କନକ ବ୍ୟୁରୋ : ବାରିପଦା ବଡ଼ସାହି ବ୍ଲକ ଟଙ୍ଗାସୋଳ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ଅନ୍ୟ ଗୋଷ୍ଠୀର ଲୋକେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ପ୍ରାର୍ଥୀ ଦଶରଥ ମୁର୍ମୁଙ୍କୁ ବନ୍ଦ କୋଠରୀରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି କିଛି ଲୋକ । ଯାହାର ଚିତ୍ର ମୋବାଇଲରେ କଏଦ ହୋଇଛି । ନିର୍ବାଚନ ପୂର୍ବଦିନ ରାତିରେ ଲୋକଙ୍କ ଟଙ୍କା ବାଂଟୁଥିବା ଅଭିଯୋଗରେ ଦଶରଥଙ୍କୁ ମାଡ଼ ମାରିଥିଲେ ଅନ୍ୟ ଗୋଷ୍ଠୀର ଲୋକ । ପୂର୍ବରୁ ୪ ଥର ସରପଂଚ ହୋଇଛନ୍ତି ଦଶରଥ । ଚଳିତ ଥର ପଂଚମଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି । ଏବେ ପର୍ଯ୍ୟନ୍ତ ଦଶରଥ ନିଖୋଜ ଥିବା ବେଳେ ଏନେଇ ଥାନାରେ କୌଣସି ବି ଅଭିଯୋଗ କରିନାହାନ୍ତି ପରିବାର ଲୋକ ।
ବୌଦ୍ଧ ହରଭଙ୍ଗା ବ୍ଲକରେ ନିର୍ବାଚନୀ ହିଂସା । ମଧ୍ୟରାତ୍ରୀରେ ବ୍ଲକର ମାଧପୁରରେ ଭୋଟରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ସମର୍ଥକ ଗାଁର କୌଳାସ ସାହୁଙ୍କୁ ଘରୁ ଡାକିଥିଲେ ଓ ଭୋଟଦେବାକୁ ଲାଂଚ ଯାଚିଥିଲେ । କିନ୍ତୁ କୈଳାସ ଏହାକୁ ମନା କରିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏପରିକି ଥାନାରେ ଏତଲା ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଖବର ପାଇ କିଛି ଯୁବକ କୌଳାସଙ୍କୁ ଉଦ୍ଧାର କରି ମେଡିକାଲ ନେଇଛନ୍ତି । ଘଟଣାସ୍ଥଳରେ ପୁଲିସ ପଂହଚି ତଦନ୍ତ ଆରମ୍ଭ କରିଛି ।
ସେହିଭଳି ଯାଜପୁର ବିଞ୍ଝାରପୁରରେ ଗୁଣ୍ଡାରାଜ । ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ । ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁବୃର୍ତ୍ତ । କନକ ନ୍ୟୁଜର ସାମ୍ବାଦିକ ବିଜୟ ସାହୁ, କଳିଙ୍ଗ ଟିଭି ଓ ଅର୍ଗସର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ଦୁବୃର୍ତ୍ତଙ୍କ ମାଡରେ ସାମ୍ବାଦିକ ମାନେ ଲହୁଲୁହାଣ ହୋଇଛନ୍ତି । ଏପରିକି ଅର୍ଗସର ସାମ୍ବାଦିକଙ୍କୁ ଅପହରଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ଦୁବୃର୍ତ୍ତ ।
ମିଳିଥିବା ସୂଚନା ମୁତାବକ, ବିଞ୍ଝାରପୁର ବ୍ଲକ ବାଛୁଳ ପଂଚାୟତରେ ୪ ଓ ୬ ନମ୍ବର ବୁଥରୁ ଭୋଟ୍ ବାକ୍ସ ଉଠାଇ ନେଇଥିବାର ଖବର ସାମ୍ନାକୁ ଆସିଥିଲା । ଭୋଟବାକ୍ସକୁ ପୋଖରୀ ଭିତରେ ଫିଙ୍ଗାଯାଉଥିବାର ଖବର ଆସିବା ପରେ ସାମ୍ବାଦିକ ମାନେ ଖବରର ସତ୍ୟତା ଯାଞ୍ଚ ପାଇଁ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ପୋଖରୀରେ ପକାଯାଇଥିବା ଭୋଟବାକ୍ସର ଭିଡ଼ିଓ କରୁଥିବା ବେଳେ କିଛି ଲୋକ ଏକତ୍ରୀତ ହୋଇ ସାମ୍ବାଦିକଙ୍କୁ ମାଡ ମାରିଥିଲେ । ଏପରିକି ଫୋନ ମଧ୍ୟ ଛଡାଇ ନେଇଥିଲେ । ଗାଡିକୁ ଭାଙ୍ଗିବା ସହ ଗୋବର ପକାଇଥିଲେ । ତେବେ କ୍ୟାମେରାରେ ଦୁବୃର୍ତ୍ତଙ୍କ ଏହି ଉନ୍ମତ୍ତକାଣ୍ଡର ପୂରା ଭିଡିଓ ସୁଟ୍ ହୋଇଥିଲା ।
ଯେହେତୁ ଭିଡ଼ିଓରେ ଦୁବୃର୍ତ୍ତ ମାଡ ମାରୁଥିବାର ସ୍ପଷ୍ଟ ଚିତ୍ର ରହିଛି, ତେଣୁ ପୋଲିସ ଏହି ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି, ଦୁବୃର୍ତ୍ତ ଭୋଟ ବାକ୍ସ ଉଠାଇ ନେଉଥିବାର ଖବର ଆସିଥିଲେ ମଧ୍ୟ ପୋଲିସ କାହିଁକି ବିଳମ୍ବରେ ପହଞ୍ଚିଥିଲା । ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କାହିଁକି କଡାକଡି କରାଗଲାନି । ଏହି ଘଟଣାରେ ନିର୍ବାଚନ କମିଶନ ନୀରବଦ୍ରଷ୍ଟା କାହିଁକି?