ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଉପରେ ଚାଲିବ ଅପରାଧିକ ମାମଲା । ପର୍ଣ୍ଣଷ୍ଟାରଙ୍କ ସହ କଳାକାରନାମା ମାମଲାରେ ଟ୍ରମ୍ପଙ୍କୁ ଅଭିଯୁକ୍ତ କହିଲେ ନ୍ୟୁୟର୍କର ଗ୍ରାଣ୍ଡ ଜୁରୀ

129

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ ଝଟକା । କାରଣ ଟ୍ରମ୍ପଙ୍କ ଉପରେ ଏଣିକି ଚାଲିବ ଅପରାଧିକ ମାମଲା । ୨୦୧୬ ନିର୍ବାଚନ ପ୍ରଚାର ସମୟରେ ଜଣେ ପର୍ଣ୍ଣ ଷ୍ଟାରଙ୍କ ସହ ଟ୍ରମ୍ପଙ୍କ ଅନୈତିକ ସମ୍ପର୍କ ରହିବା ଓ ଏହାକୁ ଲୁଚାଇ ରଖିବା ପାଇଁ ଟ୍ରମ୍ପ ପର୍ଣ୍ଣଷ୍ଟାରଙ୍କୁ ମୋଟା ଅଙ୍କର ଅର୍ଥ ଦେଇଥିବା ମାମଲାରେ ସେ ଅଭିଯୁକ୍ତ ହୋଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ନ୍ୟୁୟର୍କର ମ୍ୟାନହେଟନ ଗ୍ରାଣ୍ଡ ଜୁରି କୋର୍ଟ ଅଭିଯୁକ୍ତ କରିଛନ୍ତି । ଆମେରିକାର ଜଣେ ପୂର୍ବତନ ରାଷ୍ଟ୍ରପତି ଭାବେ ଟ୍ରମ୍ପ ହେଉଛନ୍ତି ପ୍ରଥମ ଯାହାଙ୍କ ଉପରେ ଚାଲିବ ଅପରାଧିକ ମାମଲା । ଏପ୍ରିଲ ୪ ସୁଦ୍ଧା କୋର୍ଟରେ ଟ୍ରମ୍ପଙ୍କୁ ଆତ୍ମସମର୍ପଣ କରିବାକୁ ପଡିବ । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବ୍ୟକ୍ତିଗତ ଓକିଲ ଜଣେ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଅର୍ଥ ପ୍ରଦାନ କରିଥିବା ଘଟଣାରେ ଦୀର୍ଘ ଏକ ବର୍ଷ ତଦନ୍ତ କରାଯିବା ପରେ ନ୍ୟୁୟର୍କରେ ଟ୍ରମ୍ପଙ୍କୁ ଅଭିଯୁକ୍ତ କରାଯାଇଛି । ଟ୍ରମ୍ପଙ୍କ ସହିତ ଥିବା ଅନୈତିକ କଥା ପ୍ରଘଟ ନକରିବା ପାଇଁ ଷ୍ଟର୍ମି ଡାନିଏଲଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଇଥିବା କଥା ତଦନ୍ତରୁ ଜଣାପଡ଼ିବା ପରେ ଗ୍ରାଣ୍ଡ ଜୁରି ଟ୍ରମ୍ପଙ୍କୁ ଅଭିଯୁକ୍ତ କରାଯିବା ସପକ୍ଷରେ ଭୋଟ୍ ଦେଇଛନ୍ତି । ୨୦୨୪ରେ ରିପବ୍ଲିକାନ ପାର୍ଟିରୁ ପୁଣି ରାଷ୍ଟ୍ରପତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଚାହୁଥିବା ଟ୍ରମ୍ପ କିନ୍ତୁ ଏହି ତଦନ୍ତକୁ ରାଜନୈତିକ ଆକ୍ରୋସ ବୋଲି କହିଛନ୍ତି ।