କେଉଁଠି ସରପଞ୍ଚଙ୍କୁ ମାଡ, କେଉଁଠି ଭୋଟରଙ୍କୁ ମାଡ? ଖବର ସଂଗ୍ରହ ପାଇଁ ଯାଉଥିବା ସାମ୍ବାଦିକଙ୍କୁ ବି ମାରୁଛନ୍ତି ମାଡ, ପ୍ରଶ୍ନ ନିର୍ବାଚନ ବେଳେ ହିଂସାକାଣ୍ଡ ପାଇଁ ମତଉଛି କିଏ?

Advertisment
କେଉଁଠି ସରପଞ୍ଚଙ୍କୁ ମାଡ, କେଉଁଠି ଭୋଟରଙ୍କୁ ମାଡ? ଖବର ସଂଗ୍ରହ ପାଇଁ ଯାଉଥିବା ସାମ୍ବାଦିକଙ୍କୁ ବି ମାରୁଛନ୍ତି ମାଡ, ପ୍ରଶ୍ନ ନିର୍ବାଚନ ବେଳେ ହିଂସାକାଣ୍ଡ ପାଇଁ ମତଉଛି କିଏ?

କନକ ବ୍ୟୁରୋ : ବାରିପଦା ବଡ଼ସାହି ବ୍ଲକ ଟଙ୍ଗାସୋଳ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ପ୍ରାର୍ଥୀ ଦଶରଥ ମୁର୍ମୁଙ୍କୁ ବନ୍ଦ କୋଠରୀରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି କିଛି ଲୋକ । ଯାହାର ଚିତ୍ର ମୋବାଇଲରେ କଏଦ ହୋଇଛି । ନିର୍ବାଚନ ପୂର୍ବଦିନ ରାତିରେ ଲୋକଙ୍କ ଟଙ୍କା ବାଂଟୁଥିବା ଅଭିଯୋଗରେ ଦଶରଥଙ୍କୁ ମାଡ଼ ମାରିଥିଲେ ଅନ୍ୟ ଗୋଷ୍ଠୀର ଲୋକ । ପୂର୍ବରୁ ୪ ଥର ସରପଂଚ ହୋଇଛନ୍ତି ଦଶରଥ । ଚଳିତ ଥର ପଂଚମଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି  । ଏବେ ପର୍ଯ୍ୟନ୍ତ ଦଶରଥ ନିଖୋଜ ଥିବା ବେଳେ ଏନେଇ ଥାନାରେ କୌଣସି ବି ଅଭିଯୋଗ କରିନାହାନ୍ତି ପରିବାର ଲୋକ ।

ବୌଦ୍ଧ ହରଭଙ୍ଗା ବ୍ଲକରେ ନିର୍ବାଚନୀ ହିଂସା ।  ମଧ୍ୟରାତ୍ରୀରେ  ବ୍ଲକର ମାଧପୁରରେ  ଭୋଟରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।  ଖବର ଅନୁସାରେ,  ଗତକାଲି ବିଳମ୍ବିତ ରାତିରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସମର୍ଥକ ଗାଁର  କୌଳାସ ସାହୁଙ୍କୁ  ଘରୁ ଡାକିଥିଲେ ଓ ଭୋଟଦେବାକୁ ଲାଂଚ ଯାଚିଥିଲେ ।  କିନ୍ତୁ କୈଳାସ ଏହାକୁ ମନା କରିବାରୁ  ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।  ଏପରିକି ଥାନାରେ ଏତଲା ଦେଲେ  ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଖବର ପାଇ କିଛି ଯୁବକ  କୌଳାସଙ୍କୁ ଉଦ୍ଧାର  କରି ମେଡିକାଲ ନେଇଛନ୍ତି ।  ଘଟଣାସ୍ଥଳରେ ପୁଲିସ ପଂହଚି ତଦନ୍ତ ଆରମ୍ଭ କରିଛି ।

ସେହିଭଳି ଯାଜପୁର ବିଞ୍ଝାରପୁରରେ ଗୁଣ୍ଡାରାଜ । ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ । ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁବୃର୍ତ୍ତ । କନକ ନ୍ୟୁଜର ସାମ୍ବାଦିକ ବିଜୟ ସାହୁ, କଳିଙ୍ଗ ଟିଭି ଓ ଅର୍ଗସର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ଦୁବୃର୍ତ୍ତଙ୍କ ମାଡରେ ସାମ୍ବାଦିକ ମାନେ ଲହୁଲୁହାଣ ହୋଇଛନ୍ତି । ଏପରିକି ଅର୍ଗସର ସାମ୍ବାଦିକଙ୍କୁ ଅପହରଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ଦୁବୃର୍ତ୍ତ ।

ମିଳିଥିବା ସୂଚନା ମୁତାବକ, ବିଞ୍ଝାରପୁର ବ୍ଲକ ବାଛୁଳ ପଂଚାୟତରେ ୪ ଓ ୬ ନମ୍ବର ବୁଥରୁ ଭୋଟ୍ ବାକ୍ସ ଉଠାଇ ନେଇଥିବାର ଖବର ସାମ୍ନାକୁ ଆସିଥିଲା । ଭୋଟବାକ୍ସକୁ ପୋଖରୀ ଭିତରେ ଫିଙ୍ଗାଯାଉଥିବାର ଖବର ଆସିବା ପରେ ସାମ୍ବାଦିକ ମାନେ ଖବରର ସତ୍ୟତା ଯାଞ୍ଚ ପାଇଁ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।  ପୋଖରୀରେ ପକାଯାଇଥିବା ଭୋଟବାକ୍ସର ଭିଡ଼ିଓ କରୁଥିବା ବେଳେ କିଛି ଲୋକ ଏକତ୍ରୀତ ହୋଇ ସାମ୍ବାଦିକଙ୍କୁ ମାଡ ମାରିଥିଲେ । ଏପରିକି ଫୋନ ମଧ୍ୟ ଛଡାଇ ନେଇଥିଲେ । ଗାଡିକୁ ଭାଙ୍ଗିବା ସହ ଗୋବର ପକାଇଥିଲେ । ତେବେ କ୍ୟାମେରାରେ ଦୁବୃର୍ତ୍ତଙ୍କ ଏହି ଉନ୍ମତ୍ତକାଣ୍ଡର ପୂରା ଭିଡିଓ ସୁଟ୍ ହୋଇଥିଲା ।

ଯେହେତୁ ଭିଡ଼ିଓରେ ଦୁବୃର୍ତ୍ତ ମାଡ ମାରୁଥିବାର ସ୍ପଷ୍ଟ ଚିତ୍ର ରହିଛି, ତେଣୁ ପୋଲିସ ଏହି ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି, ଦୁବୃର୍ତ୍ତ ଭୋଟ ବାକ୍ସ ଉଠାଇ ନେଉଥିବାର ଖବର ଆସିଥିଲେ ମଧ୍ୟ ପୋଲିସ କାହିଁକି ବିଳମ୍ବରେ ପହଞ୍ଚିଥିଲା । ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କାହିଁକି କଡାକଡି କରାଗଲାନି । ଏହି ଘଟଣାରେ ନିର୍ବାଚନ କମିଶନ ନୀରବଦ୍ରଷ୍ଟା କାହିଁକି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe