ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ କିଏ ହେବ ମୁଖ୍ୟମନ୍ତ୍ରୀ । ଆଜି ବିଧାୟକ ଦଳ ବୈଠକରେ ହୋଇପାରେ ନିଷ୍ପତ୍ତି

103

କନକ ବ୍ୟୁରୋ : ଏକ ନାଟକୀୟ ଘଟଣାକ୍ରମରେ ଶୁକ୍ରବାର ରାତିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥସିଂ ରାୱତ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫା ପରେ ଆଜି ବିଜେପି ବିଧାୟକ ଦଳର ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ନୂଆ ନେତା ନିର୍ବାଚିତ ହେବ ବୋଲି ଅନୁମାନ କରାଯାଉଛି । ୪ ମାସ ମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବା ପରେ ଅଚାନକ ଶୁକ୍ରବାର ରାତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଥିଲେ ତୀରଥ ସିଂ ରାୱତ । ଏହାସହ ମଧ୍ୟରାତ୍ରରେ ରାଜ୍ୟପାଳଙ୍କ ନିକଟକୁ ବି ନିଜର ଇସ୍ତଫା ପତ୍ର ପଠାଇଥିଲେ ।

ତୀରଥ ସିଂ ଇସ୍ତଫା ଦେବା ପୂର୍ବରୁ ଶୁକ୍ରବାର ସକାଳୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ । ଏହାପରେ ସାମ୍ବିଧାନିକ ସଂକଟ କାରଣରୁ ସେ ଇସ୍ତଫା ଦେଇଥିବା କଥା କୁହାଯାଇଛି । ଅନ୍ୟପଟେ ଆଜି ଡେରାଡୁନ ଠାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ଓ ଉତ୍ତରାଖଣ୍ଡ ବିଜେପି ପ୍ରଭାରୀ ଦୁଷ୍ମନ୍ତ ଗୌତମଙ୍କ ଉପସ୍ଥିତିରେ ବିଧାୟକ ଦଳ ନେତା ନିର୍ବାଚନ ହେବ ବୋଲି ସୂଚନା ମିଳିଛି ।

କହିରଖୁ କି ମୋଟ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ୫୭ ଜଣ ବିଜେପି ବିଧାୟକ ରହିଛନ୍ତି । ଏହାସହ ସତପାଲ ମହାରାଜ ଓ ଧନ ସିଂ ରାୱତ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଚିଠି ଲେଖି ସେମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ଥିବା କଥା ଆଲୋଚନା ହେଉଛି ।

ସୂଚନା ଥାଉକି ତୀରଥସିଂ ରାୱତ ମୁଖ୍ୟମନ୍ତ୍ରୀ ହେବା ପରେ ଅନେକ ବିବାଦୀୟ ବୟାନ ଦେଇ ଲୋକଲୋଚନରେ ସମାଲୋଚିତ ହୋଇଥିଲେ । ଏହାସହ ସେ ବିଭିନ୍ନ ଯୋଜନା ଘୋଷଣା କରିଥିଲେ ବି ତାହା ଲୋକଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଉଥିବା କଥା ଦଳୀୟ ନେତାମାନେ ବାରମ୍ବାର ଅଭିଯୋଗ କରୁଥିଲେ ।