କନକ ବ୍ୟୁରୋ: ବିହାରରେ ପୁଣି ଆରମ୍ଭ ହେବାକୁ ଯାଉଛି ଏନଡିଏ ସରକାର । ମହାମେଣ୍ଟକୁ ବାଏ ବାଏ କହି ଏବେ ନୂଆ ମେଣ୍ଟ ସହ ପୁଣିଥରେ ଶପଥ ନେବାକୁ ଯାଉଛନ୍ତି ନୀତିଶ କୁମାର । ରବିବାର ସନ୍ଧ୍ୟାରେ ନୀତିଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ଯାଉଥିବାବେଳେ, ବିଜେପିର ଦୁଇ ନେତା ନୂଆ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ରହିବେ । ବିହାର ବିଜେପି ସଭାପତି ସମ୍ରାଟ ଚୌଧୁରୀ ଏବଂ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଥିବା ବିଜୟ ସିହ୍ନା ରାଜ୍ୟର ଦୁଇ ଉପ-ମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ଥିର ହୋଇସାରିଛି ।

Advertisment

ଆଜି ବିଜେପି ବିଧାୟକ ଦଳ ବୈଠକରେ ବିହାରରେ ଏନଡିଏ ସରକାର ଗଠନ ନେଇ ପ୍ରସ୍ତାବ ପାରିତ ହେଇଯାଇଛି । ଏହି ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି । ଏହାସହିତ ବିଜୟ ସିହ୍ନାଙ୍କୁ ଉପନେତା ଭାବେ ବଛାଯାଇଛି । ଯିଏ କି ଏନଡିଏ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ରହିବେ ।

ସମ୍ରାଟ ଚୌଧୁରୀ କିଏ ?

୫୪ ବର୍ଷୀୟ ସମ୍ରାଟ ଚୌଧୁରୀ ବିହାରର କୋଇରୀ ସମାଜରୁ ଆସୁଛନ୍ତି । ୨୦୨୩ ମସିହା ମାର୍ଚ୍ଚ ୨୭ ତାରିଖରେ ସେ ବିହାର ବିଜେପିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ଏହାପୂର୍ବରୁ ସେ ବିହାର ବିଧାନ ପରିଷଦର ନେତା ପ୍ରତିପକ୍ଷ ରହିଥିଲେ । ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିଜେପି କୁର୍ମି ଏବଂ କୁଶବାହା ଭୋଟକୁ ନିଜ ପକ୍ଷରେ ନେବାକୁ ଚେଷ୍ଟା କରିଛି ।

ତେବେ ଜାଣିରଖିବା ଉଚିତ୍ ଯେ, ୨୦୧୭ରେ ସେ ବିଜେପିରେ ସାମିଲ ହେଇଥିଲେ । ଏହାପୂର୍ବରୁ ସେ ନୀତିଶଙ୍କ ଜେଡିୟୁର ସଦସ୍ୟ ଥିଲେ । ସମ୍ରାଟ ଚୌଧୁରୀ ଏହା ପୂର୍ବରୁ ଥିବା ଏନଡିଏ ସରକାରରେ ପଞ୍ଚାୟତିରାଜ ମନ୍ତ୍ରୀ ରହିଥିଲେ । ଖାଲି ସେତିକି ନୁହେଁ ସମ୍ରାଟ ଚୌଧୁରୀ ରାବ୍ରୀ ଦେବୀଙ୍କ ସରକାରରେ ମଧ୍ୟ ମନ୍ତ୍ରୀ ରହିଥିଲେ । ବିହାରରେ ନୂଆ ସରକାର ନେଇ ସମ୍ରାଟ ଚୌଧୁରୀ କହିଛନ୍ତି ଯେ, ବିଜେପି ଐତିହାସିକ କାମ କରିଛି । ବିଧାୟକ ଦଳ ନେତା ଭାବେ ତାଙ୍କୁ ଚୟନ କରିବା ତାଙ୍କ ପାଇଁ ଏକ ଭାବନାତ୍ମକ ମୂହୁର୍ତ୍ତ ଥିଲା ।