କନକ ବ୍ୟୁରୋ: ଗତ ମଙ୍ଗଳବାର କରାଚୀ ବିଶ୍ୱବିଦ୍ୟଳୟରେ ଘଟିଛି ଆତ୍ମଘାତୀ ବିସ୍ଫୋରଣ । ଏଥିରେ ପ୍ରାଣ ହରାଇଛନ୍ତି ୪ ଚୀନ ଶିକ୍ଷକଙ୍କ ସହ ୫ ବ୍ୟକ୍ତି । ମଙ୍ଗଳବାର କରାଚୀ ବିଶ୍ୱବିଦ୍ୟାଳୟ ପରିସରରେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣ କରିବା ପରେ ବଢିଛି ଚୀନର ଚିନ୍ତା । ଏହି ଘଟଣା ପାଇଁ ବେଲୁଚିସ୍ତାନ ଲିବରେସନ୍ ଆର୍ମି(ବିଏଲଏ) ନିଜକୁ ଦାୟୀ କରିଛି । ଏବେ ଚର୍ଚ୍ଚା ଏହାର ଜଣେ ମହିଳା ସଦସ୍ୟଙ୍କୁ ନେଇ ,ଯିଏ ବୁର୍ଖା ପିନ୍ଧି କରାଚି ୟୁନିଭର୍ସିଟି ଆଗରେ ଘଟାଇଲେ ଏହି ଭୟାନକ ବିସ୍ଫୋରଣ । ତେବେ ଏହି ମହିଳାଙ୍କ ସମ୍ପର୍କରେ ଜାଣିଲେ ଯେକେହି ଅଶ୍ଚର୍ଯ୍ୟ ହେବେ ।
ସ୍ୱାମୀ ଜଣେ ଡାକ୍ତର, ବାପା ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର, ଭାଇ ଜଣେ ତହସିଲଦାର, ଦୁଇ ସନ୍ତାନର ଜନନୀ ହେଉଛନ୍ତି ଏହି ମହିଳା ଶାରୀ ବେଲୁଚ୍ । ନିଜେ ମଧ୍ୟ କିଛି କମ୍ ପ୍ରତିଭାବାନ୍ ନୁହଁନ୍ତି । ଉଚ୍ଚଶିକ୍ଷିତ ଓ ଏକ ସଂଭ୍ରାନ୍ତ ପରିବାରରୁ ଆସିଥିବା ଏହି ମହିଳା ନିଜ ସମ୍ପ୍ରଦାୟ ପାଇଁ ଲଢେଇ ନିଜ ଜୀବନକୁ ବଳି ପକାଇଦେବା ସମସ୍ତଙ୍କୁ ଚକିତ କରିଛି । ନିଜ ଶରୀରରେ ବୋମା ଖଞ୍ଜି ବିସ୍ଫୋରଣ କରିଥିବା ପାକିସ୍ତାନ୍ କେଚ୍ ଜିଲ୍ଲା ବାସିନ୍ଦା ଶାରୀ ପେଶାରେ ଜଣେ ଶିକ୍ଷୟିତ୍ରୀ ।

Advertisment

ଶାରୀ ୨୦୧୪ ମସିହାରେ ବିଏଡ୍ ପାସ୍ କରିବା ପରେ ୨୦୧୮ରେ ଏମଏଡ୍ ମଧ୍ୟ କରିଥିଲେ । ଏହାବ୍ୟତୀତ ବେଲୁଚିସ୍ତାନ ବିଶ୍ୱବିଦ୍ୟାଳୟରୁ ସେ ପ୍ରାଣୀ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ଆଲାମ ଇକବଲ ବିଶ୍ୱବିଦ୍ୟାଳୟରୁ ଏମଫିଲ କରିଥିଲେ । ଶାରାଙ୍କ ସ୍ୱମୀ ଜଣେ ଡାକ୍ତର । ବାପା ତୁରବାଦ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର । ଜଣେ ଭାଇ ପ୍ରଶାସନିକ ଅଧିକାରୀ ଆଉ ଜଣେ ଭାଇ ଜିଲ୍ଲା କୋର୍ଟର ଉଚ୍ଚପଦାଧିକାରୀ । ଦାଦା ଜଣେ ପ୍ରଫେସର ଓ ସାହିତ୍ୟିକ, ଆଉ ଦୁଇ ଭାଇ ଡାକ୍ତର ।

ଶାରୀଙ୍କ ପରିବାର ଏକ ସମ୍ଭ୍ରବ ଓ ସଭ୍ରାନ୍ତ ଶ୍ରେଣୀର । ଶାରି ନିଜେ ମଧ୍ୟ ଅତି ଶାନ୍ତ ସ୍ୱାଭାବର । ବିଶ୍ୱ ବିଦ୍ୟାଳୟରେ ପାଠ ପଢିବା ସମୟରେ ସେ କେବଳ ବେଲୁଚି ଛାତ୍ର ମୁକ୍ତି ସଂଗ୍ରାମ ସଙ୍ଗଠନର ସଦସ୍ୟ ଥିଲେ । କିନ୍ତୁ କୌଣସି ବେଆଇନ୍ କାର୍ଯ୍ୟରେ ଲିପ୍ତ ନଥିଲେ । ହେଲେ ପରବର୍ତ୍ତୀ ସମୟରେ ବେଲୁଚିସ୍ତାନ୍ ଲିବରେସନ୍ ଆର୍ମିର ମାଜିଦ୍ ବ୍ରିଗେଡରେ ସାମିଲ ହେଲେ ଶାରୀ । ନିଜ ସମ୍ପ୍ରଦାୟ ପାଇଁ ଚାଲିଥିବା ଲଢେଇରେ ପ୍ରାଣବଳି ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ତାଙ୍କୁ ଗ୍ରୁପ ପକ୍ଷରୁ ଅନେକ ଥର ବୁଝାସୁଝା କରାଯାଇଥିଲା । ସେ କିନ୍ତୁ ନିଜ ଜିଦିରେ ଅଟଳ ରହିଥିଲେ । କୌଣସି ମତେ ବେଲୁଚିସ୍ତାନର ରିସୋର୍ସକୁ ଚୀନକୁ ନଦେବା ଜିଦିରେ ରହିଥିଲେ । ଯାହାକୁ କରାଚି ୟୁନିଭର୍ସିଟି ବାହାରେ ଆତ୍ମଘାତୀ ବିସ୍ଫେରଣ କରି ନିଜ ଲକ୍ଷ୍ୟ ପୂରଣ କରିଛନ୍ତି ଶାରି । ଯେଉଁଥିରେ ଜଳିପୋଡି ପାଉଁସ ହୋଇଯାଇଛନ୍ତି କନଫୁସିୟସ୍ ଇନଷ୍ଟିଚ୍ୟୁଟର ୪ ଚୀନ ଶିକ୍ଷକ ।

ଏହି ବିସ୍ଫୋରଣ ପରେ ଚୀନ ସରକାରଙ୍କ ଚିନ୍ତା ବଢିଯାଇଛି । ଏବେ ବିଏଲଏର ମାଜିଦ୍ ବ୍ରିଗେଡ୍ ଚୀନ୍ ନାଗରିକଙ୍କ ପ୍ରତି ରକ୍ତ ପିପାଶୁ ହୋଇଉଠିଛି । ବେଲୁଚିସ୍ତାନ ସୀମାରେ ଚୀନ ନିଜ ନିର୍ମାଣ କାର୍ଯ୍ୟ ଚଳାଇଥିବାବେଳେ ଏହାକୁ ବିରୋଧ କରୁଛି ସଙ୍ଗଠନ । ବେଲୁଚିସ୍ତାନରେ ଚୀନକୁ ପ୍ରତିରୋଧ କରିବାକୁ ଚୀନ ନାଗରିକଙ୍କୁ ଖୋଜି ଖୋଜି ହତ୍ୟା କରୁଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି ସଙ୍ଗଠନ ।