ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ତୁହାକୁ ତୁହା ବୈଠକ । ବସୁନ୍ଧରା ରାଜେଙ୍କ ଘରେ ବିଧାୟକଙ୍କ ଭିଡ

261

କନକ ବ୍ୟୁରୋ : ପାଂଚ ରାଜ୍ୟର ନିର୍ବାଚନ ଫଳାଫଳ ଆସିସାରିଛି । ବିଜେପି ଚମକ୍ରାର ପ୍ରଦର୍ଶନ କରି ୩ଟି ରାଜ୍ୟରେ ବଡ଼ ବିଜୟ ହାସଲ କରିଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଜେପି ଖାତାକୁ ଯାଇଥିବା ବେଳେ କଂଗ୍ରେସ ତେଲେଙ୍ଗାନା ଦଖଲ କରିଛି । ହେଲେ ଏବେ ବିଜୟ ପରେ ରାଜ୍ୟ ପାଇଁ ମୁଖିଆ ବାଛିବାର ସମୟ । କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି ଅଙ୍କକଷା । କାରଣ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଛନ୍ତି ଏକାଧିକ ଆଶାୟୀ । ଅବଶ୍ୟ ସବୁ ନେତା ପାର୍ଟି ହାଇକମାଣ୍ଡ ଉପରେ ନିଷ୍ପତି ନେବେ ବୋଲି କହନ୍ତି, ହେଲେ ନିଜ ସପକ୍ଷରେ ଜୋରଦାର ଲବିରେ ଲାଗିପଡ଼ନ୍ତି । ଲବିର ଦୃଶ୍ୟ ସାମ୍ନାକୁ ଆସିଲାଣି । ରାଜସ୍ଥାନରେ ବସୁନ୍ଧରା ରାଜେ ନିଜ ଦାବି ଦୃଢ଼ କରିବାକୁ ଜୋରଦାର ଲବି କରୁଛନ୍ତି ।

ରାଜସ୍ଥାନରେ ବିଜେପିକୁ ଏବେ ଅଡୁଆ ପାଲଟିଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ? ମୁଖ୍ୟମନ୍ତ୍ରୀ ପଦ ପାଇଁ ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଦିଲ୍ଲୀରେ ଏ ନେଇ ଶୀର୍ଷ ନେତା କ’ଣ ନିଷ୍ପତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭାବେ ଦାବିଦାର କୁହାଯାଉଥିବା ବସୁନ୍ଧରାଙ୍କୁ ୭୦ ଜଣ ବିଧାୟକ ଭେଟିଥିବା କୁହାଯାଉଛି । ଗୋଟିଏ ପଟେ ଦିଲ୍ଲୀରେ ବିଜେପିର ଶୀର୍ଷ ନେତା ସବୁ ଦିଗକୁ ବିଚାର କରୁଛନ୍ତି । ଅନ୍ୟପଟେ ବସୁନ୍ଧରାଙ୍କୁ ୭୦ ବିଧାୟକ ଭେଟିବା ଦଳ ଭିତରେ ସିଏମ୍ ଚେହେରାକୁ ନେଇ ମତପାର୍ଥକ୍ୟ ରହିଛି ବୋଲି ଇଂଗିତ ଦେଉଛି । ବିଧାନସଭା ନିର୍ବାଚନ ବେଳେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚେହେରା, ଗେହଲଟ ସରକାରର ବିଫଳତାକୁ ମୁଦ୍ଦା କରି ୫ ବର୍ଷ ପରେ ପୁଣିଥରେ ଜନତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛି ବିଜେପି । ଏବେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ସେ ନେଇ ଚାଲିଛି ଚର୍ଚ୍ଚା ।

ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ସମସ୍ତଙ୍କ ଅପେକ୍ଷା ରହିଛି । ଏହାରି ଭିତରେ ମୁଖ୍ୟତଃ ୪ ଜଣ ନେତାଙ୍କ ନାଁ ଚର୍ତ୍ତା ହେଉଛି । ବସୁନ୍ଧରା ରାଜେ ପୂର୍ବରୁ ଦୁଇ ଦୁଇଥରର ମୁଖ୍ୟମନ୍ତ୍ରୀ ରହିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ ରେସରେ ଆଉ ଜଣେ ମହିଳା ଦିଆକୁମାରୀ ଆଗରେ ଅଛନ୍ତି । ସେ ବର୍ତମାନ ସାଂସଦ ଅଛନ୍ତି । ସେ ରାଜସ୍ଥାନର ଲୋକପ୍ରିୟ ରାଣୀ ଗାୟତ୍ରୀ ଦେବୀଙ୍କ ନାତୁଣୀ । ନିଜ ଅଂଚଳର ବିକାଶ କାମ ଯୋଗୁଁ ରାଜସ୍ଥାନରେ ତାଙ୍କର ଲୋକପ୍ରିୟତା ବଢିଛି । ସେହିପରି ଗଜେନ୍ଦ୍ର ସିଂ ଶେଖାୱତ ଏବେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେ ମୁଖ୍ୟମନ୍ତ୍ରୀ ରେସରେ ଥିବା ଚର୍ଚ୍ଚା ହେଉଛି । ଅଶୋକ ଗେହଲଟଙ୍କ ପ୍ରମୁଖ ବିରୋଧୀ ଭାବେ ଜଣାଶୁଣ।। ଅଲୱାରରୁ ସାଂସଦ ଥିବା ବାବା ବାଲକନାଥ ମଧ୍ୟ ଏବେ ଚର୍ଚ୍ଚାରେ । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବାଛିବା ଆଗରୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱକୁ ଅନେକ ଦିଗ ଉପରେ ନଜର ଦେବାକୁ ହେବ, ତେଣୁ ଏହି ନିଷ୍ପତି ନେବା ଏତେ ସହଜ ହେବ ନାହିଁ ।

