କନକ ବ୍ୟୁରୋ : ଭୁବନେଶ୍ୱରରେ ନିର୍ମାଣାଧୀନ ଓଭରବ୍ରିଜ ଭୁଶୁଡିବା ପରେ ଏବେ ସମସ୍ତଙ୍କ ଅଙ୍ଗୁଳି ଉଠିଛି ପୁର୍ତ୍ତ ବିଭାଗ ଆଡକୁ । ଗୋଟିଏ ପରେ ଗୋଟିଏ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି । କିଭଳି ପ୍ରିୟାପ୍ରୀତି ତୋଷଣ ଦେଖାଇ ଅନଭିଜ୍ଞ ଥିବା ଲୋକଙ୍କୁ କାମ ଦିଆଯାଇଛି, ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିଲେ ମଧ୍ୟ ବିଭାଗୀୟ ସଚିବ ନୀରବ ରହୁଥିଲେ, ଶାସକ ଦଳର ତୁଙ୍ଗ ନେତାଙ୍କ ନିର୍ଦ୍ଦେଶରେ କିଭଳି କଂଟ୍ରାକ୍ଟରଙ୍କୁ କାମ ମିଳୁଥିଲା, କିଭଳି ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ବ୍ୟାପକ ଅନିୟମିତତା କାମ ହେଉଥିଲା, ସେସବୁର ଗୁମର ଫିଟିବାରେ ଲାଗିଛି ।
ଭୁଶୁଡି ପଡିଥିବା ଓଭରବ୍ରିଜର କାମ ୨ ବର୍ଷରେ ସରିବାର ଥିଲା, ହେଲେ ୫ ବର୍ଷ ପରେ ବି କାମ ସରିନଥିଲା । ବମିଖାଲ-ଶହୀଦନଗର ରେଳ ଓଭରବ୍ରିଜ ୨୦୧୨ରୁ ଆରମ୍ଭ ହୋଇଥିଲେ ମଧ୍ୟ ୫ ବର୍ଷ ପରେ ବି ଏହାର କାମ ସରିନଥିଲା । ସ୍ଥିତି ଏମିତି ଯେ ଏହାର ନିର୍ମାଣ କାମ କେବେ ଶେଷ ହେବ, ତାକୁ ନେଇ ବର୍ତ୍ତମାନ ସନ୍ଦେହ । ପୁର୍ତ୍ତ ବିଭାଗର ସୂଚନା ଅନୁସାରେ, ଓଭରବ୍ରିଜ କାମ ୨୦୧୦ ରୁ ଆରମ୍ଭ ହୋଇ ୨୦୧୩ ସୁଦ୍ଧା ଶେଷ ହେବାକୁ ଥିଲା । ଏଥିପାଇଁ ୧୪ କୋଟି ଟଙ୍କା ଥିଲା ଖର୍ଚ୍ଚ ଅଟକଳ । ହେଲେ କାମ କିନ୍ତୁ ଆରମ୍ଭ ହେଲା ୨୦୧୨ରେ । ସ୍ଥିର ହେଲା ୨୦୧୪ରେ କାମ ସରିବ, ହେଲେ ସରିଲାନି । ଖର୍ଚ୍ଚ ଅଟକଳ ହୋଇଗଲା ଦୁଇଗୁଣ । ଅର୍ଥାତ ୨୮ କୋଟି । ୫ ବର୍ଷରେ ସରିପାରିନଥିବା ଏହି ଓଭରବ୍ରିଜର କାମ ୨୦୧୮ ମାର୍ଚ୍ଚ ସୁଦ୍ଧା ସାରିବାକୁ ସ୍ଥିର ହୋଇଥିଲା । ତେବେ ଏହି ଦୁର୍ଘଟଣା ପରେ ପୁରା କାମର ମାନକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଦାବି ହୋଇଛି, ଯେତିକି କାମ ସରିଛି, ତାକୁ ଅନୁଧ୍ୟାନ କରାଯାଉ ।
ତେବେ ପ୍ରଶ୍ନ ଉଠୁଛି, କେଉଁଠି ତ୍ରୁଟି ରହିଲା ଯେ ଓଭରବ୍ରିଜ ଭୁଶୁଡି ପଡିଲା? ପୁର୍ତ୍ତ ବିଭାଗର ଇଂଜିନିୟର ନିଜ ମୁଣ୍ଡ ଉପରୁ ଦୋଷ ହଟାଇବାକୁ ଯାଇ ନିର୍ମାଣ କରୁଥିବା ସଂସ୍ଥା ଉପରେ ସବୁ ଦୋଷ ଲଦିଛନ୍ତି । କିଛି ଇଂଜିନିୟର କହିଛନ୍ତି, ସେଣ୍ଟ୍ରିିଂ ଭୁଶୁଡିବାର ମୁଳ କାରଣ ହେଲା, ଯେଉଁ ସବୁ ଲୁହା ଫ୍ରେମ ବନ୍ଧା ଯାଇଥିଲା, ସେଥିରେ କିଛି ଗୁରୁତର ତ୍ରୁଟି ଥିଲା । କେତେକ ଫ୍ରେମର ନଟବୋଲ୍ଟ କଳଙ୍କି ଲାଗିଯାଇ ଥିବାରୁ ତାହା ହୁଗୁଳି ଯାଇଥିବା ଅନୁମାନ କରାଯାଉଛି । ସେଣ୍ଟ୍ରିିଂ ଉପରେ ସିମେଂଟ, ବାଲି ଓ ଚିପ୍ସ ମିଶା କଂକ୍ରିଟ ପଡିବାପରେ ଏହା ଚାପ ସମ୍ଭାଳି ପାରିନଥିଲା । ଯେଉଁଥିପାଇଁ ଲୁହାଫ୍ରେମ ଖୋଲି ଭୁଶୁଡି ପଡିଥିବାର ଆଶଙ୍କା କରାଯାଉଛି । ଏଭଳି ଗଦାଗଦା ଦୋଷ ଦୁର୍ବଳତା ଏବେ ସାମ୍ନାକୁ ଆସିଛି ।
ବିରୋଧୀଦଳ ଏହି ଘଟଣା ନେଇ ସିଧାସଳଖ ଶାସକ ଦଳର ଜଣେ ବିଧାୟକ ଓ ପୁର୍ତ୍ତ ବିଭାଗର ଅଧିକାରୀଙ୍କ ଆଡକୁ ପ୍ରଶ୍ନ ଉଠାଇଛନ୍ତି । ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଟ୍ୱିଟ କରି କହିଛନ୍ତି, ଶୁଣିବାକୁ ମିଳୁଛି ଭୁବନେଶ୍ୱର ଠାରେ ନିର୍ମାଣାଧୀନ ବ୍ରିଜ କାମରେ କଂଟ୍ରାକ୍ଟର ପଣ୍ଡା ବାବୁଙ୍କ ସହିତ ବିଜେଡିର ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଅର୍ଥ ଲାଗିଛି । ଯଦି ସମ ହସ୍ପିଟାଲ ଦୁର୍ଘଟଣା ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ଇସ୍ତଫା ଦେଲେ, ମାଲିକ ଗିରଫ ହେଲେ ତେବେ ବ୍ରିଜ ଭୁଶୁଡିବା ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର ଓ ସଚିବ ନଳିନିକାନ୍ତ ପ୍ରଧାନ ଗିରଫ ହେବା ଆବଶ୍ୟକ । ସେହିଭଳି ବିଜେପି ନେତା ଭୃଗୁ ବକ୍ସିପାତ୍ର ନିଜ ଟ୍ୱିଟରରେ କହିଛନ୍ତି, ଓଡିଶା ଜାଣିବାକୁ ଚାହୁଁଛି କିଏ ସେହି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଯାହାଙ୍କ ଟଙ୍କା ପଣ୍ଡା ଇନଫ୍ରାରେ ନିବେଶ ହୋଇଛି ।
ପୁର୍ତ୍ତ ବିଭାଗର ଠିକାଦାର ଓ ବିଭାଗୀୟ ଇଂଜିନିୟରଙ୍କୁ ଦୁର୍ଘଟଣା ପାଇଁ ଦାୟୀ କରିଛନ୍ତି ବିରୋଧୀଦଳ ନେତା ନରସିଂହ ମିଶ୍ର । ଏହାରି ଭିତରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଛନ୍ତି । କହିଛନ୍ତି, ଏହି ଘଟଣାରେ ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ପୋଲିସ ଏହାର ଅନୁସନ୍ଧାନ ଜାରି ରଖିଛି । ଗଠିତ ହୋଇଥିବା ବିଭାଗୀୟ ତଦନ୍ତକାରୀ ଟିମ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବେ । ହେଲେ ବଡ କଥା ହେଉଛି, ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଚୁପ ବସିବେ ନା ଯେଉଁ ସବୁ ବଡ ମୁଣ୍ଡଙ୍କ ନାଁ ନେଇ ଚର୍ଚ୍ଚା ହେଉଛି, ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ଠିକାଦାର ମହାସଂଘ ସଭାପତି ପ୍ରଭାତ ଦାସ କହିଛନ୍ତି, ପଣ୍ଡା ଇନଫ୍ରାଟେକ ବହୁତ କିଛି କାମ ପାଇଛି । ପଣ୍ଡା ଇନଫ୍ରାଟେକ ହେଉଛି ମୁଖା, ଅସଲରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଟଙ୍କା ଏଥିରେ ବିନିଯୋଗ ହୋଇଛି । ଏହା ପଛର କାର୍ପଟଦାର ହେଉଛନ୍ତି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ଖାଲି ଏତିକି ନୁହେଁ, ସରକାରୀ ଦଳର ବ୍ୟକ୍ତି ମଧ୍ୟ ଏହ ପଛର କାର୍ପଟଦାର । ଘଟିଥିବା ଦୁର୍ଘଟଣା ପାଇଁ ନଳିନୀ ପ୍ରଧାନ ସିଧାସଳଖ ଭାବେ ଦାୟୀ । ମୁଖ୍ୟମନ୍ତ୍ରୀ ଉତ୍ତର ଦେବାର ଆବଶ୍ୟକତା ରହିଛି, କିଭଳି ପଣ୍ଡା ଇନଫ୍ରାଟେକ ଗୋଟିଏ ପରେ ଗୋଟିଏ କାମ ପାଇଥିଲା । ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି । ନହେଲେ ଅନେକ କିଛି ଚପିଯିବାର ଆଶଙ୍କା ରହିଛି ।ତ୍ରୁଟିଯୁକ୍ତ ଡିଜାଇନ, ନିମ୍ନମାନର କାମ ଓ ଅବହେଳା ପାଇଁ ପୁରା ଦୁର୍ଘଟଣା ଘଟିଲା ।
ତମାମ ଦିଗକୁ ଅନୁଶୀଳନ କଲେ ଗୋଟିଏ କଥା ସ୍ପଷ୍ଟ, ରାଜ୍ୟ ସରକାରୀ ଅଧିକାରୀ ଓ ଶାସକ ଦଳର ପ୍ରଭାବଶାଳୀ ବ୍ୟକ୍ତିଙ୍କ ଛତ୍ରଛାୟାରେ କାମ କରୁଥିଲା ପଣ୍ଡା ଇନଫ୍ରାଟେକ । ଅତି ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପଣ୍ଡା ଇନଫ୍ରାଟେକ ହାଇକୋର୍ଟରେ କେସ କରି ବମିଖାଲ ଓଭରବ୍ରିଜ କାମ ପାଇଥିଲା । ତେବେ ସେହି ସମୟରେ ସରକାର କାହିଁକି ସୁପ୍ରିମକୋର୍ଟ ଗଲେନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଆଉ ସେହି ସମୟରେ ଅରୁଣ ସାହୁ କୁଆଡେ ପଣ୍ଡା ଇନଫ୍ରାଟେକର ସାଥ୍ ଦେଇଥିବା କୁହାଯାଉଛି । ତେଣୁ ଅନେକ ଗୁଡିଏ ଅସମାହିତ ପ୍ରଶ୍ନ ରହିଛି, ଯାହାର ଉତ୍ତର ରାଜ୍ୟ ସରକାର ଦେବାର ଆବଶ୍ୟକତା ରହିଛି । ଯେଉଁ ତଦନ୍ତ ହେବ, ଏହା ଘଟଣା ପଛର ମୁଖ୍ୟ ଖଳନାୟକଙ୍କୁ ବାହାର କରିପାରିବ ତ?
ବିଜେପି ନେତା ଅରୁଣ ସାହୁଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । କହିଛନ୍ତି, ଏହି କଂପାନୀ ବ୍ଲାକଲିଷ୍ଟେଡ ହେବା ସତ୍ତେ୍ୱ କିଭଳି ତାକୁ ଏକାଧିକ କାମ ଦିଆଯାଇଥିଲା । ଯେହେତୁ ଏଥିରେ ଅରୁଣ ସାହୁଙ୍କ ଟଙ୍କା ଲାଗିଛି, ତେଣୁ ସବୁ ଦିଗକୁ ଆଖି ବୁଜିଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଅରୁଣ ସାହୁ । କହିଛନ୍ତି, ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ମୋର କଂପାନୀ ସହ କୈାଣସି ସଂପୃକ୍ତି ନାହିଁ । ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି । ଲାଭଜନକ ବ୍ୟବସାୟରେ ଜଡିତ ଥିଲେ ନିର୍ବାଚନ ଲଢିପାରିବିନି । ଯଦି କାହା ପାଖରେ ପ୍ରମାଣ ଅଛି ଦିଅନ୍ତୁ ଓ ମୋ ସଭ୍ୟ ପଦ ରଦ୍ଦ କରିବାକୁ ଉଦ୍ୟମ କରନ୍ତୁ । ଆମେ ଆପଣଙ୍କୁ ପୂର୍ବରୁ ଦେଖାଇଥିଲୁ କିଭଳି ତ୍ରିଶୁଳିଆ ବ୍ରିଜ ବାବଦରେ ଷଡଯନ୍ତ୍ରର ନକ୍ସା । ଯେଉଁଠି ପୁର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ଭୂମିକା ଥିଲା ସନ୍ଦେହରେ ।
ପ୍ରଶ୍ନ ଉଠିବ, କାହା ପ୍ରୋତ୍ସାହନରେ କାମ ପାଉଥିଲା ପଣ୍ଡା ଇନଫ୍ରାଟେକ? ଆରମ୍ଭ ଦିନରୁ ଏହି କଂପାନୀର ଟ୍ରାକ ରେକର୍ଡ ଭଲ ନଥିବା ସମସ୍ତେ ଅବଗତ ଥିଲେ । ତଥାପି କୋଟି କୋଟି ଟଙ୍କାର କାମ ଏହି ସଂସ୍ଥା ପାଉଥିଲା କେମିତି? ଅନୁମାନ କରାଯାଉଛି, ସେହି ଟାଣୁଆ ବିଧାୟକ ଓ ପୁର୍ତ୍ତ ବିଭାଗର ଅଧିକାରୀ ଏହି ପୁରା କାରସାଦି ପଛର ମାଷ୍ଟରମାଇଣ୍ଡ । ଆଉ ଏହି ବ୍ୟକ୍ତିମାନଙ୍କ ପ୍ରରୋଚନାରେ ଚାଲିଥିଲା ତମାମ ବେଆଇନ କାମ । ଯଦି ପୁରା ଘଟଣାର ସଠିକ ଅନୁସନ୍ଧାନ ହୁଏ, ତେବେ ପ୍ରକୃତ ଦୋଷୀର ଚେହେରା ସାମ୍ନାକୁ ଆସିପାରିବ ବୋଲି କୁହାଯାଉଛି । ହେଲେ ସବୁକିଛି ନିର୍ଭର କରୁଛି, ତଦନ୍ତକାରୀ ଅଧିକାରୀଙ୍କ ଉପରେ ।
ଭୁବନେଶ୍ୱର ଛାତି ଉପରେ ନିର୍ମାଣ କାମ ଚାଲିଥିଲା । ପ୍ରତିଦିନ ହଜାର ହଜାର ଲୋକ ସେହି ବାଟ ଦେଇ ଯାଆସ କରୁଥାନ୍ତି । ବ୍ୟସ୍ତବହୁଳ ରାଜଧାନୀର ଏହି ରାସ୍ତା । ହେଲେ ସମସ୍ତଙ୍କ ଆଖିରେ ଆଙ୍ଗୁଠି ଦେଇ ଚାଲିଥିଲା ନିମ୍ନମାନର କାମ । ପ୍ରଶ୍ନ ଉଠୁଛି, କାହା ସାହାସରେ ସମସ୍ତେ ଏତେ ବେପରୱା ଥିଲେ? ଅଭିଯୋଗ ଆସୁଛି, ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକଙ୍କ ବାହୁଛାୟା ତଳେ କାମ ପାଇଥିବା ଠିକାଦାର ସଂସ୍ଥା ରହିଥିଲା । ସେଥିପାଇଁ ସବୁ ବେଆଇନ ପ୍ରତି ସମସ୍ତେ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଛି ।
ଗତ କିଛି ଦିନ ମଧ୍ୟରେ ରାଜ୍ୟରେ କାହିଁକି ବିଭିନ୍ନ ପୋଲରେ ଦୁର୍ଘଟଣାମାନ ଘଟୁଛି ସେନେଇ ବି ବିବାଦ ମୁଣ୍ଡ ଟେକିଛି । ପୁର୍ତ୍ତ ବିଭାଗ ଠିକାଦାରଙ୍କ ମଧ୍ୟରେ ଅନୈତିକ ସଂପର୍କ ଏସବୁ ଦୁର୍ଘଟଣା ପଛର କାରଣ ନା ଅଭିଜ୍ଞ ଯନ୍ତ୍ରୀଙ୍କ ଅଭାବ କିମ୍ବା କର୍ତ୍ତବ୍ୟରତ ଅଧିକାରୀ ବେପରୱା ହୋଇପଡିଛନ୍ତି, ପୁର୍ତ୍ତ ବିଭାଗରେ ଶାସନ ବ୍ୟବସ୍ଥା ଭୁଶୁଡି ପଡିଛି, ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମାଲକାନଗିରି ଜିଲ୍ଲାରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ପ୍ରଥମେ ପାଇଲ ବଙ୍କା ହୋଇଯାଇଥିଲା । ଏହାକୁ ନେଇ ଅନୁସନ୍ଧାନ ଚାଲଥିବା ବେଳେ ଭୁଶୁଡି ପଡିଲା ସେତୁର ଦୁଇଟି ଗାର୍ଡର । ଏଭଳି ଦୁଇ ଦୁଇଟି ଘଟଣା ପରେ ଗୁରୁପ୍ରିୟା ସେତୁର ମାନ ନେଇ ପ୍ରଶ୍ନ ଉଠିଛି । ସେପଟେମ୍ବର ମାସ ଶେଷ ସୁଦ୍ଧା ସରକାର କାମ ସାରିବାକୁ ଲକ୍ଷ ରଖିଥିଲେ, ହେଲେ ଦୁର୍ଘଟଣା ପରେ ଅବଧି ନଭେମ୍ବରକୁ ବୃଦ୍ଧି ପାଇଛି । ବିଛିନ୍ନାଂଚଳକୁ ସଂଯୋଗ କରୁଥିବା ଏହି ସେତୁ, ଅନେକ ଦୃଷ୍ଟିକୋଣରୁ ଗୁରୁତ୍ୱପୁର୍ଣ୍ଣ । ହେଲେ ଯେଭଳି ନିର୍ମାଣର ମାନ ରହିଛି, ତାହା ଟେଣ୍ଡର ନେଇଥିବା କଂପାନୀର କାମର ତରିକା ଆଉ ସରକାରଙ୍କ ଅନୁଧ୍ୟାନ ଉପରେ ସନ୍ଦେହ ସୃଷ୍ଟି କରିଛି ।
ଖାଲି ଗୁରୁପ୍ରିୟା ସେତୁ ନୁହେଁ, କଟକ ବାଙ୍କୀ ଅନ୍ତର୍ଗତ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ପୋଲରେ ଅଧ୍ୟ ଅନୁରୁପ ଘଟଣା ଘଟିଥିଲା । ଦୁଇ ଦୁଇ ଥର ଦୁର୍ଘଟଣା ଘଟି ୧୦ ଜଣ ଶ୍ରମିକ ଆହତ ହୋଇଥିଲେ । ଥରେ ପୋଲର ସେଫଟି ସ୍ଲାବ ଭୁଶୁଡିପଡିଲା ଆଉ ଥରେ ନିର୍ମାଣାଧୀନ ଅବସ୍ଥାରେ ଚାରି ଚାରିଟି ସ୍ଲାବ ଖସିପଡିଥିଲା । ସେହିପରି କାଠଯୋଡି ଉପରେ ଥିବା ପୋଲର ଗାର୍ଡର ଖସିପଡିଥିଲା । ନିୟମିତ ବ୍ୟବଧାନରେ ଏତେ ସବୁ ପୋଲ ଭୁଶୁଡୁଥିଲେ ମଧ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ତନାଘନା କରିନାହାନ୍ତି । ଘଟଣା ପରେ ତଦନ୍ତ ନିର୍ଦ୍ଦେଶ ହୋଇଛି, କିଛି ସ୍ଥାନରେ ଠିକାଦାର ନିଜ ଖର୍ଚ୍ଚରେ ପୁନଃନିର୍ମାଣ କରିଛନ୍ତି । ହେଲେ କାହିଁକି ବାରମ୍ବାର ପୋଲ ଭୁଶୁଡିପଡୁଛି, ଏହାପଛର କାରଣ କଣ, ସେନେଇ ତନାଘନା ହୋଇନାହିଁ । ହେଲେ ରାଜଧାନୀରେ ନିର୍ମାଣ ବେଳେ ଏତେ ବଡ ଦୁର୍ଘଟଣା ଘଟିବା ପୁଣି ଥରେ ବିଭାଗୀୟ ଅଧିକାରୀଙ୍କ କର୍ତ୍ତବ୍ୟନିଷ୍ଠତା ଉପରେ ପ୍ରଶ୍ନବାଚୀ ତିଆରି କରିଛି । ଆଉ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ, ପୁର୍ତ୍ତ ସଚିବଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନର ହାତ ଯାଉନି, ସେନେଇ ବିବାଦ ମୁଣ୍ଡ ଟେକିଛି ।