କାହିଁକି ମାଡିଆସିଲା ମୃତ୍ୟୁର ତାର ? ଛାତି ଥରିଉଠିବା ଭଳି ଦୁର୍ଘଟଣା ପାଇଁ କିଏ ଦାୟୀ ? କାଠଗଡ଼ାରେ ୩ ଦୋଷୀ !

1,454

କନକ ବ୍ୟୁରୋ : ଦୁର୍ଘଟଣାର ଏହା ଏପରି ଏକ ଲୋମଟାଙ୍କୁରା କାହାଣୀ, ଯାହା ଆଉ କେବେ କେଉଁଠି ନଘଟୁ । ପୁଅର ନିର୍ବନ୍ଧ ପାଇଁ ହସଖୁସିରେ ବାହାରିଥିବା ଏକ ପରିବାରର ସ୍ପପ୍ନ, ମଝି ରାସ୍ତାରେ ଯେ ଏମିତି ଛାରଖାର ହୋଇଯିବ, ତାହା କେହି ବିଶ୍ୱାସ ବି କରିପାରୁନାହାନ୍ତି ।

ଗଞ୍ଜାମ ଜିଲ୍ଲା ମେନ୍ଦ୍ରାଜପୁରଠାରେ ଏକ ଘରୋଇ ବସ୍ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ପୁରା ବସରେ କରେଣ୍ଟ ଲାଗି ଯାଇଥିଲା । ସମସ୍ତେ ଏକ ବଡ ଧରଣର ବିଦ୍ୟୁତ୍ ଝଟକାରେ ଚିତ୍କାର କରି ଉଠିଥିଲେ । ପୁରା ବସରେ କରେଂଟ ଏତେ ଜୋର ଥିଲା ଯେ ସେଥିରୁ ମୁକୁଳିବା କଷ୍ଟକର ହୋଇପଡିଥିଲା ।

ଏଭଳି ଏକ ଦୁର୍ଘଟଣାକୁ ନେଇ ସାରା ରାଜ୍ୟ ଶୋକରେ ବୁଡି ରହିଥିବା ବେଳେ, ଏହି ଅଘଟଣ ପାଇଁ କିଏ ଦାୟୀ, ସେନେଇ ଚାଲିଛି କାରଣ ଖୋଜା । ଏହି ଛାତିଥରା ଘଟଣାକୁ ନେଇ କାଠଗଡାକୁ ଟାଣିହୋଇଯାଇଛନ୍ତି ବସର ଡ୍ରାଇଭର, ପୂର୍ତ ବିଭାଗ ଏବଂ ବିଦ୍ୟୁତ ବିଭାଗ । କିଏ ଦାୟୀ, ଆଉ କାହାର ଭୁଲ ପାଇଁ ଏତେ ବଡ ଅଘଟଣ ଘଟିଗଲା, ସେନେଇ ଉଠୁଛି ବଡ ପ୍ରଶ୍ନ ।

କାଠଗଡାର ପ୍ରଥମ ଦୋଷୀ, ବିଦ୍ୟୁତ ବିଭାଗ !

ଗଞ୍ଜାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଯାତ୍ରୀବାହୀ ବସ ଆସିବା ପଛରେ ସାମ୍ନାକୁ ଆସିଛି ବିଜୁଳି ବିଭାଗର ଚରମ ଅବହେଳା । ରାସ୍ତାଠାରୁ ୬.୧ମିଟର ଉଚ୍ଚତାରେ ବିଦ୍ୟୁତ ତାର ଟାଣିବାକୁ ନିୟମ ରହିଥିବା ବେଳେ ମାତ୍ର ୩.୧୪ମିଟର ଉଚ୍ଚତାରେ ଟଣା ଯାଇଥିଲା ୧୧କେଭିର ବିଦ୍ୟୁତ ତାର । ଯେଉଁଥିପାଇଁ ଘଟିଥିଲା ଏଭଳି ଲୋମଟାଙ୍କୁରା ଦୁର୍ଘଟଣା । ଏନେଇ ହୁଏତ ତଦନ୍ତ ଚାଲିବ ଆଉ କାର୍ଯ୍ୟାନୁଷ୍ଠାନ ବି ହେବ । ହେଲେ ଅବହେଳା ପାଇଁ ଯେଉଁମାନଙ୍କ ଜୀବନ ଚାଲିଗଲା ତାର ଭରଣା କିନ୍ତୁ ଅସମ୍ଭବ ।

କାଠଗଡାର ଦ୍ୱିତୀୟ ଦୋଷୀ, ବସ୍ ଡ୍ରାଇଭର !

ଯଦିଓ ରାସ୍ତାରେ ବିଦ୍ୟୁତ ତାର ଝୁଲିପଡିଥିଲା, ବସର ଡ୍ରାଇଭର ଏହାକୁ ଦେଖିପାରିଲେନି କେମିତି । ଆଉ କୁହାଯାଉଛି ପ୍ରଥମେ ଯେତେବେଳେ ଏହି ରାସ୍ତା ଦେଇ ପରିବାର ଲୋକଙ୍କୁ ଆଣିବାକୁ ବସଟି ଯାଇଥିଲା, ସେତେବେଳେ ମଧ୍ୟ ଝୁଲି ରହିଥିବା ଏହି ମୃତ୍ୟୁର ତାରରେ ସଂସ୍ପର୍ଶରେ ଆସିଥିଲା ବସ୍ । କିନ୍ତୁ ସେତେବେଳେ କରେଂଟ ନଥିବା କାରଣରୁ କୌଣସି ଅଘଟଣ ଘଟିନଥିଲା । ଆଉ ଯଦି ଏକଥା ସତ, ତେବେ କେମିତି ଜାଣିଶୁଣି ପୁଣି ସେଇ ଭୁଲ କଲେ ବସ୍ ଡ୍ରାଇଭର । ଯେତେବେଳେ ତାରଟି ଝୁଲି ରହିଥିଲା, ବସର ଡ୍ରାଇଭର ସଚେତନ ହେଲେନି କେମିତି । ଏହି ଦୁର୍ଘଟଣାରେ କେଉଁଠି ନା କେଉଁଠି ନିଜର ସାମାନ୍ୟ ଭୁଲ ପାଇଁ ବସର ଡ୍ରାଇଭର ମଧ୍ୟ କାଠଗଡାକୁ ଟାଣି ହୋଇଛନ୍ତି ।

କାଠଗଡାର ତୃତୀୟ ଦୋଷୀ, ପୂର୍ତ ବିଭାଗ !

ଦୁର୍ଘଟଣା ନେଇ ସମସ୍ତ ଦୋଷ ଯେ କେବଳ ବିଦ୍ୟୁତ ବିଭାଗର ତାହା କହିଲେ ଭୁଲ୍ ହୋଇଯିବ । ଏଭଳି ଅଘଟଣ ପାଇଁ କେଉଁଠି ନା କେଉଁଠି ଦାୟୀ ପୂର୍ତ ବିଭାଗ । କାରଣ କିଛି ଦିନ ଏଠାରେ ରାସ୍ତା କାମ କରାଯାଇଥିଲା । ରାସ୍ତା କାମ କଲାବେଳେ କିଛି ଫୁଟ୍ ମଧ୍ୟ ପୋତାଯାଇଥିଲା । ଫଳରେ ରାସ୍ତାର ଉଚ୍ଚତା ମଧ୍ୟ ବୃଦ୍ଧି ପାଇଥିଲା । ତେବେ ଏନେଇ ବିଦ୍ୟୁତ ବିଭାଗକୁ ଅବଗତ କରାଇବାର ଥିଲା । ଯଦି ରାସ୍ତାର ଉଚ୍ଚତା ବୃଦ୍ଧି ପାଇଛି, ସେହି ଅନୁସାରେ ବିଦ୍ୟୁତ ତାରର ଉଚ୍ଚତା ମଧ୍ୟ ବଢାଇବାର ଥିଲା । ଆଉ ସବୁଠୁ ବଡ କଥା ହେଉଛି ବିଦ୍ୟୁତ ଖୁଂଟଟି ରାସ୍ତା ଉପରେ ମଧ୍ୟ ରହିଥିଲା । ଏନେଇ ବିଦ୍ୟୁତ ବିଭାଗକୁ ଅବଗତ କରାଇଥିଲେ, ହୁଏତ ଖୁଂଟକୁ ସ୍ଥାନାନ୍ତର କରାଯାଇପାରିଥାନ୍ତା ।

ଏ ତମାମ ଦିଗକୁ ନେଇ ହୁଏତ ତଦନ୍ତ ଚାଲିବ ଆଉ କାର୍ଯ୍ୟାନୁଷ୍ଠାନ ବି ହେବ । ହେଲେ ଏଭଳି ଚରମ ଅବହେଳା ପାଇଁ ଯେଉଁମାନଙ୍କ ଜୀବନ ଚାଲିଗଲା ତାର ଭରଣା କିନ୍ତୁ ଅସମ୍ଭବ । ଦୋଷୀ ସିନା କାଠଗଡାକୁ ଟଣା ହେବେ, କିନ୍ତୁ ସେହି ପରିବାର ଆଖିରୁ ଝରୁଥିବା ଲୁହ ଶୁଖିବନି ।