ଦାମୀ ଗାଡ଼ିର ଦୁର୍ଘଟଣା । ନିରୀହ ଭୋଗିଲେ ଯନ୍ତ୍ରଣା

2,899

କନକ ବ୍ୟୁରୋ : ଶୁଖୁନି ଆଖିର ଲୁହ । ଥମୁନି ଛାତିର କୋହ । ଗୋଟିଏ ପଟେ ପରିବାରର ଦୁଃଖ ଆଉ ଅନ୍ୟପଟେ ବଡ଼ ଭାଇର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା । ଜୀବନର ଦୋଛକିରେ ଛିଡା ହୋଇଥିବା ପରିବାର ଏବେ ନିରୁପାୟ । ପରିବାରର ଏକମାତ୍ର ରୋଜଗାରିଆ ପୁଅ, ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ।

ପୂର୍ବରୁ ସିଆଇଏସଏଫ ଯବାନ ଭାବରେ କାର୍ଯ୍ୟ କରୁଥିଲେ । ଏବେ ଭୁବନେଶ୍ୱରରେ ରହି ଛୋଟ ମୋଟ ବ୍ୟବସାୟ କରିବାକୁ ଯୋଜନା କରୁଥିଲେ । ହେଲେ ହଠାତ ପରିବାର ଉପରେ ବଜ୍ର ପଡି ଯାଇଛି । ଆଉ ଗୋଟିଏ ଦୁର୍ଘଟଣା, ପୂରା ପରିବାରକୁ ଦୁଃଖ ଦେଇଛି । ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଏବେ ଘରୋଇ ହସ୍ପିଟାଲରେ । ଦୁର୍ଘଟଣା ପରଠାରୁ କାହ୍ନୁଙ୍କ ଚେତା ଫେରୁ ନଥିବା ବେଳେ, ଖର୍ଚ୍ଚ ବାବଦକୁ ସୁନା ଅଳଙ୍କାର ବନ୍ଧା ପକାଇଥିବା କହିଛନ୍ତି ପରିବାର ।

ରେଞ୍ଜ ରୋଭର ଦୁର୍ଘଟଣାରେ କେବଳ କାହ୍ନୁ ନୁହଁନ୍ତି, ତାଙ୍କ ସହ ଆଉ ଜଣେ ଯୁବତୀ ମଧ୍ୟ ଗୁରୁତର ଆହତ ହୋଇ ଆଇସିୟୁରେ ଜୀବନ ସଂଗ୍ରାମ କରୁଛନ୍ତି । ସେ ହେଉଛନ୍ତି ଯାଜପୁରର ଲୋପାମୁଦ୍ରା ସାହୁ । ଭୁବନେଶ୍ୱରର ଏକ ହୋଟେଲରେ କାମ କରୁଥିଲେ । ସେ ବାଇକରେ ହେଲମେଟ ପିନ୍ଧି ବସିଥିଲେ, କିନ୍ତୁ ଏତେ ଜୋରରେ ଗାଡି ମାଡ ହୋଇଥିଲା ଯେ ତାଙ୍କର ବ୍ରେନ ଡେଡ୍ ହୋଇ ଯାଇଥିବା ପରିବାର ପକ୍ଷରୁ କୁହାଯାଇଛି ।
ସେହି ରେଞ୍ଜ ରୋଭର କାରର ନମ୍ବର ଓଡି ୨୩ କେ ୦୦୦୬ । ସହର ଭିତରେ ଗାଡିର ଗତି କେତେ ଅଧିକ ଥିଲା ସେନେଇ କେହି ବି ମୁହଁ ଖୋଲି ନାହାନ୍ତି । ତେବେ ଗାଡିର ଏୟାରବ୍ୟାଗ ବାହାରିବା ଦେଖି ଅନୁମାନ କରିହେଉଛି ଏହି କାରର ଘଂଟା ପ୍ରତି ବେଗ କେତେ ଥିବ । ଏହି ଘଟଣାରେ ପୁଲିସ ବି ମୁହଁ ଖୋଲୁନାହିଁ । ଏଠାରେ ପ୍ରଶ୍ନ ଉଠୁଛି ।
– କିଏ ଏହି ରେଞ୍ଜ-ରୋଭରର ମାଲିକ?
– ଦୁର୍ଘଟଣା ବେଳେ କାର କିଏ ଚଳାଉଥିଲେ?
– କାର ଭିତରେ କେତେ ଜଣ ଥିଲେ?
– ଦୁର୍ଘଟଣା ପରେ ନିଆଯାଇଛି କି କାର୍ଯ୍ୟାନୁଷ୍ଠାନ ?
– କାରଟିକୁ ଛାଡ଼ିବା ପାଇଁ ପଡୁଛି କି ଚାପ ?
– କାହିଁକି ସାମନାକୁ ଆସୁନାହାନ୍ତି କାର ମାଲିକ ?
– କାହିଁକି ଚୁପ ବସିଛି ପୁଲିସ?