କିଏ ଏହି ସତୀଶ ? ଯିଏ ସଲମାନ ଓ ସଞ୍ଜୟଙ୍କୁ ଜାମିନରେ ଆଣିଥିଲେ; ଏବେ ଶାହାରୁଖଙ୍କ ପୁଅ ପାଇଁ ଲଢୁଛନ୍ତି କେସ୍ 

379

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ କେଶ ଲଢୁଛନ୍ତି ବରିଷ୍ଠ ଓକିଲ ସତୀଶ ମାନସିଂଦେ । ଏହି ହାଇ ପ୍ରୋଫାଇଲ ଓକିଲ ଶାହାରୁଖଙ୍କ ପୁଅକୁ ଜାମିନରେ ଆଣିବା ପାଇଁ କୋର୍ଟରେ ଯୁକ୍ତି ବାଢୁଛନ୍ତି । ତେବେ ଏହି ଓକିଲଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି । ୫୬ ବର୍ଷୀୟ ଓକିଲ ସତୀଶ ମାନସିଂଦେ ହାଇ ପୋଫାଇଲ କେଶ ଲଢିବା ନୂଆ ନୁହେଁ । ପୂର୍ବରୁ ସେ ଏହାଠୁ ବହୁ ବଡ ବଡ ମାମଲାର ଲଢିବା ସହ ବିଜୟୀ ମଧ୍ୟ ହୋଇଛନ୍ତିି ।

୧୯୯୩ ମସିହା ମୁମ୍ବାଇ ବମ ବ୍ଲାଷ୍ଟ ମାମଲାରେ ଗିରଫ ହୋଇଥିବା ସଞ୍ଜୟ ଦତଙ୍କ ପାଇଁ ସେ ଲଢିଥିଲେ । ସଞ୍ଜୟ ନାଁରେ ଦେଶଦ୍ରୋହ ଭଳି ସାଙ୍ଘାତିକ ମାମଲା ରହିଥିଲେ ମଧ୍ୟ ତାଙ୍କୁ ଜାମିନରେ ଆଣିଥିଲେ ସତୀଶ । ସେହିପରି ୨୦୦୨ ସଲମନ ଖାନଙ୍କ ହିଟ-ଆଣ୍ଡ-ରନ୍ ମାମଲା ଲଢିଥିଲେ ସତୀଶ । ସଲମନ ଖାନ ନିଶା ସେବନ କରି ଫୁଟପାଥରେ ଶୋଇଥିବା କିଛି ଲୋକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଏହି ମାମଲାରେ ସଲମନଙ୍କୁ ଜାମିନରେ ଆଣିଥିଲେ ସତୀଶ ମାନସିଂଦେ । ପରେ କୋର୍ଟ ସଲମନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

ନିକଟ ଅତୀତରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ତାଙ୍କ ମହିଳା ବନ୍ଧୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପାଇଁ ଶୌଭିକଙ୍କ ପାଇଁ ଓକିଲ ନିଯୁକ୍ତ ହୋଇଥିଲେ ସିତିଶ । ସେମାନଙ୍କୁ ବିରୋଧରେ ଏନସିବି ଗତ ବର୍ଷ ଡ୍ରଗ୍ସ ମାମଲା ରୁଜୁ କରିଥିଲା । କିନ୍ତୁ ଉଭୟଙ୍କୁ ଜାମିନରେ ଆଣିବାରେ ସଫଳ ହୋଇଥିଲେ ସତୀଶ ମାନସିଂଦେ । ସତୀଶ ମାନସିଂଦେ ଜଣେ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ମଧ୍ୟ । ସେ ତାଙ୍କର ଓକିଲାତି କ୍ୟାରିୟର ୧୯୮୩ ମସିହାରେ ପ୍ରତିଷ୍ଠିତ ଆଇନଜୀବୀ ସ୍ୱର୍ଗତ ରାମ ଜେଠାମଲାନିଙ୍କ ପାଖରେ ଆରମ୍ଭ କରିଥିଲେ । ରାମ ଜେଠାମାଳିନିଙ୍କ ସହ ପାଖାପାଖି ୧୦ ବର୍ଷ ଏକାଠୀ କାର୍ଯ୍ୟ କରିଛନ୍ତିି ।