କିଏ ଏହି ଭୋଲେ ବାବା? କାହିଁକି ତାଙ୍କ ସତସଙ୍ଗରେ ଜମିଥିଲା ଭିଡ଼?

469

କନକ ବ୍ୟୁରୋ: ମଙ୍ଗଳବାର ହାଥରସ ଫୁଲେର ଗାଁରେ ସାକର ବିଶ୍ବହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ୟ୍ୟକ୍ରମ ଚାଲିଥିଲା। ଭୋଲେ ବାବାଙ୍କ ପ୍ରବଚନ ଶୁଣିବାକୁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା। ପୁରୁଷ, ମହିଳା, ଶିଶୁ, ଶ୍ରଦ୍ଧାଳୁଙ୍କ ଭିଡ଼ ଏତେ ଥିଲା ଯେ, ପାଦ ପକାଇବାକୁ ଜାଗା ନଥିଲା। ଆଉ ଏହି ଭିଡ ଅଣାୟତ ହୋଇ ଏତେ ବଡ଼ ଅଘଟଣ ଘଟିଛି। ଶତାଧିକ ଲୋକ ଅକାଳରେ ଆଖି ବୁଜିଛନ୍ତି। ଏଭଳି ଅଘଟଣ ପରେ ପ୍ରଶ୍ନ ଉଠୁଛି କିଏ ଏହି ଭୋଲେ ବାବା? ଯାହାଙ୍କ ସଭାରେ ଏତେ ଲୋକ ମରିଗଲେ, କାହିଁକି ଆସୁନାହାଁନ୍ତି ସାମ୍ନାକୁ? ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମଙ୍ଗଳବାର ସତସଙ୍ଗ ସ୍ଥଳରେ ଅଘଟଣ ହେବା କ୍ଷଣି ତୁରନ୍ତ ସେହି ସ୍ଥାନ ଛାଡ଼ି ପଳାଇଥିଲେ ଭୋଲେ ବାବା।

ସତସଙ୍ଗ ସ୍ଥଳରେ ଯେତେବେଳେ ଧାଁ-ଧପଡ଼ ଆରମ୍ଭ ହେଲା, ସେତେବେଳେ ସେହି ସ୍ଥାନ ଛାଡ଼ି ତୁରନ୍ତ ଫେରାର ହୋଇ ଯାଇଥିଲେ ଭୋଲେ ବାବା। ମଧ୍ୟରାତ୍ରିରେ ନିଜ ଆଶ୍ରମରେ ପହଞ୍ଚିଥିଲେ। ଆଉ ପରେ ସେଠାରୁ କେଉଁଆଡ଼େ ଚାଲିଯାଇଛନ୍ତି। ପୋଲିସ ତାଙ୍କର ଟେର ପାଉନାହିଁ।

ସକର ବିଶ୍ୱହରି ଭୋଲେ ବାବାଙ୍କୁ ତାଙ୍କ ଅନୁଗାମୀ ଭୋଲେ ବାବା ବୋଲି ଡାକନ୍ତି । ଭୋଲେ ବାବାଙ୍କ ଅସଲି ନାଁ ସୁରଜ ପାଲ। ୟୁପିର ବାହାଦୂର ନଗର ରହୁଛନ୍ତି ଭୋଲେ ବାବା।୧୭ ବର୍ଷ ତଳେ ପୁଲିସ ଚାକିରୀ ଛାଡି ପ୍ରବଚନ ଦେବା ଆରମ୍ଭ କରିଥିଲେ। ୟୁପି ଛଡା ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବି ଭୋଲେ ବାବାଙ୍କ ଅନୁଗାମୀ ଅଛନ୍ତି। ଭୋଲେ ବାବା ଓ ତାଙ୍କ ଅନୁଗାମୀ ସବୁବେଳେ ଗଣମାଧ୍ୟମରୁ ଦୂରେଇ ରହିଥାନ୍ତି। ଭଗବାନଙ୍କୁ ଭେଟିଥିବା ଦାବି କରନ୍ତି ଭୋଲେ ବାବା। ଯାହାକୁ ନେଇ ଆଧ୍ୟାତ୍ମିକ ଆଡ଼କୁ ମୁହାଁଇଥିଲେ। ଭିଆରଏସ୍ ନେଇ ପ୍ରବଚନ ଦେବା ଆରମ୍ଭ କରିଥିଲେ। ଦିନକୁ ଦିନ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଲା।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭୋଲେ ବାବା ପ୍ରବଚକ ହେବା ପାଇଁ ଚାକିରି ଛାଡ଼ି ନଥିଲେ। ବରଂ ଏକ ଯୌନ ଉତ୍ପୀଡ଼ନ ମାମଲାରେ ଛନ୍ଦି ହୋଇ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ଆଉ ଏହାପରେ ଧର୍ମଗୁରୁ ହୋଇ ଲୋକଙ୍କୁ ଭଣ୍ଡେଇବା ଆରମ୍ଭ କରିଥିଲେ।

