ଧମକ ଦେଉଛି ତାହା ଏଯାଏଁ ଜଣାପଡିନି । ତେବେ ଏହି ଧମକ ପଛରେ କଣ କାରଣ ରହିଛି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବଡବଡିଆଙ୍କ ମୁଖା ଖୋଲିଯିବା ଭୟରେ ଅର୍ଚ୍ଚନାଙ୍କୁ କେହି ଧମକ ଦେଉଛି କି? ଯଥେଷ୍ଟ ତଥ୍ୟ ଓ ପ୍ରମାଣ ଅଛି ଏବଂ ଠିକ ସମୟରେ କୋର୍ଟରେ ଏହାକୁ ଦାଖଲ କରିବେ ବୋଲି ଅର୍ଚ୍ଚନା ଗଣମାଧ୍ୟମକୁ କହିଛନ୍ତି । ତେବେ କେଉଁ ବଡ଼ବଡ଼ିଆ ତାଙ୍କୁ ଫସାଇଛନ୍ତି ସେନେଇ ଏଯାଏଁ ମୁହ ଖୋଲି ନାହାନ୍ତି ଅର୍ଚ୍ଚନା ।

ବ୍ଲାକମେଲିଂ, ହନିଟ୍ରାପ ଭଳି ମାମଲାରେ ଛନ୍ଦି ହୋଇ ପାଖାପାଖି ୧୪ ମାସ ଧରି ଝାରପଡା ଜେଲରେ ଥିଲେ ଅର୍ଚ୍ଚନା ନାଗ । ତେବେ ଜେଲରେ ଥିବା ସମୟରେ ଅର୍ଚ୍ଚନା ବାରମ୍ବାର କହିଥିଲେ, ଅନେକ ଲୋକଙ୍କ ମୁଖା ଖୋଲିବେ । ଏପରିକି ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହେଇଯିବ ବୋଲି ମଧ୍ୟ କହିଥିଲେ । ହେଲେ ଜେଲରୁ ବାହାରିବା ପରେ ଏଯାଏଁ କାହା ନା ନେଇନାହାନ୍ତି ଅର୍ଚ୍ଚନା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।