ବର୍ଷାରେ ଭାସିଲା ଭୁବନେଶ୍ୱର । ସ୍ମାର୍ଟସିଟିରେ ଦୁର୍ଦ୍ଦଶା ସ୍ଥିତି ପାଇଁ ଦାୟୀ କିଏ ? ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା, ଜବାବ ଦେଲା ବିଜେଡି ।

410

କନକ ବ୍ୟୁରୋ : ଭୁବନେଶ୍ୱରରେ ବର୍ଷା ପାଣି ଜମିବା ନେଇ ଆରମ୍ଭ ହୋଇଛି ରାଜନୀତି । ବର୍ଷା ପାଣି ନିଷ୍କାସନ କାହିଁକି ହୋଇପାରୁନି, ଏଥିପାଇଁ କିଏ ଦାୟୀ ତାକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ବିଜେପି ଓ ବିଜେଡି । ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଦାୟୀ କରିଥିବାବେଳେ ସମାଲୋଚନା କରିଛନ୍ତି ବିଜେଡି ନେତା । ଏଥିସହ ଲୋକଙ୍କ ନିକଟତର ହେବାକୁ ବିଜେପି, ବିଜେଡି ଓ କଂଗ୍ରେସ ନେତା ଏକପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି ।

ରାଜଧାନୀ ଭୁବନେଶ୍ୱରରେ ବର୍ଷା ଯେତିକି ଜୋରରେ ହୋଇଛି, ସେତିକି ଜୋରରେ ହୋଇଛି ଏହାକୁ ନେଇ ରାଜନୀତି । ଆଉ ଏହା ସହ ପରସ୍ପର ଉପରେ ଦୋଷ ମଧ୍ୟ ଲଦିଛନ୍ତି । ବର୍ଷାରେ ଲୋକଙ୍କ ଦୁର୍ଦ୍ଦଶା ଦେଖିବାକୁ ସହରର ବିଭିନ୍ନ ତଳି ଅଞ୍ଚଳରେ ବୁଲିଛନ୍ତି ନେତା । ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି ଭୁବନେଶ୍ୱର ସାଂସଦ । ପୂର୍ବତନ ମେୟର ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନା ମଧ୍ୟ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଲୋକଙ୍କ ଘରକୁ ଯାଇ ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି ।

ରବିବାର ଦିନ ରାଜଧାନୀ ରାସ୍ତାରେ ବର୍ଷା ପାଣିର ସୁଅ ଛୁଟିଥିଲା । ଆଉ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହାପରେ ଆରମ୍ଭ ହୋଇ ଯାଇଥିଲା ଟ୍ୱିଟ୍ ୱାର ଓ କଥା କଟାକଟି । ଭୁବନେଶ୍ୱର ସାଂସଦଙ୍କୁ ସମାଲୋଚନା କରିଥିଲେ ବିଧାୟକ ଅନନ୍ତ ଜେନା ଏବଂ ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର । ଏପଟେ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶକୁ କାହିଁକି ଗ୍ରହଣ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା । ୨୧ ବର୍ଷର ଶାସନ ପରେ ରାଜଧାନୀର ରାସ୍ତା କାହିଁକି ଏପରି ହେଉଛି ବୋଲି ପ୍ରଶ୍ନ କରିବା ସହ ପାଣିରେ ଉବୁଟୁବୁ ହେଉଥିବା ରାଜଧାନୀ ରାସ୍ତାର କିଛି ଫଟୋ ମଧ୍ୟ ପୋଷ୍ଟ କରିଥିଲେ ଅପରାଜିତା । ଯାହାକୁ ହଜମ କରିପାରିନାହାନ୍ତି ବିଜେଡି ନେତା । ବିଜେଡି କହିଛି ବିଏମସି କମିସନର ଥିବା ସମୟରେ ନିଜ ଅପରାଗତାକୁ ପଦାରେ ପକାଉଛନ୍ତି ଅପରାଜିତା ଷଡଙ୍ଗୀ ।