କନକ ନ୍ୟୁଜ୍: ବିଶ୍ୱ ଦରବାରରେ ଖୋଲିଲେ ପାକିସ୍ତାନର ମୁଖା । ସାରା ବିଶ୍ୱ ସମୁଦାୟ ଆଗରେ ବଖାଣିଲେ ପାକିସ୍ତାନର ଆତଙ୍କବାଦ ଇତିହାସ । କହିଲେ ପାକିସ୍ତାନ ସବୁବେଳେ ଛଦ୍ମବେଶରେ ରହି ନିଆଁ ଲଗା କାମ କରୁଛି । ପାକିସ୍ତାନ ଅଗଣାରେ ଖେଳୁଛନ୍ତି ଆତଙ୍କବାଦୀ । ଆତଙ୍କବାଦକୁ ଢାଲ କରି ଭାରତ ଠାରୁ କାଶ୍ମୀରକୁୁ ଛଡାଇ ନେବାକୁ ଚାହୁଁଛି । ହେଲେ ପାକିସ୍ତାନକୁ ମନେ ରଖିବାକୁ ପଡିବ ଯେ, କାଶ୍ମୀର ଓ ଲଦାଖ ଭାରତର ଥିଲା ଏ ସବୁବେଳେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିବ ବୋଲି ମିଳିତ ଜାତିସଂଘର ସଚିବ ସ୍ତରୀୟ ବୈଠକରେ ଦୃଢତାର ସହ କହିଛନ୍ତି ଭାରତର ୟଙ୍ଗ୍ ଲେଡି ଅଫିସର ସ୍ନେହା ଦୁବେ, ଆସନ୍ତୁ ଜାଣିବା କିଏ ଏହି ଲେଡି ଅଫିସର ସ୍ନେହା ?
ବିଶ୍ୱ ଦରବାରର ପ୍ରତିବିମ୍ବ ଜାତିସଂଘର ୭୬ତମ ସାଧାରଣ ସଭା ସଚିବ ସ୍ତରୀୟ ବୈଠକରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ ଭାରତର ପ୍ରଥମ ମହିଳା ସଚିବ ସ୍ନେହା ଦୁବେ ।ପୂର୍ବରୁ ଭାରତ ବିରୋଧରେ ପାକିସ୍ତାନ ଦେଇଥିବା ବିଭ୍ରାନ୍ତିକର ବୟାନର ଠିକଣା ଜବାବ ଦେବା ସହ ମହାସଭାରେ ପାକିସ୍ତାନର ଗୋଇ ଖୋଳିଥିଲେ ସ୍ନେହା ।
ଗୋଆରେ ବଢିଥିବା ସ୍ନେହା ଦୁବେଙ୍କର ପିଲାବେଳୁ ଥିଲା ୟୁପିଏସସି ପ୍ରତି ଅହେତୁକ ଦୁର୍ବଳତା । ୧୨ ବର୍ଷ ବୟସରୁ ଲକ୍ଷ୍ୟ ରଖିଥିଲେ ଆଇଏଫଏସ ହେବେ ଆଉ ବିଶ୍ୱରେ ଭାରତକୁ ପ୍ରତିନିଧିତ୍ୱ କରିବେ । ଆଇଏଫଏସ ବ୍ୟତୀତ ତାଙ୍କର କୌଣସି ଦ୍ୱିତୀୟ ଅପ୍ସନ୍ ନଥିଲା ।ତାଙ୍କର ଏହି ସ୍ୱପ୍ନ ପୂରଣ ହେଇଛି । ଜାତିସଂଘ ମହାସଭାରେ ପାକିସ୍ତାନକୁ କାଶ୍ମୀରରୁ ବେଆଇନ ଦଖଲ ହଟାଇବାକୁ ଚେତାବନୀ ଦେଇ ସାରା ଦୁନିଆଁରେ ପାଲଟିଯାଇଛନ୍ତି ଏକ ଚର୍ଚ୍ଚିତ ଚେହେରା ।
ଗୋଆରେ ସ୍କୁଲ ଶିକ୍ଷା ଶେଷ ପରେ ପୁଣେର ଫର୍ଗୁସନ୍ କଲେଜରୁ ସ୍ନାତକ ହାସଲ କଲେ । ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଭୂଗୋଳରେ ସ୍ନାତକୋତ୍ତର କରିଥିଲେ। ଆନ୍ତର୍ଜାତୀୟ ପ୍ରସଙ୍ଗରେ ତାଙ୍କର ଆଗ୍ରହ ହେତୁ ଜେଏନୟୁର ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜରେ ଏମଫିଲ କଲେ ।ଏହାପରେ ୟୁପିଏସସି ୨୦୧୧ ମସିହାରେ ପ୍ରଥମ ପ୍ରୟାସରେ ସ୍ନେହା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ତାଙ୍କୁ ମିଳିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।ଏଥିପାଇଁ ଅକ୍ଳାନ୍ତ ପରିଶ୍ରମ କରିବା ସହ ମନ ଓ ଶରୀରକୁ ଆରାମ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦେଉଥିବା କହନ୍ତି ସ୍ନେହା ।ପୂର୍ବରୁ ପରିବାର କିମ୍ବା ସମ୍ପର୍କିୟଙ୍କ ମଧ୍ୟରେ କେହି ସିଭିଲ ସର୍ଭିସରେ ନଥିବାବେଳେ ସ୍ନେହାଙ୍କ ଏହି ସଫଳତା ସମସ୍ତଙ୍କୁ ଅସରନ୍ତି ଖୁସି ଦେଇଥିଲା ।
ପ୍ରଥମ ମହିଳା ଭାବେ ଭାରତକୁ ଜାତିସଂଘ ସାଧାରଣ ମହାସଭାରେ ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କୁ ଠିକଣା ଜବାବ ଦେଲେ । ସ୍ନେହା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସ୍ପଷ୍ଟ ଶବ୍ଦରେ ମନେ ପକାଇ ଦେଇଛନ୍ତି ଯେ କିପରି ତାଙ୍କ ଦେଶ ଆତଙ୍କବାଦୀମାନଙ୍କୁ ନିଜ ଦେଶରେ ଆଶ୍ରୟ ଦେଇ ଆର୍ଥିକ ସହାୟତା ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଯୋଗାଇ ଦେଉଛି । ସେ ପାକିସ୍ତାନକୁ ନିଜର ଏକ ଝଲକ ଦେବାକୁ କହିଥିଲେ ଯେ ସେଠାରେ ସଂଖ୍ୟାଲଘୁଙ୍କ ଜୀବନ କିପରି କଷ୍ଟକର ହୋଇପଡିଛି। କେବଳ ଭାରତ ନୁହେଁ, ଆମେରିକା ଏବଂ ବାଂଲାଦେଶକୁ ମଧ୍ୟ ଭୟଙ୍କର ଦୁର୍ଘଟଣାର ଶିକାର କରିବାରେ ପାକିସ୍ତାନ ଭୂମିକା ଗ୍ରହଣ କରିଛି । ସ୍ନେହା ମିଳିତ ଜାତିସଂଘକୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଏବଂ ଲଦାଖର ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ। ଏଥିରେ ସେହି ଅଂଶ ମଧ୍ୟ ଅନ୍ତର୍ଭୁକ୍ତ ଯାହା ବେଆଇନ ଭାବରେ ପାକିସ୍ତାନ ଦ୍ୱାରା ଦଖଲ କରାଯାଇଛି। ଏସବୁ ସ୍ଥାନକୁ ପାକିସ୍ତାନ ତୁରନ୍ତ ଖାଲି କରୁ । ଆଉ ଯଦି ଭାରତ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ଚାହୁଁଛି ତେବେ ପ୍ରଥମେ ନିଜ ନୀତିକୁ ସୁଧାରିବାକୁ ଚେଷ୍ଟା କରୁ । ତାଙ୍କର ଉଦବୋଧନ କୋଟି ହୃଦୟକୁ ଛୁଇଁଛି । ସାରା ଦେଶରେ ହେଉଛି ସ୍ନେହାଙ୍କ ବାହାବା ।
Follow Us