କନକ ବ୍ୟୁରୋ: ନଷ୍ଟ ହୋଇଗଲା ଅର୍ପଣ ଚାଉଳ । ଆଉ ମାସ ମାସ ଧରି ରଖିବା ପରେ ଚାଉଳ ନଷ୍ଟ କରି ଭକ୍ତଙ୍କ ଭାବାବେଗ ସହ ଖେଳ ଖେଳାଯାଇଛି । ଅର୍ପଣ ଚାଉଳ ନଷ୍ଟକୁ ନେଇ ବଢ଼ୁଛି ଅସନ୍ତୋଷ । ଏଥିପାଇଁ ପୂର୍ବ ସରକାରକୁ ଦାୟୀ କରିଛନ୍ତି ସେବାୟତ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି ।

Advertisment

ଶ୍ରଦ୍ଧା ଓ ଭକ୍ତିର ସହ ଭଗବାନଙ୍କ ଲାଗି ଲକ୍ଷ ଲକ୍ଷ ଭକ୍ତ ଅର୍ପଣ ଚାଉଳ ଦେଇଥିଲେ। ହେଲେ, ମାସ ମାସ ଧଣି ପଡି ରହି ଚାଉଳ ନଷ୍ଟ ହେବା ପରେ ଭକ୍ତଙ୍କୁ ଲାଗିଛି ଶକ୍ତ ଆଘାତ । କିନ୍ତୁ ଏତେ ବଡ ଅପରାଧ ପାଇଁ ଏପର୍ଯ୍ୟନ୍ତ କାହାକୁ ଦାୟୀ କରାଯାଇନି। ଯାହାକୁ ନେଇ ଶ୍ରଦ୍ଧାଳୁ ଓ ସେବାୟତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ପୂର୍ବ ସରକାର ଓ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦାୟୀ କରିଛନ୍ତି।

ସୁଆର ମହାସୁଆର ନିଯୋଗ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅର୍ପଣ ଚାଉଳରେ ଭକ୍ତଙ୍କୁ ମାଗଣାରେ ଖେଚୁଡି କରି ବଂଟନ ପାଇଁ ବ୍ୟବସ୍ଥା ହୋଇଥିବାବେଳେ କାହିଁକି ମଝିରୁ ବନ୍ଦ କରାଯାଇଥିଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ପଛରେ କାହାର ମନ୍ଦ ଉଦେଶ୍ୟ ଥିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି।

ଭକ୍ତ ଦେଇଥିବା ୧୪ ହଜାର କୁଇଁଣ୍ଟାଲ ଅର୍ପଣ ଚାଉଳରୁ ମାତ୍ର ୪ହଜାର କୁଇଁଣ୍ଟାଲ ବ୍ୟବହାର ହୋଇଛି। ଅବଶିଷ୍ଠ ୧୦ ହଜାର କୁଇଁଣ୍ଟାଲ ଚାଉଳ ରହି ରହି ଅଧାରୁ ଅଧିକ ନଷ୍ଟ ହୋଇ ଯାଇଛି। ତେବେ ପ୍ରଶ୍ନ ଉଠୁଛି,
- ଅର୍ପଣ ଚାଉଳ ନଷ୍ଟ ପାଇଁ ଯିଏ ଦାୟୀ ତାଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ?
- ଭାବାବେଗ ସହ ଖେଳିଥିବା ଅଧିକାରୀଙ୍କୁ ଦଣ୍ଡିତ କରିବେ ତ ସରକାର?