କନକ ବ୍ୟୁରୋ : ପ୍ରମିଳା ମଲ୍ଳିକ ଓଡ଼ିଶା ବିଧାନସଭାର ବାଚସ୍ପତି ହେବା ପରେ ଏ ନେଇ ବିତର୍କ ଆରମ୍ଭ ହୋଇଛି । ବିଶେଷ କରି ସୋସିଆଲ୍ ମିଡିଆ ଏହାକୁ ନେଇ ଦୁଇ ଭାଗ ହୋଇଯାଇଛି । କିଛି ପ୍ରମିଳା ମଲ୍ଲିକଙ୍କ ସପକ୍ଷରେ ମତ ରଖୁଥିବା ବେଳେ ଆଉ କିଛି ସରଳା ଦେବୀଙ୍କ ସପକ୍ଷରେ ମତ ଦେଉଛନ୍ତି । ତେଣୁ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ।

Advertisment

ଏହାକୁ ଭଲ ଭାବେ ବୁଝିବାକୁ ହେଲେ ସରଳା ଦେବୀଙ୍କ ସଂପର୍କରେ କିଛି ଜାଣିବାକୁ ହେବ । ୧୯୦୪ ମସିହାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ସରଳା ଦେବୀ, ମହାତ୍ମା ଗାନ୍ଧୀଙ୍କ ଡାକରାରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ନିଜର ଓଜସ୍ୱିନୀ ଭାଷଣ ଯୋଗୁଁ ଅଗ୍ନିବର୍ଷୀ ନେତ୍ରୀ ଭାବେ ସେ ପରିଚିତ ହୋଇଥିଲେ । ସ୍ୱାଧୀନତା ପୂର୍ବରୁ ୧୯୩୭ ମସିହାରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହେବା ସହ ବିଧାନସଭାର ପ୍ରଥମ ମହିଳା ସଦସ୍ୟ ହେଇଥିଲେ । ୧୯୩୭ରେ ଗଠିତ ବିଧାନସଭାରେ ବାଚସ୍ପତି ହୋଇଥିଲେ ମୁକୁନ୍ଦ ପ୍ରସାଦ ଦାସ ଏବଂ ଉପ-ବାଚସ୍ପତି ହୋଇଥିଲେ ନନ୍ଦକିଶୋର ଦାସ । ତେବେ ବିଧାନସଭାରେ ଅଧ୍ୟକ୍ଷତା କରିବାର ସୁଯୋଗ ସରଳା ଦେବୀଙ୍କୁ ମିଳିଥିଲା । ତେଣୁ ସେ ହିଁ ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ଅନେକ ଯୁକ୍ତି ବାଢିଥାନ୍ତି । ସରଳା ଦେବୀଙ୍କ ୱିକିପିଡିଆରେ ମଧ୍ୟ ଏ ନେଇ ଉଲ୍ଲେଖ ରହିଛି । ଓଡ଼ିଶା ରାଜନୀତି ଇତିହାସ ଲେଖିଥିବା ଉଦ୍ଧବ ଚରଣ ନାୟକଙ୍କ ମତରେ ସରଳା ଦେବୀ, ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ।

ତେବେ ଏହା ସହ ଅନେକ ଏକ ମତ ହୋଇନାହାନ୍ତି । ଓଡ଼ିଶା ବିଧାନସଭା ୱେବସାଇଟ୍ରେ ମଧ୍ୟ ଏ ସଂପର୍କରେ କିଛି ତଥ୍ୟ ନାହିଁ । ୱେବସାଇଟରେ ଥିବା ବାଚସ୍ପତିଙ୍କ ତାଲିକା ମୁତାବକ, ଏଥିରେ ସ୍ୱାଧୀନତା ପୂର୍ବ ଓ ପରର ସମସ୍ତ ବାଚସ୍ପତିଙ୍କ ନାଁ ଉଲ୍ଲେଖ ରହିଛି । ଏହି ତାଲିକାକୁ ଦେଖିଲେ, ଜଣାପଡୁଛି ପ୍ରମିଳା ମଲ୍ଲିକ, ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି । ବିଧାନସଭାରେ ଲାଗିଥିବା ବାଚସ୍ପତିଙ୍କ ଫଳକରେ ମଧ୍ୟ ସରଳା ଦେବୀଙ୍କ ନାଁ ନାହିଁ ।

ଦିନକ ପାଇଁ ହେଉ ବି ଓଡ଼ିଶା ବିଧାନସଭାର ଅଧ୍ୟକ୍ଷତା କରିଥିଲେ ସରଳା ଦେବୀ । କିନ୍ତୁ ତାଙ୍କୁ ପ୍ରଥମ ମହିଳା ବାଚସ୍ପତି କୁହାଯିବ କି ନାହିଁ, ଏ ନେଇ ଦ୍ୱନ୍ଦ୍ୱ ରହିଛି । ତେବେ ସରକାରୀ ତଥ୍ୟ ଅନୁସାରେ ପ୍ରମିଳା ମଲ୍ଲିକଙ୍କୁ ପ୍ରଥମ ମହିଳା ବାଚସ୍ପତି କୁହାଯାଉଛି ।