ଶିକ୍ଷା ଅଧିକାର ଆଇନକୁ ବେଖାତିର? ବିଇଓ କାର୍ଯ୍ୟାଳୟ ବାହାରେ ଧାରଣା ଦେଲେ ଅଭିଭାବକ

152

କନକ ବ୍ୟୁରୋ : ଭୁବନେଶ୍ୱର ବିଇଓ କାର୍ଯ୍ୟାଳୟ ବାହାରର ଦେଖିବାକୁ ମିଳିଛି ବିକ୍ଷୋଭ ପ୍ରଦର୍ଶନ । ବିଇଓଙ୍କ ଉପରେ ବର୍ଷୁଛନ୍ତି ଅଭିଭାବକ । ରାଇଟ ଟୁ ଏଜୁକେସନ ଆଇନରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ଘରୋଇ ବିଦ୍ୟାଳୟରେ ୨୫ପ୍ରତିଶତ ସିଟରେ ନାମ ଲେଖାଇବାର ସୁଯୋଗ ପାଇଲେ । କିଏ କେଉଁଠି ପଢିବେ ପୋର୍ଟାଲରେ ଜାରି ହେଲା ସୂଚନା । କିନ୍ତୁ ବିଡମ୍ବନାର କଥା ସ୍କୁଲ ଗଲାବେଳକୁ ସିଟ୍ ନାହିଁ କହି ସେମାନଙ୍କୁ ଘରୋଇ ସ୍କୁଲ ଫେରାଇ ଦେଉଥିବା ଅଭିଯୋଗ ହୋଇଛି । ପୋର୍ଟାଲରେ ଦିଆଯାଇଥିବା ସୂଚନା ଅନୁଯାୟୀ ଭୁବନେଶ୍ୱରର ସ୍ୱର୍ଣଲତା, ପୁଅକୁ ସାଥିରେ ଧରି ଆଡମିଶନ ପାଇଁ ସ୍କୁଲକୁ ଯାଇଥିଲେ କିନ୍ତୁ ନିରାଶ ହୋଇ ଫେରିଲେ । ଠିକ ସେହିଭଳି ଭୁବନେଶ୍ୱରର ସୁମନ ବି ନିରାଶ ହୋଇଛନ୍ତି ।

ସ୍କୁଲରୁ ନିରାଶ ହୋଇ ଫେରିଲା ପରେ ଶିକ୍ଷା ନିର୍ଦ୍ଦେଶାଳୟରେ ଅଭିଯୋଗ କରିଥିଲେ ଅଭିଭାବକ । ବ୍ଲକ ଏଜୁକେସନ ଅଫିସରଙ୍କ ପାଖରେ ଲିଖିତ ଅଭିଯୋଗ କରିବା ପାଇଁ ସେ ଦେଇଥିଲେ ପରାମର୍ଶ । କିନ୍ତୁ ବିଇଓଙ୍କ କାର୍ଯ୍ୟାଳୟ ଗଲାବେଳକୁ ସେଠି ଭିତରକୁ ଯିବା ପାଇଁ ନଥିଲା ଅନୁମତି । ଘଂଟା ଘଂଟା ଧରି ଶିକ୍ଷା ବ୍ୟବସ୍ଥା ବିରୋଧରେ ବର୍ଷିଲେ ଅଭିଭାବକ । ଫାଟକ ବାହାରେ ଧାରଣାରେ ବସିଲେ । ଶେଷରେ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ନୋଟିସ କରିଛନ୍ତି ବିଇଓ । ଆରଟିଇ ପାରଦର୍ଶୀ ପୋର୍ଟାଲରେ ଯାହାର ନାଁ ରହିଛି ସେମାନଙ୍କର ଆଡମିଶନ କରିବାକୁ କହିଛନ୍ତି ବିଇଓ ।

ନିୟମ ଅନୁଯାୟୀ ପାରଦର୍ଶୀ ପୋର୍ଟାଲରେ ଯାହାର ନା ସ୍ଥାନ ପାଇଛି ସେମାନେ ଘରୋଇ ସ୍କୁଲରେ ମାଗଣାରେ ପାଠ ପଢିପାରିବେ । ତେବେ ପ୍ରଶ୍ନ ଉଠୁଛି ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ନିୟମକୁ ଉଲଂଘନ କଲେ ତେମିତି?ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ? ବିଇଓଙ୍କ ଚିଠିକୁ ସଂପୃକ୍ତ ଶିକ୍ଷାନୁଷ୍ଠାନ ମାନିବେ କି?