ମଧ୍ୟପ୍ରଦେଶ ରାଜନୀତି ପୁଣି ଚର୍ଚ୍ଚାରେ । ନିର୍ବାଚନରେ ବିଜୟୀ ହେବା ପରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଚାଲିଛି । ଅନେକ ନେତା ମୁଖ୍ୟମନ୍ତ୍ରୀ ହେବାକୁ ନିଜ ନିଜ ଶୈଳୀରେ ଦଳର ହାଇକମାଣ୍ଡଙ୍କୁ ବାର୍ତା ଦେଉଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ସେ ତାଙ୍କ ପରିବାର ଲୋକଙ୍କ ସହ ଏକ ରେଷ୍ଟୁରାଂଟ ଯାଇଛନ୍ତି । ଯେଉଁଠାରେ ସେ ନୈଶ ଭୋଜିରେ ଯୋଗ ଦେଇଛନ୍ତି । ଖାଇବା ଥାଳିରେ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ କଥା ହେଉଛନ୍ତି । ଏବଂ ରେଷ୍ଟୁରାଂଟରେ ଏକ ଛୋଟ ପିଲାର ଜନ୍ମଦିନ କେକ ମଧ୍ୟ କାଟିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଅନେକ ନାମ ଚର୍ଚ୍ଚା ହେଉଛି । ନିର୍ବାଚନର ସଫଳତା ପଛରେ ପ୍ରଧାନମନ୍ତ୍ରୀଙ୍କ ପରେ ଦ୍ୱିତୀୟ ଶ୍ରେୟ ଯାଉଛି ଶିବରାଜ ସିଂହ ଚୌହାନଙ୍କୁ । ହେଲେ ଏବେ ରେସରେ ଅଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ, କୈଳାଶ ବିଜୟଭର୍ଗିଆ ଭଳି ନେତା । ତେବେ ଅନେକ ନେତା ପଦ ପାଇବାକୁ ଚାପରେ ଥିବା କୁହାଯାଉଥିବା ବେଳେ ଶିବରାଜ ସିଂଙ୍କ ଏହି ନୈଶ ଭୋଜି ଅନେକ ବର୍ତ୍ତା ଦେଉଛି । ଗୋଟିଏ ପଟେ କୁହାଯାଉଛି ମୁଖ୍ୟମନ୍ତ୍ରୀ ହେବା ନେଇ ‘ମାମା’ ବେଶୀ ଚିନ୍ତିତ ନୁହେଁ । କାରଣ ଏଯାବତ ସେ ୪ ଥର ମୁଖ୍ୟମନ୍ତ୍ରୀ ହୋଇସାରିଲେଣି । ଏଥର ଯଦି ଆସନ ଅଳଙ୍କୃତ କରିବେ ତାହେଲେ ପଂଚମ ଥର ହେବେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଶିବରାଜ ନିଜ ସ୍ଥାନରେ ନିରବ ରହି ଶୀର୍ଷ ନେତୃତ୍ୱକୁ ବାର୍ତା ଦେବାକୁ ଚାହୁଁଛନ୍ତି ଯେ ସେ ପଦ ପାଇଁ ଆଦୌ ଲାଳାୟତ ନୁହନ୍ତି । ଏବଂ ସେ ଜଣେ ଶୃଙ୍ଖଳିତ ନେତା । ଦଳ ହାଇକମାଣ୍ଡଙ୍କ ଆଦେଶ ସର୍ବମାନ୍ୟ ।

ଛତିଶଗଡରେ କିଏ ମୁଖ୍ୟମନ୍ତ୍ରୀ ହେବ, ତାର ନିଷ୍ପତି ନେବା ବିଜେପି ହାଇକମାଣ୍ଡ ପାଇଁ କଷ୍ଟକର ହୋଇପଡ଼ିଛି । ଛତିଶଗଡ଼ ଏକ ଆଦିବାସୀ ବହୁଳ ରାଜ୍ୟ । ତେଣୁ ଯଦି ବିଜେପି ଜଣେ ଆଦିବାସୀ ଚେହେରାକୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତି ନିଏ, ତେବେ ପ୍ରଥମ ପସନ୍ଦ ହେବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ରାଜ୍ୟ ବିଜେପି ସରକାରର ନେତୃତ୍ୱ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । କେନ୍ଦ୍ରମନ୍ତ୍ରୀ ରେଣୁକା ସିଂ, ବରିଷ୍ଠ ନେତା ଅରୁଣ ସାଓ, ବିଜେପି ନେତା ବିଜୟ ବାଘେଲ, ବିଜେପି ନେତା ରାମବିଚାର ନେତମ, ଲତା ଉସେଣ୍ଡି ମଧ୍ୟ ଏହି ଦୌଡ଼ରେ ଅଛନ୍ତି ।

୫ ରାଜ୍ୟର ବିଧାନସଭା ନିର୍ବାଚନକୁ ରାଜନୈତିକ ସମୀକ୍ଷକମାନେ ସେମିଫାଇନାଲ ବୋଲି କହିଥିଲେ, ଆଉ ଏହି ସେମିଫାଇନାଲରେ ଦମଦାର ପ୍ରଦର୍ଶନ କରି ବାଜି ମାରି ନେଇଛି ବିଜେପି । ହେଲେ ୨୦୨୪ ଫାଇନାଲ ଫାଇଟ୍ ପାଇଁ ବିଜେପି ଏବେ ଠାରୁ ରଣନୀତିରେ ଲାଗିପଡ଼ିଛି । ତେଣୁ ଛତିଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କିଏ ହେବ, କାହା ଉପରେ ମୋଦୀ-ଶାହା ଯୋଡ଼ି ଭରସା କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।