ବଳଭଦ୍ରଙ୍କୁ ପକାଇଦେଲେ: ବିଭ୍ରାଟ ପାଇଁ ଦାୟୀ କିଏ? ତଦନ୍ତ ପାଇଁ ହେଲା କମିଟି

Advertisment
ବଳଭଦ୍ରଙ୍କୁ ପକାଇଦେଲେ: ବିଭ୍ରାଟ ପାଇଁ ଦାୟୀ କିଏ? ତଦନ୍ତ ପାଇଁ ହେଲା କମିଟି

କନକ ବ୍ୟୁରୋ: କୋଟି କୋଟି ଓଡିଆଙ୍କ ଭାବ ସହ ଜଡିତ ମହାପ୍ରଭୁଙ୍କ ଆଡପ ପହଣ୍ଡିବେଳେ ଯେଉଁ ବିଭ୍ରାଟ ହୋଇଛି ସେଥିପାଇଁ ଦାୟୀ କିଏ। ଶ୍ରୀବଳଭଦ୍ରଙ୍କୁ ପହଣ୍ଡି କରି ଆଣିବାବେଳେ ଚାରମାଳରେ ପକାଇଦେଲେ ସେବାୟତ। ଆଉ ଏହି ବଡ଼ ବିଭ୍ରାଟର କାରଣ ଖୋଜିବା ପାଇଁ କମିଟି ଗଠନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଯେଉଁମାନେ ଏହି ବିଭ୍ରାଟ ପାଇଁ ଦାୟୀ, ପ୍ରମାଣିତ ହେବା ପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ସେପଟେ ପହଣ୍ଡି ସମୟରେ ରଥଉପରେ ଅଣସେବାୟତଙ୍କ ଉପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ।

ଗତକାଲି ଆଡପ ପହଣ୍ଡିବେଳେ ଯେଉଁ ଅଘଟଣ ଘଟିଲା ତାକୁନେଇ ବ୍ୟଥିତ ହୋଇଛନ୍ତି କୋଟି କୋଟି ଜଗନ୍ନାଥପ୍ରେମୀ। ଚାରମାଳ ଉପରୁ ପ୍ରଭୁ ବଳଭଦ୍ରଙ୍କୁ ପକାଇଦେବା ଘଟଣାରେ କାହାକୁ ଦାୟୀ କରାଯିବ? ବିଭ୍ରାଟ ପଛରେ କିଏ, ଖୋଜିବା ପାଇଁ ଗଠନ ହୋଇଛି ୩ ଜଣିଆ କମିଟି। ଉନ୍ନୟନ ପ୍ରଶାସକ, ଏଡିଏମ ଓ ଡିଏସପି କମିଟିରେ ରହିବେ। ଡ୍ରୋନ ଓ ଅନ୍ୟ ଭିଡିଓ ଫୁଟେଜକୁ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଳାଦ୍ରୀ ବିଜେର ୧୦ ଦିନ ଭିତରେ ରିପୋର୍ଟ ଦେବ କମିଟି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ।

ସବୁଠାରୁ ବଡପ୍ରଶ୍ନ ହେଉଛି, ଏତେବଡ ବିଭ୍ରାଟ ହେଲା କେମିତି। ଅଭିଯୋଗ ହେଉଛି ଆଡପ ପହଣ୍ଡିବେଳେ ନୀତି ନିୟମକୁ ଠିକଭାବେ ପାଳନ କରିନାହାନ୍ତି ସେବାୟତ। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡିଥିବାରୁ କେତେକ ନୀତିକାନ୍ତିକୁ ବନ୍ଦ କରିଦିଆଯାଇଥିବା ଅଭିଯୋଗ ହୋଇଛି। ଏପରିକି ପହଣ୍ଡିରେ ନିଯୋଜିତ ସେବାୟତ ଚରମ ଅବହେଳା କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଅଣସେବାୟତମାନେ ରଥ ଉପରେ ଭିଡ ଜମାଇବାରୁ ବିଭ୍ରାଟ ହେଲା ବୋଲି ବରିଷ୍ଠ ସେବାୟତ କହିଛନ୍ତି ।

ବଡଠାକୁରଙ୍କୁ ନେଇ ହୋଇଥିବା ବଡ ବିଭ୍ରାଟ କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ବଢୁଛି । ଆଉ ଏହାରି ଭିତରେ ସୋସିଆଲ ମଡିଆରେ ଏକ ଲେଖା ଭାଇରାଲ ହେଉଛି। ଯାହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଲେଖାଯାଇଥିବା ନିଳାଦ୍ରୀ ମହୋଦୟର ଏକ ଅଂଶ ବୋଲି ଜଣାପଡ଼ିଛି। ଏଥିରେ ସଂସ୍କୃତରେ ଲେଖାଯାଇଥିବା କିଛି ଶ୍ଳୋକର ଓଡ଼ିଆରେ ବ୍ୟାଖ୍ୟା କରାଯାଇଛି। ଅସାବଧାନତା ଯୋଗୁଁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡ଼ିଯାଆନ୍ତି ତେବେ ରାଜାଙ୍କର ଓ ରାଜ୍ୟର ମହା ଅନିଷ୍ଟ ହେବ। ଦୁର୍ଭିକ୍ଷ ପଡ଼ିବ। ମହାମାରୀ ବାରମ୍ବାର ହେବ। ଏପରି ଲେଖା ଲୋକଙ୍କ ମଧ୍ୟରେ ଭୟ ବଢାଉଛି ।

ଚାରମାଳ ଉପରୁ ଶ୍ରୀବଳଭଦ୍ର ପଡିଯିବା ଘଟଣାରେ ୮ଜଣ ସେବାୟତ ଆହତ ହୋଇଥିଲେ। ସେମାନଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପରେ ଛାଡିଦିଆଯାଇଛି। ଜଣେ ସେବାୟତ ଚନ୍ଦନ ପତିମହାପାତ୍ରଙ୍କ ଗୋଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe