ଅନୁଭବ ମହାନ୍ତିଙ୍କର ସବୁଠାରୁ ବଡ ଶତ୍ରୁ କିଏ ? ସାଂସଦଙ୍କ ଟ୍ୱିଟକୁ ନେଇ ପୁଣି ଆରମ୍ଭ ହେଲା ଚର୍ଚ୍ଚା । କହିଲେ, ଶତ୍ରୁଙ୍କୁ ସମ୍ମାନ ଦେବା ଶିଖାଇଛି ପରିବାର, ପରୋକ୍ଷରେ ବର୍ଷାଙ୍କୁ କଲେ ଟାର୍ଗେଟ୍ ।

2,763

କନକ ବ୍ୟୁରୋ : ବର୍ଷା-ଅନୁଭବ ବିବାଦ ଥମିନଥିବା ବେଳେ ଏବେ ଅନୁଭବଙ୍କ ଏକ ଟୁଇଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଟୁଇଟରେ ଅନୁଭବ କାହାରି ନାଁ ନନେଇ ବଡ ଶତ୍ରୁ କଥା କହିଛନ୍ତି । ଏବେ ବଡ ପ୍ରଶ୍ନ ହେଉଛି ଅନୁଭବଙ୍କ ଏହି ବଡ ଶତ୍ରୁ କିଏ । ଏହାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି ।

ଅନୁଭବଙ୍କର ସବୁଠାରୁ ବଡ ଶତ୍ରୁ କିଏ ? ନାଁ ନନେଇ କାହାକୁ ଇଙ୍ଗିତ କରୁଛନ୍ତି ସାଂସଦ ? ବର୍ଷା-ଅନୁଭବ ପାରିବାରିକ ବିବାଦକୁ ନେଇ ଚର୍ଚ୍ଚା ଟିକିଏ ଥମିଥିବା ବେଳେ ପୁଣି ଏହାକୁ ପରୋକ୍ଷରେ ତେଜିବାକୁ ଅନୁଭବ ମହାନ୍ତିଙ୍କ ଚେଷ୍ଟା । ଏକ ଟ୍ୱିଟ କରି ଅନୁଭବ ଲେଖିଛନ୍ତି,
‘ଯାହା କିଛି ବି ହେଇଯାଉ, ମୁଁ ମୋ ପରିବାରକୁ ଛାଡିବିନି । କିଭଳି ଖାଇବାକୁ ହୁଏ, ଚାଲିବାକୁ ପଡେ, ସାହାସିକତା ଓ ସଚ୍ଚୋଟତାର ସହ ଆହ୍ୱାନର ସାମ୍ନା କରିବାକୁ ପଡେ, ପଡିଯିବା ପରେ କିଭଳି ଉଠିବାକୁ ହୁଏ ସବୁ କିଛି ଶିଖାଇଛନ୍ତି । ଚାରିଆଡେ ଭଲପାଇବା ଦେବା ଏବଂ ନିଜର ସବୁଠାରୁ ବଡ ଶତ୍ରୁକୁ ସମ୍ମାନ ଦେବା ମଧ୍ୟ ଜଣାଇଛନ୍ତି ।’

ଅନୁଭବଙ୍କ ଏହି ଟ୍ୱିଟ୍ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି । ଗୋଟିଏ ପଟେ ପରିବାର କଥା ଉଲ୍ଲେଖ ସହ କରିଥିବା ଟ୍ୱିଟରେ ବର୍ଷାଙ୍କ ଫଟୋ ନାହିଁ ଏବଂ ଦ୍ୱିତୀୟତଃ ସବୁଠାରୁ ବଡ ଶତ୍ରୁ କଥା ସାମ୍ନାକୁ ଆଣି ପରୋକ୍ଷରେ ବର୍ଷାଙ୍କ ଆଡକୁ ତୀର ମାରିଥିବା ଚର୍ଚ୍ଚା ହେଉଛି । କାରଣ ଅନୁଭବଙ୍କ ଉଭୟ ସାମାଜିକ ଆଉ ରାଜନୈତିକ ପ୍ରତିଷ୍ଠା ଉପରେ ଆଂଚ ଆଣିବାକୁ ବର୍ଷା ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି ।

ପୂର୍ବରୁ କୌଣସି ବି ପରିସ୍ଥିତିରେ ଅନୁଭବ ବର୍ଷାଙ୍କ ସହ ରହିବେନି ବୋଲି ସ୍ପଷ୍ଟ କରିସାରିଥିବା ବେଳେ, ବିବାହ ବିଚ୍ଛେଦ ପାଇଁ ଆବେଦନ କରିଛନ୍ତି । ଅନ୍ୟପକ୍ଷରେ ବର୍ଷା କିନ୍ତୁ ନିଜ ବିବାହକୁ ବଂଚାଇଥିବା କଥା କହୁଥିବା ବେଳେ କ୍ଷତିପୂରଣ ଦାବି କରି କୋର୍ଟଙ୍କ ଦାରସ୍ଥ ହୋଇଛନ୍ତି ।

ଏହାରି ଭିତରେ ପ୍ରଶ୍ନ ଉଠୁଛି, କ’ଣ ହେବ ବର୍ଷା-ଅନୁଭବ ମାମଲା ? ଅକ୍ଟୋବରରେ ହେବାର ଅଛି ଶୁଣାଣି । ଦିଲ୍ଲୀର କୋର୍ଟରେ ଅନୁଭବ କରିଥିବା ମାମଲା କଟକ ଆଣିବାକୁ ବର୍ଷା ସୁପ୍ରିମକୋର୍ଟ ଯାଇଛନ୍ତି । ଆଉ ଉଭୟ ପକ୍ଷର ମାମଲା ଏବେ ବିଚାରଧୀନ ରହିଛି । ତେଣୁ କେସ୍ ଆଗକୁ କେଉଁ ମୋଡ ନେବ ତାକୁ ନେଇ ଚର୍ଚ୍ଚା ଭିତରେ ଅନୁଭବଙ୍କ ରାଜନୈତିକ ଜୀବନ ଆଉ ବର୍ଷାଙ୍କ ପାରିବାରିକ ଭବିଷ୍ୟତ କ’ଣ ହେବ, ତାକୁ ନେଇ ଆରମ୍ଭ ହୋଇଛି ଆକଳନ ।

ଗତ କିଛି ଦିନ ଭିତରେ ବର୍ଷା ଯେଉଁଭଳି ସାମାଜିକ କାର୍ଯ୍ୟ ସହ ଜଡିତ ହୋଇଛନ୍ତି, ଆଉ ପ୍ରତିଟି କାର୍ଯ୍ୟକଳାପକୁ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି, ତାର ଏକ ଭିନ୍ନ ଆକଳନ କରାଯାଉଛି । ପ୍ରଥମେ କୋରାପୁଟର ଝିଅକୁ ଆଣି ଗୀତ ବୋଲାଇବା ଆଉ ପରେ ବଲାଙ୍ଗୀରର ଗୋଟିଏ ପରିବାରର ଛୋଟ ପିଲାଙ୍କୁ ସାହାଯ୍ୟ କରିବାକୁ ଟ୍ୱିଟ କରିବା ଦର୍ଶାଉଛି, ଆଗକୁ ରାଜନୈତିକ ସ୍ତରରେ ମଧ୍ୟ ଏକ ଆହ୍ୱାନମୂଳକ ପରିସ୍ଥିତି ସେ ଅନୁଭବଙ୍କ ପାଇଁ ତିଆରି କରିପାରନ୍ତି ।