୯୦ ଦଶକରୁ ଆରମ୍ଭ ହୋଇଥିଲା ଭୋଲେ ବାବା ଧାର୍ମିକ ଯାତ୍ରା। ତିରିଶ ବର୍ଷ ଭିତରେ ନିଜର ବିଶାଳ ସାମ୍ରାଜ୍ୟ ବନାଇଛନ୍ତି । ଲକ୍ଷ ଲକ୍ଷ ସଂଖ୍ୟାରେ ବାବାଙ୍କ ଅନୁଗାମୀ ରହିଛନ୍ତି। ବିଶେଷ କରି ଗରିବ ଶ୍ରେଣୀର ଲୋକେ ଭୋଲେ ବାବାଙ୍କୁ ବିଶ୍ୱାସ କରି ତାଙ୍କ ପୂଜାର୍ଚ୍ଚନା ବି କରନ୍ତି। ପ୍ରତ୍ୟେକ ମଙ୍ଗଳବାର ସତସଙ୍ଗ ହୁଏ। କରୋନା ସମୟରେ ବିବାଦରେ ଥିଲେ ବାବା। ୫୦ ଲୋକଙ୍କ ପାଇଁ ଅନୁମତି ମାଗିଥିଲେ, ହେଲେ ୫୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ମଙ୍ଗଳବାର ମଧ୍ୟ ୮୦ ହଜାର ଲୋକଙ୍କ ପାଇଁ ଅନୁମତି ମିଳିଥିବାବେଳେ ୨ ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା। ଯାହାକୁ ସଠିକ୍ ଭାବେ ନିୟନ୍ତ୍ରଣ କରାଯାଇପାରି ନଥିବାରୁ ଘଟିଛି ଏଭଳି ଅଘଟଣ ।

ଭୋଲେ ବାବାଙ୍କ ନିଜର ସ୍ୱତନ୍ତ୍ର ଆର୍ମି ରହିଛି। ଯେଉଁମାନଙ୍କୁ ସେବାଦାର କୁହାଯାଏ। ପ୍ରତି ମଙ୍ଗଳବାର ହେଉଥିବା ସତସଙ୍ଗର ତଦାରଖ ଏହି ସେବାଦାର ହିଁ କରନ୍ତି। ସେମାନେ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ, ପାଣି ଦେବା ସହ ଭିଡ଼ ନିୟନ୍ତ୍ରଣ କରନ୍ତି। ମଙ୍ଗଳବାର ସତସଙ୍ଗ ସରିବା ପରେ ଏହି କଳାପୋଷାକ ଧାରି ସେବାଦାର ଲୋକଙ୍କୁ ଅଟକାଇଥିଲେ। ବାବା ଯିବାକୁ ବାହାରିବାବେଳେ ତାଙ୍କ ଚରଣ ସ୍ପର୍ଶ କରିବା ପାଇଁ ଆରମ୍ଭ ହୋଇଥିଲା ଠେଲାପେଲା ଗୋଡ ଖସି କିଛି ଲୋକ ପଡିଯିବାରୁ ତାଉପରେ ତାଉପରେ ଦଳି ଚକଟି ବାହାରିବାକୁ ଉଦ୍ୟମ କରିଥିଲେ। ଫଳରେ ଶତାଧିକ ଲୋକଙ୍କ ଜୀବନ ଚାଲିଗଲା।