କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ? ସଭାପତି ପଦ ପାଇଁ ୧୭ରେ ପଡିବ ଭୋଟ୍ । ସେହିଦିନ ହିଁ ବାହାରିବ ଫଳାଫଳ

337

କନକ ବ୍ୟୁରୋ: କିଏ ହେବ ବିଜେପିର ରାଜ୍ୟ ସଭାପତି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରାଜ୍ୟ ବିଜେପି ସଭାପତି ପଦ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ ଗ୍ରହଣ ହେବ । ଆଉ ସେହିଦିନ ହିଁ ଦିନ ସାଢେ ଗୋଟାଏରେ ଫଳାଫଳ ବାହାରିବ । ୧୬ ତାରିଖ ନାମାଙ୍କନ ଦାଖଲ ହେବ । ୩ଟାରୁ ୪ଟା ଭିତରେ ନାମାଙ୍କନ ଦାଖଲ ହେବ । ସାଢେ ୪ଟାରୁ ସାଢେ ୫ଟା ଭିତରେ ନାମାଙ୍କନ ଯାଂଚ ହେବ । ଆଉ ୫ଟାରୁ ୭ଟା ପ୍ରତ୍ୟାହାର ପାଇଁ ସମୟ ରହିବ ।

କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ । ଏନେଇ ବିଜେପି କରିଡରରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା । ବସନ୍ତ ପଣ୍ଡାଙ୍କ ପରେ କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ, ଏନେଇ ଅନେକ ନାଁ ସାମ୍ନାକୁ ଆସିଛି । ଆଉ ଏହି ରେସରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏବଂ ପୂର୍ବତନ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଭଳି ଟାଣୁଆ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ତେବେ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ନେତାଙ୍କ ହାତରେ ରହିଛି ରାଜ୍ୟ ପଦ୍ମ ଶିବିରର ଦାୟିତ୍ୱ । ତେଣୁ ଚଳିତଥର ଉପକୂଳ ଓଡିଶାର ନେତାଙ୍କୁ ବିଜେପି ସଭାପତି ପଦରେ ବସାଇବାକୁ ଚେଷ୍ଟା ଚଳାଇଥିବା ଚର୍ଚ୍ଚା ହେଉଛି । ଆଉ ଉପକୂଳ ଓଡିଶା କୋଟାରୁ ସମୀରଙ୍କ ନାଁ ସର୍ବାଗ୍ରେ ଆସୁଛି । ବିଜେପିର ଉପସଭାପତି ରହିଥିବା ସମୀର ଦୀର୍ଘଦିନ ଧରି ଦଳ ପାଇଁ କାମ କରି ଆସୁଛନ୍ତି । ସଂଘ ପରିବାରର ଏହି ଆଗ ଧାଡିର ନେତା ୨୦୧୯ରେ ନିର୍ବାଚନ ଲଢିବାକୁ ସୁଯୋଗ ପାଇନଥିବା ବେଳେ ସଭାପତି ପଦ ଦେଇ ତାଙ୍କୁ ସନ୍ତୁଷ୍ଟ କରିବାକୁ ବିଜେପିର କିଛି ଗୋଷ୍ଠୀ ପ୍ରୟାସ ଚଳାଇଛନ୍ତି ।

ଅନ୍ୟପଟେ କନକ ବର୍ଦ୍ଧନ ସିଂହଦେଓଙ୍କୁ ନେଇ ମଧ୍ୟ କମ ଚର୍ଚ୍ଚା ହେଉନାହିଁ । ପଶ୍ଚିମ ଓଡିଶାର ଏହି ଟାଣୁଆ ନେତାଙ୍କୁ ପୁଣିଥରେ ପଦ୍ମ ଦଳର ମୁଖିଆ କରିବାକୁ କେବେଠୁ ଦିଲ୍ଲୀରେ ଲବି ଆରମ୍ଭ ହୋଇଯାଇଛି। ସଭାପତି ଭାବେ କନକଙ୍କ କ୍ୟାରିୟର ଗ୍ରାଫ୍ ଏତେ ଭଲ ନଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ବଡ ସଙ୍ଗଠକ ଭାବେ ଏହି ରେସରେ ସେ ଆଗରେ ରହିଛନ୍ତି । କେଭି ସଭାପତି ଥିବା ସମୟରେ ଦଳ ଏତେଟା ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ଏବେ ରାଜ୍ୟ ବିଜେପିରେ ଚାଲିଥିବା ଗୋଳମାଳିଆ ସ୍ଥିତି ତାଙ୍କୁ ବେଶ ସୁହାଇବ ବୋଲି କୁହାଯାଉଛି ।

ସେହିପରି ପୁଣିଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ନାଁ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଛି । ଜୁଏଲଙ୍କ ପାଇଁ ମଧ୍ୟ କିଛି ଗୋଷ୍ଠୀ ଲବି କରୁଥିବାର ଖବର ସାମ୍ନାକୁ ଆସିଛି । ଅନ୍ୟପଟେ ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏହି ରେସରେ ଅଛନ୍ତି । ଅନ୍ୟପଟେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ କିଛି ନେତା ମଧ୍ୟ ସଭାପତି ରେସରେ ଥିବା ନେଇ ବିଜେପି ଅନ୍ଦର ମହଲରେ ହେଉଛି ଜୋରଦାର ଚର୍ଚ୍ଚା । ତେବେ ସଭାପତି କିଏ ହେବ ସେନେଇ ଚୂଡାନ୍ତ ଘୋଷଣା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ।