କନକ ବ୍ୟୁରୋ: ଜୁଇରେ ଜଳି ଯାଇଛି ଜଣେ ମେଧାବୀ ଛାତ୍ରୀଙ୍କ ସବୁ ସ୍ୱପ୍ନ । ଶୋକାକୂଳ ପରିବେଶ ଭିତରେ ବଲାଙ୍ଗୀର ହାଟପଦା ଶ୍ମଶାନରେ ସରିଛି ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କର ଅନ୍ତିମ ସଂସ୍କାର । ହେଲେ ଏହି ମୃତ୍ୟୁ ପଛରେ ଘୁରି ବୁଲୁଥିବା ପ୍ରଶ୍ନ ଏବେ ବି ଅସମାହିତ ହୋଇ ରହିଛି । ଚିନ୍ମୟୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ପରେ ଅଟକ ବୟଫ୍ରେଣ୍ଡ ପ୍ରୀତିମାନ ଦେଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି । ଏହି ଘଟଣାରେ ପ୍ରୀତିମାନ ଦେ’ ଏବଂ ତାଙ୍କ ଜଣେ ସାଙ୍ଗଙ୍କ ସହ ତିନି ଜଣଙ୍କୁ ଅଟକ ରଖିଛି ସମ୍ବଲପୁର ପୁଲିସ । ବୁର୍ଲା ଥାନାରେ ହତ୍ୟା ଦଫାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣାରେ ବନ୍ଧୁ ପ୍ରୀତିମାନଙ୍କ ଭୂମିକାକୁ ନେଇ ଉଠୁଛି ଅନେକ ପ୍ରଶ୍ନ ।

Advertisment

-ଯଦି ପ୍ରୀତିମାନଙ୍କ ଉପସ୍ଥିତିରେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁଥିଲେ, ପ୍ରୀତିମାନ ଅଟକାଇବାକୁ ଚେଷ୍ଟା କରିଥିଲେ ନା’ ନାହିଁ?
- ଯଦି ଚିନ୍ମୟୀ ପାୱାର ଚାନେଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି, ଏହି ଆତ୍ମହତ୍ୟା ପଛରେ ପ୍ରୀତିମାନଙ୍କର କୌଣସି ଭୂମିକା ରହିଛି କି?
- ପରିବାରଙ୍କ ଅଭିଯୋଗ ଅନୁସାରେ ଚିନ୍ମୟୀଙ୍କ ବେକରେ ଚିହ୍ନ ରହିଛି, ଚିନ୍ମୟୀଙ୍କ ବେକ ଚାପିବାକୁ ପ୍ରୀତିମାନ ଉଦ୍ୟମ କରିଥିଲେ କି?
-ପାରିବାରିକ କାରଣରୁ ଯଦି ଚିନ୍ମୟୀ ଚାପରେ ଥିଲେ ସେକଥା ତାଙ୍କ ପରିବାର ଜାଣିପାରିଲେନି କେମିତି?
-ଚିନ୍ମୟୀ ପାରିବାରିକ ଚାପରେ ଥିବା ପ୍ରୀତିମାନ ଜାଣିଲେ କେମିତି ?
- ଯଦି ଚିନ୍ମୟୀ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ପାୱାର ଚାନେଲକୁ ଡେଇଁଥିଲେ ପୁଲିସକୁ ହତ୍ୟା ମାମଲା ରୁଜୁ କରିବାର ଆବଶ୍ୟକତା ପଡ଼ିଲା କାହିଁକି?
- ଚିନ୍ମୟୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି ନା’ ଘଟଣାକୁ ହତ୍ୟାର କୌଣସି ଦିଗ ଜାଣିବାକୁ ପାଇଛି?
- ସମ୍ବଲପୁର ଓ ବୁର୍ଲାରେ ଏକାଧିକ ସ୍ଥାନ ଥିବା ସତ୍ୱେ ପାୱାର ଚାନେଲକୁ ଚିନ୍ମୟୀ ଯାଇଥିଲେ କାହିଁକି? ପାୱାର ଚାନେଲକୁ ଯିବା ପଛରେ ପ୍ରୀତିମାନଙ୍କ କୌଣସି ଭୂମିକା ଥିଲା କି?

ଚିନ୍ମୟୀଙ୍କ ପରିବାର ପକ୍ଷରୁ ହୋଇଥିବା ଏହି ଅଭିଯୋଗ ଭିତରେ ପୋଷ୍ଟମର୍ଟମ୍୍ ରିପୋର୍ଟ କହୁଛି- ପାଣିରେ ପୁଣି ଚିନ୍ମୟୀଙ୍କ ମୃତ୍ୟୁ ହୋଇଛି । ତେବେ ଚିନ୍ମୟୀ ପାୱାର ଚାନେଲକୁ ସେ ଡେଇଁ ଥିଲେ ନା’ ତାଙ୍କୁ ଠେଲି ଦିଆଯାଇଥିଲା, ତାକୁ ନେଇ ବି ହେଉଥିବା ସନ୍ଦେହ ଉପରୁ ପରଦା ହଟିନି ।

ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁ୍ଙ୍କ ମୃତ୍ୟୁ ଘଟଣାରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ତାଙ୍କ ବନ୍ଧୁ ପ୍ରୀତିମାନ ଦେ । ବୁର୍ଲା ପାୱାର ନାନେଲ ପାଖରୁ ତାଙ୍କ ବାଇକ୍ ମଧ୍ୟ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ପ୍ରୀତିମାନ ଜଣେ ପ୍ରଭାବଶାଳୀ ପରିବାରର ସଦସ୍ୟ । ପ୍ରୀତିମାନଙ୍କ ବାପା ଗୃହ ବିଭାଗରେ ଜଣେ ବରିଷ୍ଠ ପ୍ରଶାସକ । ଏସବୁ ଭିତରେ ପ୍ରୀତିମାନ ଦେଙ୍କ ଭୂମିକାକୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ପାୱାର ଚାନେଲକୁ ସେ କାହିଁକି ଯାଇଥିଲେ ଏବଂ ଚିନ୍ମୟୀଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଭୂମିକା କ’ଣ ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।