କନକ ବ୍ୟୁରୋ: ଏଥର ପାରାଦୀପରୁ କିଏ? ପାରାଦୀପ ପଲିଟିକ୍ସ କିଏ ହେବ ପ୍ରମଖ ଚେହେରା? କିଏ ହାତେଇବ ବିଜେଡି ଟିକେଟ୍? କଟିଯିବ କି ସମ୍ବିତ ରାଉତରାୟଙ୍କ ଟିକେଟ୍? ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେ ଟିକେଟ୍ ବଣ୍ଟା ଚାଲିଥିବାବେଳେ, କଂଗ୍ରେସରୁ ବାପି ସର୍ଖେଲଙ୍କ ଇସ୍ତଫା ଆଉ ବିଜେଡିରେ ମୋନୀଦିପାଙ୍କ ସାମିଲ ହେବା, ଏପରି କିଛି ପ୍ରଶ୍ନ ସୃଷ୍ଟି କରିଛି ।

ଗୁରୁବାର କଂଗ୍ରେସର ସମସ୍ତ ପଦବୀ ଓ ପ୍ରାଥମିକ ସଭ୍ୟ ପଦରୁ ବାପି ସର୍ଖେଲ ଇସ୍ତଫା ଦେଇଛନ୍ତି । ହେଲେ ସେ ବିଜେଡିରେ ସାମିଲ ହେବେ କି ନାହିଁ, ତା କିନ୍ତୁ ସ୍ପଷ୍ଟ କରିନାହାଁନ୍ତି । ହେଲେ ତାଙ୍କ ପତ୍ନୀ ମୋନିଦୀପା ସର୍ଖେଲ କିନ୍ତୁ କିଛି ଦିନ ତଳେ ବିଜେଡିରେ ସାମିଲ ହେଇ ଶଙ୍ଖ ଫୁଙ୍କିସାରିଛନ୍ତି । ତେଣୁ ରାଜନୈତିକ ପଣ୍ଡିତମାନଙ୍କ କହିବା କଥା, ଏଥର ପାରାଦୀପ ପଲିଟିକ୍ସ ସହ ବିଜେଡିରେ ମୋନିଦୀପଙ୍କ ଏଣ୍ଟ୍ରି ହେବା ପରେ କଟିପାରେ ସମ୍ବିତ ରାଉତରାୟଙ୍କ ଟିକେଟ୍ ।

ଜାଣିରଖିବା ଉଚିତ୍ ଯେ, ପାରାଦୀପ ରାଜନୀତି ଟାଣୁଆ ନେତା ହେଉଛନ୍ତି ବାପି ସର୍ଖେଲ । କଂଗ୍ରେସ ଟିକେଟରୁ ସେ ନିର୍ବାଚନ ମଧ୍ୟ ଲଢିଥିବାବେଳେ, ତାଙ୍କ ପାଖରେ ଭଲ ସଙ୍ଗଠନ ଶକ୍ତି ମଧ୍ୟ ଅଛି । ତେଣୁ ତାଙ୍କ ପତ୍ନୀଙ୍କୁ ଦଳରେ ସାମିଲ କରି ବଡ ଚାଲ୍ ଖେଳିଛି ବିଜେଡି । ଅନ୍ୟପଟେ ବର୍ତ୍ତମାନ ପାରାଦୀପରୁ ବିଧାୟକ ଅଛନ୍ତି ଭେଟେରାନ୍ ରାଜନେତା ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ । ହେଲେ ଏଥର କିନ୍ତୁ ସମ୍ବିତଙ୍କ ଟିକେଟ୍ କାଟି ଦଳ ବାପି ସର୍ଖେଲଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

୨୦୧୯ ନିର୍ବାଚନରେ ସମ୍ବିତ ବିରୋଧରେ କଂଗ୍ରେସ ଟିକେଟରୁ ଲଢିଥିଲେ ବାପି ସର୍ଖେଲ । କିନ୍ତୁ ଗତଥର ସେ ପାଖାପାଖି ୨୦ ହଜାରରୁ ଅଧିକ ଭୋଟର ପରାଜୟ ବରଣ କରିଥିଲେ । ସେହିପରି ୨୦୧୪ରେ ମଧ୍ୟ ସେ ସେହି ସମାନ ଆସନରୁ ସମ୍ବିତଙ୍କ ବାପା ଦାମ ରାଉତଙ୍କ ପାଖରୁ ପାଖାପାଖି ୩୫ ହଜାରରୁ ଅଧିକ ଭୋଟରେ ହାରିଥିଲେ ବାପି ସର୍ଖେଲ । ତେଣୁ ଏଥର ନିଜେ ନହେଲେ ବି ନିଜ ପତ୍ନୀଙ୍କୁ ପାରାଦୀପରୁ ବିଧାନସଭା ପଠାଇବାକୁ ବାପି ରଣନୀତି କରୁଥିବା ଅନୁମାନ କରିଛନ୍ତି ରାଜନୈତିକ ବିଶେଷଜ୍ଞ ।