କନକ ବ୍ୟୁରୋ: ଆଇପିଏଲରେ ଏଥର ଜଲୱା ଦେଖାଇଛନ୍ତି ୟୁପିର ଯୁବ କ୍ରିକେଟର ସମୀର ରିଜବୀ । ୨୦ ବର୍ଷୀୟ ଏହି କ୍ରିକେଟରଙ୍କୁ ରେକର୍ଡ ୮.୪୦ କୋଟି ଟଙ୍କାରେ କିଣିଛି ଆଇପିଏଲର ସଫଳ ଦଳ ଚେନ୍ନାଇ ସୁପର କିଙ୍ଗସ୍ । ତେବେ ସମୀରଙ୍କ ବେସ୍ ପ୍ରାଇସ୍ ମାତ୍ର ୨୦ ଲକ୍ଷ ଥିଲେ ବି, ଏହାଠାରୁ ପ୍ରାୟ ୪୨ ଗୁଣ ଅଧିକ ଦରରେ ସମୀରଙ୍କୁ କିଣିଛି ସିଏସକେ ।
ସମୀର ଘରୋଇ କ୍ରିକେଟରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ବେଶ ଜଣାଶୁଣା । ଏମିତିକି ଷ୍ଟାଡିୟମରେ ବଡ ବଡ ଛକା ମାରିବାରେ ସେ ସିଦ୍ଧହସ୍ତ । ଯେଉଁ କାରଣରୁ ଚେନ୍ନାଇ ତାଙ୍କ ଉପରେ ଏତେ ବଡ ବାଜି ଖେଳିଛି ।
MEERUT ➡️ MADRAS! 🥳
Welcome home, Sameer! 🦁 pic.twitter.com/kwbPyglLPe— Chennai Super Kings (@ChennaiIPL) December 19, 2023
୨୦ ବର୍ଷୀୟ ଏହି କ୍ରିକେଟର ଏଥର ୟୁପି ଟି-୨୦ ଲିଗରେ କାନପୁର ସୁପରଷ୍ଟାର୍ସ ପକ୍ଷରୁ ସବୁଠୁ ଅଧିକ ଛକା ମାରିଥିଲେ । ୟୁପି ଟି-୨୦ ଲିଗରେ ସେ ୯ଟି ଇଂନିସ୍ ଖେଳି ଦୁଇଟି ଶତକ ସହ ୪୫୫ ରନ୍ କରିଥିଲେ । ଏହାପରେ ଆଇପିଏଲର ୩ଟି ଟିମରୁ ତାଙ୍କୁ ଟ୍ରାଏଲ ପାଇଁ ଡକରା ଆସିଥିଲା । ଆଉ ଶେଷରେ ଚେନ୍ନାଇ ସୁପର କିଙ୍ଗସ ସମୀରଙ୍କୁ ନିଜ ଦଳରେ ସାମିଲ କରିଛି ।