ଆଜି ସୋନିଆ ଡାକିଛନ୍ତି କଂଗ୍ରେସର ବୈଠକ: ୧୦ ଜନପଥରେ ସାମିଲ ହେବେ ଦଳର ୨୩ ତୁଙ୍ଗ ନେତା; ଆଗାମୀ ବିଧାନସଭା ନିର୍ବାଚନ ଓ ଦଳର ନେତୃତ୍ୱ ସମ୍ପର୍କରେ ହେବ ମାନସ ମନ୍ଥନ

ରାହୁଲଙ୍କ ନେତୃତ୍ୱ ଉପରେ ମୋହର ମାରିବାକୁ ଦଳୀୟ ନେତାଙ୍କ ଦାବି

73

କନକ ବ୍ୟୁରୋ: ଆଜି ବସିବ କଂଗ୍ରେସର ସାଂଗଠନିକ ବୈଠକ । ସୋନିଆଙ୍କ ନେତୃତ୍ୱରେ ହେଉଥିବା ବୈଠକକୁ ଦଳର ସମସ୍ତ ତୁଙ୍ଗ ନେତାଙ୍କୁ ଡାକରା ମିଳିଛି । କୁହାଯାଉଛି ଏହି ବୈଠକରେ ଦଳର ଆଗାମୀ ସଭାପତି କିଏ ହେବ ସେନେଇ ଚର୍ଚା ହେବ । ଏବେ ସୋନିଆଙ୍କ ହାତରେ ରହିଛି ଦଳର ନେତୃତ୍ୱ । ପୁଣି ଥରେ ରାହୁଲଙ୍କ ହାତକୁ କମାଣ ଦେବାକୁ ଦଳର ଅନେକ ନେତା ଯୁକ୍ତି ବାଢିଥିବାରୁ ଆଶା କରାଯାଉଛି ଆଜିର ବୈଠକରେ ଏହା ଉପରେ ମୋହର ବାଜିବ ।

ଦେଶରେ ଏବେ କଂଗ୍ରେସର ସ୍ଥିତି ଓ ଆଗାମୀ ରଣନୀତି ପ୍ରସ୍ତୁତ କରିବାକୁ ଆଜି କଂଗ୍ରେସ ବୈଠକ ବସୁଛି । ଦଳର ସଭାପତି ସୋନିଆ ଗାନ୍ଧି ଏହି ବୈଠକର ଡାକରା ଦେଇଛନ୍ତି । ଆଶାକରାଯାଉଛି ଦଳ ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତି, ଦେଶରେ ନିକଟରେ ଶେଷ ହୋଇଥିବା ବିହାର ବିଧାନସଭା ସହିତ ୧୧ ରାଜ୍ୟରେ ହୋଇଥିବା ୫୧ଟି ବିଧାନସଭା ଆସନରେ ଦଳର ଦୁର୍ବଳ ପ୍ରଦର୍ଶନ ଉପରେ ମାନସମନ୍ଥନ କରିବ । କରୋନା କାଳରେ ଏହା ହେବ ପ୍ରଥମ ବୈଠକ ଯେଉଁଥିରେ କଂଗ୍ରେସର ତୁଙ୍ଗ ନେତାଏଁ ମୁହାଁମୁହିଁ ବସି ଦଳର ସ୍ଥିତି ନେଇ ଆଲୋଚନା କରିବେ । ଏବେ ଦେଶରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଆଗାକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ବି ରହିଛି । ଏସବୁ ଭିତରେ ଦଳ ଭିତରେ ଜୋସ୍ ଭରିବାକୁ ଉଦ୍ୟମ କରିବେ ସୋନିଆ ।

ସୋନିଆଙ୍କ ଏହି ବୈଠକରେ ସାମିଲ ହୋଇପାରନ୍ତି କଂଗ୍ରେସର ୨୩ ବରିଷ୍ଠ ନେତା । ଏହା ସହିତ ଏହି ବୈଠକରେ ରାହୁଲ ଗାନ୍ଧି ଓ ପ୍ରିୟଙ୍ଗା ଭଦ୍ରାଙ୍କ ଯୋଗଦାନ ନେଇ ଚର୍ଚା ବି ହେଉଛି । ସୋନିଆଙ୍କ ବୈଠକକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ, ବରିଷ୍ଠ ନେତା ଶଶୀ ଥରୁର ମଧ୍ୟ ସାମିଲ ହେବେ । ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ପୁଡୁଚେରୀ ଏବଂ ଆସାମରେ ୨୦୨୧ରେ ହେବ ବିଧାନସଭା ନିର୍ବାଚନ । ସୋନିଆଙ୍କ ଡାକରାରେ ବୈଠକରେ ଏଥିପାଇଁ ଦଳ ତିଆରି କରିବ ରୋଡମ୍ୟାପ୍ । କାହା ନେତୃତ୍ୱରେ କଂଗ୍ରେସ ଆଗକୁ ବଢିବ ଏହି ବୈଠକରୁ ସ୍ପଷ୍ଟ ହେବା ଅନୁମାନ କରାଯାଉଛି ।