ବିଜେପୁର ଆସନକୁ ନେଇ ଜୋରଧରିଲା ଚର୍ଚ୍ଚା ! ବିଜେଡିରୁ ପ୍ରାର୍ଥୀ ହେବ କିଏ? 

272

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ରବିବାର ବିଜେପୁର ଆସନରୁ ଇସ୍ତଫା ଦେବା ପରେ ବିଜେପୁର ପୁଣି ଥରେ ଉପନିର୍ବାଚନର ସମ୍ମୁଖୀନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଏହି ଆସନରୁ ଇସ୍ତଫା ଦେବା ପୂର୍ବରୁ ବିଜେପୁରବାସୀଙ୍କ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଅଧିକାଂଶ ପ୍ରକଳ୍ପ ୨ବର୍ଷ ଭିତରେ ସାରିବାକୁ ଟାର୍ଗେଟ ଦିଆଯାଇଛି। ବିଜେପୁର ଆସନରେ ନଥିଲେ ହେଁ ମୁଖ୍ୟମନ୍ତ୍ରୀ ଖୋଦ୍ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ବ୍ୟକ୍ତିଗତ ଭାବେ ସମୀକ୍ଷା କରିବେ ବୋଲି କହି ସାରିଛନ୍ତି। ଯଦ୍ବାରା ପ୍ରଶାସନିକ ସ୍ତରରେ ପ୍ରକଳ୍ପଗୁଡ଼ିକୁ ଆଗେଇ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପ୍ୟାକେଜରେ ଗାଇସିଲାଟ୍, ବିଜେପୁର ଏବଂ ବରପାଲିବାସୀଙ୍କ ପାଇଁ ମେଗା ପ୍ରକଳ୍ପ ସ୍ଥାନ ପାଇଛି। ଏହି ଆସନରୁ ପ୍ରତିନିଧିତ୍ବ କରୁନଥିଲେ ହେଁ ବିଜେପୁରର ବିକାଶ ତାଙ୍କ ତତ୍ବାବଧାନରେ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ବାର୍ତା ଦେଇଛନ୍ତି।

ଏପଟେ ଉପନିର୍ବାଚନ ବାଟ ଫିଟିବା ପରେ ପ୍ରାର୍ଥୀ ଚୟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସାଧାରଣ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଖୋଦ୍ ବିଜେପୁରରୁ ଲଢ଼ିବାକୁ ମନ ବଳାଇଥିବାରୁ ପୂର୍ବତନ ବିଧାୟିକା ରୀତା ସାହୁ ମନଉଣା କରିନଥିଲେ। ସାଧାରଣ ନିର୍ବାଚନ ବେଳେ ବିଜେପୁର ଆସନ ପାଇଁ ରୀତାଙ୍କ ବ୍ୟତୀତ ଆହୁରି ଆଶାୟୀ ପ୍ରାର୍ଥୀ ଥିଲେ। ଏବେ ଉପନିର୍ବାଚନରେ ବିଜେଡି କାହାକୁ ଟିକଟ୍ ଦେବ, ତାହାରି ଉପରେ ସମସ୍ତଙ୍କ ନଜର ରହିଛି। ରୀତାଙ୍କ ସମେତ ଟିକଟ୍ରୁ ବାଦ୍ ପଡ଼ିଥିବା ଏବଂ ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଥିବା ନେତା ଟିକଟ୍ ଦାବିଦାର ଅଛନ୍ତି। ତେଣୁ ୨୦୧୮ ଉପନିର୍ବାଚନ ଭଳି ଏଥର ବି ଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇପାରେ ବୋଲି ବିଜେଡିରେ ଚର୍ଚ୍ଚା ଚାଲିଛି।