ଆରୋଗ୍ୟ ସେତୁ ଆପ୍ ର ନିର୍ମାତା କିଏ ? ବିବାଦ ଘନଉଥିବା ବେଳେ ଆରଟିଆଇରେ ଗୋଳମାଳିଆ ତଥ୍ୟ ଦେଇଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

417

କନକ ବ୍ୟୁରୋ : ଆରୋଗ୍ୟ ସେତୁ ଆପ୍ କୁ ନେଇ ବିବାଦ ଏବେ ଉଗ୍ରରୂପ ନେବାକୁ ବସିଲାଣି । ଆପ୍ ଟି ସରକାରୀ କି ବେସରକାରୀ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ସରକାରୀ ଡୋମେନ gov.in ସହ ନିର୍ମାଣ ହୋଇଛି କିନ୍ତୁ ଆପ୍ ନିର୍ମାତାଙ୍କୁ ନେଇ ଏପର୍ଯ୍ୟନ୍ତ ଦ୍ୱନ୍ଦରେ ସରକାର । ଆପ୍ ସେତୁ କିଏ ନିର୍ମାଣ କରିଛି ଏନେଇ ସୂଚନା ଅଧିକାର ବଳରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଠିକ୍ ରେ ନମିଳି ପାରିବାରୁ ଚର୍ଚ୍ଚା ଯୋର ଧରିଛି ।

କରୋନା ସଂକ୍ରମଣକୁ ନିୟନ୍ତ୍ରଣ, ସଂକ୍ରମିତଙ୍କୁ ଠାବ କରିବା ଓ ସେମାନଙ୍କୁ ସମସ୍ତ ଆବଶକୀୟ ତଥ୍ୟ ଯୋଗାଇ ଦେବାକୁ ନେଇ ଏହି ଆପ୍ ନିର୍ମାଣ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ପରେ ଏବେ ଦେଶର ଦଶ କୋଟି ଲୋକ ଏହି ଆପ୍ କୁ ନିଜ ମୋବାଇଲରେ ଡାଉନଲୋଡ କରିସାରିଛନ୍ତି । ଏସବୁ ପରେ ବି ଆପ୍ କୁନେଇ ନା ସରକାରଙ୍କ ପାଖରେ କିଛି ତଥ୍ୟ ରହିଛି ନା ସୂଚନା ଅଧିକାର ବିଭାଗ ଏହି ଆପ୍ ର ନିର୍ମାତାଙ୍କ ବାବଦରେ କିଛି ସଠିକ୍ ତଥ୍ୟ ଦେଇ ପାରୁଛି । ଆପ୍ ର ନିର୍ମାଣକୁ ନେଇ କେନ୍ଦ୍ର ସୂଚନା କମିଶନରଙ୍କ ଦ୍ୱାରା ଆରଟିଆଇରେ ଆବେଦନ କରାଯାଇ କେନ୍ଦ୍ର ବିଦ୍ୟୁତ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ, କେନ୍ଦ୍ର ଇ- ଗଭର୍ଣ୍ଣାସ ଡିଭିଜନ ଏବଂ ଏନଆଇସି ଠାରୁ ତଥ୍ୟ ମଗାଯାଇଥିଲା । ହେଲେ ସବୁତକ ସଂସ୍ଥା ତଥ୍ୟ ଯୋଗାଇବାରେ ବିଫଳ ହେବା ପରେ ଗତ ଅକ୍ଟୋବର ୨୮ ତାରିଖରେ ସିଆଇସି ସମସ୍ତଙ୍କୁ ପ୍ରଶ୍ନ କରିବା ସହ କେନ୍ଦ୍ର ଲୋକ ସୂଚନା ଅଧିକାରୀ ବା ସପିଆଇଙ୍କୁ ସମନ ଜାରି କରିଛନ୍ତି । ଏହା ସହ ଆପ୍ ନିର୍ମାଣରେ ଭାଗିଦାରୀ ଥିବା ସରକାରୀ ସଂସ୍ଥା ଏନଆଇସିକୁ ମଧ୍ୟ ଜବାବ୍ ତଲବ କରିଛନ୍ତି ସିଇସି ।

ଆପ୍ ର ବାପ କିଏ । ଏନେଇ ବିବାଦ ଥମୁ ନଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । ଏହି ଆପ୍ ମାଧ୍ୟମରେ ଦେଶବାସୀଙ୍କ ଉପରେ ସର୍ଭେଲାନ୍ସ କରୁଥିବା ଭଳି ଗମ୍ଭୀର ଆରୋପ ଲଗାଇଛନ୍ତି ରାହୂୁଲ ଗାନ୍ଧୀ । ଏହି ଆପ୍ ଆଉଟ ସୋର୍ସଡ ହେବା ସହ ଏହା ଦ୍ୱାରା ସରକାର ଲୋକଙ୍କୁ ତାଙ୍କ ବିନା ଜାଣତରେ ଟ୍ରାକ୍ କରୁଥିବା କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲଙ୍କ ଏଭଳି ଟ୍ୱିଟ୍ ପରେ କେନ୍ଦ୍ର ଆଇନ, ବିଦ୍ୟୁତ୍ ଏବଂ ସୂଚନା ପ୍ରସାରଣ ମନ୍ତ୍ରୀ ଟ୍ୱିଟ୍ ଯୋଗେ ଏହାର ଜବାବ୍ ରଖିଛନ୍ତି । ସେ କହିଛନ୍ତି କି ଏହି ଆପ୍ ସାରା ବିଶ୍ୱରେ ଲୋକମାନଙ୍କ ଦ୍ୱାରା ଆଦୃତ ହେଉଥିବା ବେଳେ ରାହୁଲ ଗାନ୍ଧୀ ଏହାକୁ ନେଇ ଲୋକମାନଙ୍କ ନିକଟରେ ମିଛ କହୁଛନ୍ତି ।
ହେଲେ ଏହି ମାମଲାରେ ଭୂଲତଥ୍ୟ ଦେଇଥିବା ଅଧିକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଏପ୍ରିଲ ମାସରେ କରୋନା ସଂକ୍ରମଣ ଧିରେ ଧିରେ ବଢୁଥିବା ବେଳେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ଆପ୍ ର ବ୍ୟବହାର କରିବାକୁ ଦେଶବାସୀଙ୍କୁ ନିଜେ ପ୍ରଧାନମନ୍ତ୍ରୀ ଅନୁରୋଧ ମଧ୍ୟ କରିଥିଲେ । ହେଲେ ପରବର୍ତ୍ତି ସମୟରେ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ବ୍ୟକ୍ତିଗତ ତଥ୍ୟ ଚୋରି ହେଉଥିବା ଆରୋପ ମଧ୍ୟ ଲାଗିଥିଲା ।